ମହିଳା ସରପଞ୍ଚଙ୍କୁ ଜାତିଆଣ ମାମଲା , ଟାଟା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଅବସ୍ଥିତ ଟାଟାକଂପାନୀର ଖଣ୍ଡବନ୍ଧ ଖଣିକୁ ସ୍ଥାନୀୟ ୩ ଟି ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ନିଜର ନ୍ୟାର୍ଯ୍ୟ ଦାବୀ ନେଇ ଯାଇଥିବା ବେଳେ କଂପାନୀର ଜି.ଏମ୍(ଜେନେରାଲ ମ୍ୟାନେଜର)ଙ୍କ ନିର୍ଦ୍ଦେଶରେ ଅନ୍ୟ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଜଲହରି ସରପନ୍ଚ ଓ ତାଙ୍କ ସମର୍ଥକ ମାନଙ୍କୁ ଜାତିଆଣ ଭାବ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ବାମେବାରୀ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଣୀ ଜଲହରି ସରପନ୍ଚ ମିତା ମୁଣ୍ଡା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ,ଗତ ତା ୬/୧୨/୨୦୧୮ରିଖରେ ଜଲହରି ଗ୍ରାମପନ୍ଚାୟତର ଓ ଜଜାଙ୍ଗ ଗ୍ରାମପନଚାୟତର କିଛି ସ୍ଥାନୀୟ ଅଧିବାସୀଙ୍କୁ ନେଇ ଟାଟାକଂପାନୀର ଖଣ୍ଡବନ୍ଧ ଲୌହଖଣିକୁ ଯାଇଥିଲେ । ୨୦୧୧ମସିହାରେ କଂପାନୀର ଜନଶୁଣାଣି ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି,ପରିବହନ କାର୍ଯ୍ୟ ପ୍ରଭୃତି ସମ୍ପର୍କରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା । ଏହି ବୁଝାମଣା ଅନୁଯାୟୀ ସେମାନେ ଶୃଙ୍ଖଳାର ସହିତ କଂପାନୀର ଖଣି ଅଧିକାରୀଙ୍କ ସହିତ ଆଲୋଚନା ପାଇଁ ଯାଇଥିଲେ । ଏହି ସମୟରେ ଖଣିରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ସଂସ୍ଥାର ମ୍ୟାନେଜର ଲମ୍ବୋଦର ମହାନ୍ତ ସେମାନଙ୍କୁ ଅଟକାଇଥିଲେ । ସରପନ୍ଚ ମିତା ମୁଣ୍ଡା ଖଣିର ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଆସିଛୁ ବୋଲି କହିବାରୁ ସିକ୍ୟୁରିଟି ମ୍ୟାନେଜର ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ଜାତିଆଣ ଭାବ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ଦେଇ ତଳେ ପକାଇଦେଇଥିଲେ । ଏହାପରେ ଅନ୍ୟ ସୁରକ୍ଷାକର୍ମୀମାନେ ଆସି ସରପନ୍ଚ ଓ ତାଙ୍କ ଲୋକଙ୍କୁ ବିଧା ଓ ଲାଠିରେ ଆକ୍ରମଣ କରି ଖଣ୍ଡିଆଖାବରା କରିଦେଇଥିଲେ ।ଏହି ସମୟରେ ଟାଟାକଂପାନୀର ଜିଏମ୍ ମନିଶ ମିଶ୍ର ଓ ତାଙ୍କ ସହିତ ଅଧିକାରୀ ଦେବାଶିଶ ମୂଖାର୍ଜୀ,ଲିଆସିନିଙ୍ଗ ଅଫିସର ଏସ୍ପି ସିଂ,ଅଂଜନ ପାତ୍ର,ସିକ୍ୟୁରିଟି ଇନଚାର୍ଯ ବିଭୁତିଭୂଷଣ ବେହେରା ସେଠାରେ ପହଁଚି ମାଡ଼ ମାରୁଥିବା ସୁରକ୍ଷା କର୍ମୀଙ୍କୁ ବାରଣ କରିବା ପରିବର୍ତେ ସେମାନଙ୍କୁ ଏଠାକୁ ଯିଏ ଆସୁଛି ,ସମସ୍ତଙ୍କୁ ଜୀବନରେ ମାରିଦିଅ,ତୁମ କଥା ବୁଝିବା ପାଇଁ ଟାଟାକଂପାନୀ ଅଛି ,ସବୁ ଆଦିବାସୀ ହରିଜନମାନେ ଆମ୍ଭମାନଙ୍କୁ କଣ ନିର୍ଦ୍ଦେଶ ଦେବ ବୋଲି କହିଥିଲେ ।ଏହା ଶୁଣି ସୁରକ୍ଷାକର୍ମୀମାନେ ଆହୁରି ଉତ୍ସାହିତ ହୋଇ ଲୋକମାନଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଚାଲିଥିଲେ ଏବଂ ମହିଳାମାନେ ପିନ୍ଧିଥିବା ସୁନା ଚେନ,ସୁନା କାନଫୁଲ ଛଡ଼ାଇନେଇଥିଲେ ।ତେବେ ବହୁ କଷ୍ଟରେ ଲୋକମାନେ ତାଙ୍କ କବଳରୁ ମୁକୁଳି ପ୍ରାଣ ବିକଳରେ ଛତ୍ରଭଂଗ ଦେଇ ଦୌଡ଼ିପଳାଇଥିଲେ । ଏହି ଘଟଣା ସଂପର୍କରେ ସରପନ୍ଚ ମିତା ମୁଣ୍ଡା ଓ ଜଜାଙ୍ଗ ସରପନଚ ରତ୍ନମଣି ନାଏକ ଡାକ ଯୋଗେ ଲିଖିତ ଭାବେ ବାମେବାରୀ ଥାନରେ ଜଣାଇଥିଲେ । ଜଜାଙ୍ଗ ସରପନଚ ରତ୍ନମଣି ନାଏକଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ବାମେବାରୀ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏବଂ ଜଲହରି ସରପନଚ ମିତା ମୁଣ୍ଡାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରିନଥିଲା । ଏନେଇ ଅଭିଯୋଗକାରିଣୀ ଜଲହରି ସରପନଚ ମିତା ମୁଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ଅଭିଯୋଗ ଅନୁଯାୟୀ ଟାଟାଷ୍ଟିଲ ଖଣି ଅଧିକାରୀଙ୍କ ନାମରେ ବାମେବାରୀ ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ କି ଜଜାଙ୍ଗ ସରପନଚ ରତ୍ନମଣୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ବାମେବାରୀ ଥାନା କେଶ୍ ନଂ ୨୪/୨୦୧୯, ଦଫା ୩୪୧, ୩୨୩, ୨୯୪, ୩୫୪, ୩୫୯, ୫୦୬/୩୪ ଆଇପିସି ଓ ଏସସି ଏସଟି ଆଟ୍ରୋସିଟ ଆକ୍ଟର ଦଫା ୩ ରେ ଟାଟା କମ୍ପାନୀର ଜେନେରାଲ ମ୍ୟାନେଜର ମନୀଷ ମିଶ୍ର ଓ ଅନ୍ୟ ମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ବୁଧବାର ଦିନ ହାଇକୋର୍ଟ ନୋଟିସ ପାଇଛନ୍ତି । ଏହି ମାମଲାର ସେ ତଦନ୍ତ କରୁଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ପରେ କହିପାରିବେ ବୋଲି କହିଥିଲେ । ଏନେଇ ବାମେବାରୀ ଥାନାରେ ମିତା ମୁଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି ।