ମାଟିର ମହାପର୍ବ ଅଳକା ଆଶ୍ରମ ଶତବାର୍ଷିକୀରେ ଏକାଠି ହେବ ସମ୍ପୂର୍ଣ୍ଣ ଜିଲ୍ଲା
ପାରାଦୀପ, (ପୀତବାସ ପ୍ରଧାନ):ଜାତୀୟ ମୁକ୍ତି ସଂଗ୍ରାମରେ ଏକ ଅନନ୍ୟ ଭୂମିକା ନିର୍ବାହ କରିବା ସହିତ ସ୍ୱାଧିନତା ସଂଗ୍ରାମୀଙ୍କୁ ଗାନ୍ଧୀବାଦର ଦର୍ଶନରେ ଅନୁପ୍ରଣିତ କରି ଏକ ଶ୍ରେଷ୍ଠ, ମୁକ୍ତ ଓ ଆର୍ଥିକ ସ୍ୱାବଲମ୍ବୀ ଭାରତ ଗଠନ କରିବା ପାଇଁ ନିଜକୁ ସମର୍ପଣ କରିବା ପାଇଁ ପ୍ରଶିକ୍ଷଣ ଦେଇଥିବା ଜଗତସିଂହପୁର ଜିଲ୍ଲାର ଅଳକା ଆଶ୍ରମର ଏକ ବର୍ଷ ବ୍ୟାପି ଶତବାର୍ଷିକୀ ସମାରୋହ ଗତ ୨୦୨୨ ଶ୍ରୀପଂଚମୀ ଦିନ ଓଡିଶାର ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ ହୋଇ ୨୦୨୩ ଶ୍ରୀପଂଚମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାରି ରହିଛି । ଏହାର ସମାବର୍ତନ ଉତ୍ସବ ଆସନ୍ତା ଜାନୁଆରୀ ମାସ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ଜିଲ୍ଲାର ଶିକ୍ଷା, ସାଂସ୍କୃତିକ, ସାହିତ୍ୟ, ସାମାଜିକ ତଥା ସମସ୍ତ ଅନୁଷ୍ଠାନକୁ ସାମିଲ କରି ଦେଶ ତଥା ବିଦେଶର ବରିଷ୍ଠ ଗାନ୍ଧୀବାଦୀ, ବୁଦ୍ଧିଜୀବୀ ଓ ନେତୃବର୍ଗଙ୍କ ଉପସ୍ଥିତିରେ ଏହି ଚାରିଦିନ ବ୍ୟାପି କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ପ୍ରଭାବ ସୃଷ୍ଟି କରିବ ବୋଲି ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକଙ୍କ ଉପସ୍ଥିତିରେ କମିଟିର ଆବାହକ ତଥା ଶିକ୍ଷାବିତ୍ ଦେବେନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରରେ ଛାତ୍ରଛତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରି ସେମାନଙ୍କୁ ଭାରତୀୟ ମୁକ୍ତି ସଂଗ୍ରାମର ଏହି ମହାନ ଅନୁଷ୍ଠାନର ଗୌରବମୟ ଇତିହାସକୁ ଅବଗତ କରାଇବା ପାଇଁ ପ୍ରୟାସ କରାଯିବା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ଥିବା ସ୍ୱାଧିନତା ସଂଗ୍ରାମର ପ୍ରତ୍ୟେକ ପୀଠରେ ଅଳକା ଆଶ୍ରମର ଶତବାର୍ଷିକୀ କାର୍ଯ୍ୟକ୍ରମ କରାଯାଇ ସାଧାରଣ ଜନତାଙ୍କୁ ଏହାର ଅବର୍ଣ୍ଣନୀୟ ତ୍ୟାଗ ବିଷୟରେ ସଚ୍ଚେତନ କରାଯିବାର କାର୍ଯ୍ୟକ୍ରମ ଜାରୀ ରହିଛି ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ପାରାଦୀପ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଆଇନଜିବୀ ସୁରେଶ ଚନ୍ଦ୍ର ଦାସ, ନଗେନ୍ଦ୍ର ନାଥ ସ୍ୱାଇଁ ଓ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।


