ମାଡମାରି ଘରୁ ତଡିଦେବା ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୋଧରେ ଏସପିଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୈତୃକ ଘରୁ ମାଡମାରି ତଡିଦେବା ଘଟଣାରେ ପଟ୍ଟାମୁଣ୍ଡାଇ ଥାନା ପୋଲିସର ନିଷ୍କ୍ରିୟତା ବିରୋଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଜନୈକ ମହିଳା ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଓଉପଦା ଗ୍ରାମର ସୁଶାନ୍ତ ରାଉତଙ୍କ ପତ୍ନୀ ପୁଷ୍ପଲତା ରାଉତ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ସ୍ୱାମୀ ନାବାଳିକା ଝିଅ ସହିତ ସେହି ଗ୍ରାମର ପୈତୃକ ଘରେ ଆଜକୁ ୧୯ବର୍ଷ ହେବ ରହି ଆସୁଛନ୍ତି । ତାଙ୍କ ସ୍ୱାମୀ ଜଣେ ଶ୍ରମିକ ଓ କୃଷିଜୀବୀ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ତାଙ୍କ ସ୍ୱାମୀଙ୍କ ୩ଭାଇ ବାହାର ରାଜ୍ୟରେ କାମକରି ସେମାନଙ୍କ ପରିବାରକୁ ଚଳାଇଥାନ୍ତି । ବିଗତ ୩ବର୍ଷ ହେବ ସେମାନେ ଗ୍ରାମକୁ ଆସି ମୈାଖିକ ଭାବେ ପୃଥକ ବାସ କରୁଥିବା ବେଳେ ତାଙ୍କ ଯାଆ ଓ ଦେଢସୁର ପୁଷ୍ପଲତାଙ୍କୁ ଆକ୍ରମଣ କରିବା ସହ ଗାଳିଗୁଲଜ କରଥାନ୍ତି । ଗତ ସୋମବାର ହଠାତ ତାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ତାଙ୍କ ଯାଆ ଓ ଦେଢସୁର ତାଙ୍କ ରୋଷେଇ ଘରେ ପହଞ୍ଚି ତାଙ୍କୁ ଘୋଷାରି ଆଣି ମାଡମାରିବା ସହ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କଲେ ଓ ଏକଥା ବାହାରେ ପ୍ରକାଶ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ନେଇ ପୁଷ୍ପଲତା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୁଷ୍ପଲତା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସେମାନେ ଥାନାରୁ ଫେରି ଘରକୁ ଯିବା ପରେ ତାଙ୍କ ଦେଢସୁର ଓ ଯାଆ ସେମାନଙ୍କୁ ଘରେ ପୁରାଇ ନଦେଇ ବାହାର କରିଦେଇଥିଲେ । ଫଳରେ ସେମାନେ ପରିବାର ସହ ଖୋଲା ଆକାଶ ତଳେ ଜୀବନ ନିର୍ବାହ କରୁଛନ୍ତି । ଏପରି ପରିସ୍ଥିତିରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନରେ ଗୁରୁତର ଅବହେଳା ପ୍ରଦର୍ଶନ କରିଥିବା ନେଇ ପୁଷ୍ପଲତା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ, ଆରକ୍ଷୀ ମହାନିର୍ଦେଶକ, ଗୃହ ବିଭାଗ ସଚିବ, ୫-ଟି ସଚିବଙ୍କୁ ଅଭିଯୋଗ କରିଥିବା କହିଛନ୍ତି ।