ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ସାମାଜିକ-ଅର୍ଥନୈତିକ ଚାପର ମୁକାବିଲା କରିବା ନିମନ୍ତେ ଆସନ୍ତା ୩ ମାସ ପାଇଁ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ସୁବିଧା ଯୋଗାଇ ଦିଆଯିବ । ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ମାଗଣାରେ ଘରୋଇ ଏଲପିଜି ସିଲିଣ୍ଡର ପାଇବେ । ଏହି ନିଷ୍ପତି ମଧ୍ୟ ନିଆଯାଇଛି ଯେ ଏପ୍ରିଲ ମାସର ସିଲିଣ୍ଡର ଭରିବା ଲାଗି ସମ୍ପୂର୍ଣ୍ଣ ଖୁଚୁରା ବିକ୍ରୟ ମୂଲ୍ୟ ବାବଦ ଅର୍ଥ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ଆକାଉଂଟକୁ ଅଗ୍ରୀମ ଜମା ଆକାରରେ ହସ୍ତାନ୍ତର କରାଯିବ । ଏହି ଅର୍ଥକୁ ସେମାନେ କେବଳ ସିଲିଣ୍ଡର କ୍ରୟ ପାଇଁ ବିନିଯୋଗ କରିବେ । ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାସିକ ଗୋଟିଏ ସିଲିଣ୍ଡର ଯୋଗାଇ ଦିଆଯିବ । ଗୋଟିଏ ରିଫିଲ ପାଇବାର ୧୫ ଦିନ ପରେ ଆଉ ଏକ ସିଲିଣ୍ଡର ପାଇବା ଲାଗି ହିତାଧିକାରୀମାନେ ବୁକିଂ କରିପାରିବେ । ଆଇଭିଆରଏସ କିମ୍ବା ପଞ୍ଜିକୃତ ମୋବାଇଲ ନମ୍ବରରେ ରିଫିଲ ବୁକିଂ କରାଯାଇପାରିବ । ଓଟିପି ଆଧାରିତ/ଲାଟ-ଲଙ୍ଗ କ୍ୟାପଚର/ଅଣ୍ଡରଟେକିଂ ଜରିଆରେ, ଏହାଛଡ଼ା କ୍ୟାଶମେମୋ ସ୍ୱାକ୍ଷର ଏବଂ ଗ୍ୟାସ ଖାତାରେ ଉଲ୍ଲେଖ କରାଯାଇ ରିଫିଲ ସମ୍ପର୍କରେ ସୁନିଶ୍ଚିତ କରାଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ କରାଯିବାକୁ ଘୋଷଣା କରାଯିବା ପରଠାରୁ ବର୍ତମାନସୁଦ୍ଧା ତୈଳ ବିପଣନ କମ୍ପାନୀଗୁଡ଼ିକ ୭.୨୩ କୋଟି ଉପଭୋକ୍ତାମାନଙ୍କ ଆକାଉଂଟକୁ ପାଖାପାଖି ୫୬୬୩ କୋଟି ଟଙ୍କା ହସ୍ତାନ୍ତର କରିସାରିଲେଣି । ସେହିପରି ୧.୩୨ କୋଟି ମାଗଣା ଏଲପିଜି ରିଫିଲ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଇସାରିଛି । ସେହିପରି ଓଡ଼ିଶାରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଥମ ରିଫିଲ ବୁକିଂ ବାବଦକୁ ଉପଭୋକ୍ତାଙ୍କ ଆକାଉଂଟକୁ ୩୪୧ କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର କରିସାରିଲେଣି । ୧୪ ଏପ୍ରିଲ ସୁଦ୍ଧା ଓଡ଼ିଶାରେ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ୫.୮୮ ଲକ୍ଷ ଏଲପିଜି ରିଫିଲ ଯୋଗାଇ ଦିଆଯାଇସାରିଛି । ତୈଳ ବିପଣନ କମ୍ପାନୀଗୁଡ଼ିକର ପଦକ୍ଷେପକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏକ ଟ୍ୱିଟ ଜରିଆରେ ସେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ ପକ୍ଷରୁ ନିଆଯାଇଥିବା ମାନବୀୟ ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, “ଏହି କଠିନ ପରିସ୍ଥିତିରେ ଆମ କର୍ମକର୍ତାମାନେ ଯେଉଁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି ତା’କୁ ସମ୍ମାନ ଜଣାଇବା ଲାଗି ଏହି ଶୁଭକାମନା ଉଦ୍ଦିଷ୍ଟ । ଆମ କର୍ମଚାରୀମାନଙ୍କର ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା; ଏହି ସହାନୁଭୂତିଶୀଳ ପଦକ୍ଷେପ ଦେଶର କରୋନା ମୁକାବିଲାରେ ସହାୟକ ହେଉଥିବା ଆମ ଶ୍ରମଶକ୍ତିର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ । କରୋନା ମହାମାରୀର ଏହି ସଙ୍କଟପୂର୍ଣ୍ଣ ସମୟରେ ସହର ଓ ଗ୍ରାମାଂଚଳର ବହୁ ମହିଳା ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ମାଗଣାରେ ଗ୍ୟାସ ସିଲିଣ୍ଡର ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଦାହରଣ ସ୍ୱରୂପ, ବାଲେଶ୍ୱର ପାତ୍ରପଡ଼ା ଗ୍ରାମର ଉଜ୍ଜ୍ୱଳା ହିତାଧିକାରୀ ଅମିତା ଦାସ ଏହି ସୁବିଧା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ଜଣେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଂଚଳର ଭାନୁମତି ସାହୁ କହିଛନ୍ତି, ଲକଡାଉନ ସମୟରେ ଆମେ ବାହାରକୁ ଯାଇପାରୁନାହୁଁ । ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ମାଗଣାରେ ଗ୍ୟାସ ସିଲିଣ୍ଡର, ବ୍ୟାଙ୍କ ଖାତାକୁ ଅର୍ଥ ହସ୍ତାନ୍ତର ଓ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ । ସେହିପରି ବ୍ରହ୍ମପୁରର ହିତାଧିକାରୀ ବନୀତା ପଣ୍ଡା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ରିଫିଲ ବୁକିଂ କରିବା ପରେ ବ୍ୟାଙ୍କ ଆକାଉଂଟ ଜରିଆରେ ୭୯୬ ଟଙ୍କା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଭୁବନେଶ୍ୱରର ଆରତୀ ମଙ୍ଗରାଜ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ପାଇବା ଲାଗି ୭୭୪ ଟଙ୍କା ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ତଥା ଯେକୌଣସି ବିପର୍ଯ୍ୟୟ ସମୟରେ ଦେଶର ତୈଳ ଉଦ୍ୟୋଗ ସବୁବେଳେ ଦେଶବାସୀଙ୍କ ସୁରକ୍ଷା ଲାଗି ଆଗେଇ ଆସିଛି । କୋଭିଡ-୧୯ ମହାମାରୀ ଦେଶବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଗତ ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ସୁରକ୍ଷା କାରଣରୁ ଲକଡାଉନ ଘୋଷଣା କରାଯାଇଛି । କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶର ଇନ୍ଧନ ଯୋଗାଣକାରୀ ଭାବେ ତୈଳ ଉଦ୍ୟୋଗଗୁଡ଼ିକ ପ୍ରମୁଖ ତଥା ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି । ତୈଳ ଏବଂ ଗ୍ୟାସ ମନ୍ତ୍ରଣାଳୟ ସମେତ ତୈଳ ଉଦ୍ୟୋଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିତରଣ ଶୃଙ୍ଖଳର ଅନ୍ତିମ ସ୍ଥାନରେ ଥିବା ଡେଲିଭରୀ କର୍ମଚାରୀ, ପମ୍ପ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ସେମାନେ ସାମାଜିକ ଦୂରତା, ଉପଯୁକ୍ତ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ନିରାପତା ନିୟମକୁ ସୁଚାରୁ ରୂପେ ପାଳନ କରି ଉପଭୋକ୍ତାଙ୍କ ନିକଟରେ ସବୁ ସମୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆଦି ଯୋଗାଇ ଦେଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ତୈଳ ବିପଣନ କମ୍ପାନୀଗୁଡ଼ିକ ଯୁଦ୍ଧକାଳିନ ଭିତିରେ ଏହି କାର୍ଯ୍ୟ କରୁଥିବାରୁ ହିତାଧିକାରୀ, ଜନସାଧାରଣ, ଗଣମାଧ୍ୟମ ଏବଂ ଅନ୍ୟ ଅଂଶୀଦାରମାନେ ଏହାକୁ ପ୍ରଶଂସା କରିଛନ୍ତି । ତୈଳ କମ୍ପାନୀଗୁଡ଼ିକ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ଉପଭୋକ୍ତାଙ୍କୁ ଘର ପାଖରେ ଏଲପିଜି ସିଲିଣ୍ଡର ଯଥା ସମୟରେ ଯୋଗାଇ ଦେବା ନିମନ୍ତେ ବଟଲିଂ କ୍ଷମତା ଏବଂ ବିତରଣ ଭିତିଭୂମି ବୃଦ୍ଧି କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ