ମାଁ ଗ୍ରାମଦେବୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦର ଗ୍ରାମ ବଡବନ୍ଧ ନିକଟରେ ଆବାହମାନରୁ ପ୍ରତିଷ୍ଠିତ ମାଁ ଗ୍ରାମଦେବୀଙ୍କ ଜରାଜୀର୍ଣ୍ଣ ମନ୍ଦିରର ପୁନରୁଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ନିଷ୍ଠା ଓ ମିଳିତ ଉଦ୍ୟମରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ସହ ଆଦିଶକ୍ତି ମାଁ ଗ୍ରାମଦେବୀଙ୍କ ନୂତନ ବିଗ୍ରହ ମଧ୍ୟ ସ୍ଥାପନ କରାଯାଇଛି।ଏହି ଉପଲକ୍ଷେ ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ୫ ଦିନାତ୍ମକ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ଶୁକ୍ରବାର ଉଦଯାପିତ ହୋଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଜଳଯାତ୍ରା,ଦୀକ୍ଷା ଗ୍ରହଣ,ଅଙ୍କୁରୋପଣ ଓ ଦ୍ଵିତୀୟ ଦିବସରେ ବନଯାଗ,ରତ୍ନମୁଦ ପ୍ରତିଷ୍ଠା, ନାମଯଜ୍ଞ ଆରମ୍ଭ, ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତୃତୀୟ ଦିବସରେ କର୍ମାରମ୍ଭ, ଶାଲା ସଂସ୍କାର , ଅଗ୍ନିସ୍ଥାପନ, ଧନ୍ୟାଧୀବାସ, ଅନ୍ନଯଜ୍ଞ ଓ ଚତୁର୍ଥ ଦିବସରେ ନିତ୍ୟପୂଜା, ଦେବତା ଅଧିବାସ, ମହାସ୍ନାନ, ରାତ୍ର ଜୀବନ ନ୍ୟାସ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିବସରେ ଗ୍ରାମଦେବୀଙ୍କୁ ନଗରଭ୍ରମଣ କରାଯାଇ ସିଂହାସନାରୋହଣ, ଧ୍ବଜାଭ୍ରମଣ ଓ ପୂର୍ଣ୍ଣାହୁତି ସହ ଅନ୍ନଯଜ୍ଞ ନୀତି ସମ୍ପନ୍ନ ହୋଇଥିଲା।ନଗର ଭ୍ରମଣ ସମୟରେ ମାଁ ଙ୍କୁ ସୁସଜ୍ଜିତ ବିମାନରେ ଅସିନ କରି ବାଦ୍ୟ ବାଜଣା ଓ ପଟୁଆର ସହ ପୁଷ୍ପ, ନୈବେଦ୍ୟ ଯାଚନା କରି ବିଶ୍ୱକଲ୍ୟାଣ ନିମିତ୍ତ ଗ୍ରାମବାସୀ ଭାବାବେଗ ସହକାରେ ମାଁଙ୍କ ଆଶିଷ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ପ୍ରବଚକ ଶଙ୍କର୍ଷଣ ପାଠୀ, ଆଚାର୍ଯ୍ୟ କାଳୁ ଚରଣ ତ୍ରିପାଠୀ,କାହ୍ନୁ ଚରଣ ଗନ୍ତାୟତ, ରଜନୀକାନ୍ତ ଗନ୍ତାୟତ, ବାଉରୀବନ୍ଧୁ ପାଣିଗ୍ରାହୀ, ଦଣ୍ଡପାଣି ସାବତ, ସନ୍ତୋଷ କୁମାର ସାବତ, ହେମନ୍ତ କୁମାର ଚୌଧୁରୀ,ରାମଚନ୍ଦ୍ର ପାଣିଗ୍ରାହୀ,ପ୍ରତିଷ୍ଠା କମିଟି ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଗ୍ରାମରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମାଁଙ୍କ ପୂଜାର୍ଚ୍ଚନା,ଦର୍ଶନ ଓ ପ୍ରସାଦ ସେବନ ସହ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ