ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା
ସନ୍ତୋଷ କୁମାର ଦାଶ
ଚୈତ୍ର ମାସରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ। ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇ ନ ଥାଏ। ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ମାଙ୍କ ମନ୍ଦିରରେ ଏକ ମାସ ବ୍ୟାପି ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ମାସର ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ମଙ୍ଗଳବାର ମନ୍ଦିର ରେ ପାଳିଯାତ୍ରା । ଅନୁଷ୍ଠିତ ହେଉଥିବାବେଳେ ପଞ୍ଚମ ( ବୈଶାଖ ମାସ ପ୍ରଥମ) ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମ ମଙ୍ଗଳବାର ଦିନ ମନ୍ଦିରରେ ନେତୋତ୍ସବ ଅନୁଷ୍ଠିତ ହୋଇଥାଏ। ପ୍ରତି ମଙ୍ଗଳବାର ଦିନ ଘଣ୍ଟପାଟୁଆ ମାନେ ନିଜ ନିଜ ଘଟ କଳସ ଧରି ପହଞ୍ଚି ଯାଆନ୍ତି ମା ମଙ୍ଗଳାଙ୍କ ମନ୍ଦିରରେ। ମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିଜକୁ ନାରୀ ବେଶରେ ସଜ୍ଜିତ କରିଥାନ୍ତି। ସମସ୍ତ ପାଟୁଆ ଏକ ବିରାଟ ଶୋଭାଯାତ୍ରାରେ ପ୍ରାଚୀ ନଦୀର ଘଣ୍ଟ ତୋଳା ତୁଠକୁ ଯାଇ ପାଣି ତୋଳି, ନିଜ ଘଟକୁ ସଜ୍ଜିତ କରି ମନ୍ଦିରକୁ ଫେରିଥାନ୍ତି।ଜଗତସିଂହପୁର ଅଞ୍ଚଳ ରୁ ଆସିଥିବା ପାଟୁଆ ମାନେ ମନ୍ଦିର ଭିତରେ ପ୍ରବେଶ କରି ମାଙ୍କୁ ସ୍ତୁତି କରନ୍ତି। ମାଙ୍କ ପୂଜାପଣ୍ଡା ତାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ସେମାନେ ଆସି ଘଟକଳସକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ସମ୍ମୁଖରେ ବେଢ଼ା ରେ ନୃତ୍ୟ କରିଥାନ୍ତି। ଅପର ପକ୍ଷରେ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ଆସି ସିଂହଦ୍ଵାର ସମ୍ମୁଖରେ ଛିଡ଼ା ହୋଇଥାନ୍ତି। ପାଳିଆ ପଣ୍ଡା ସେବକ ସେମାନଙ୍କୁ ମାଙ୍କ ଲାଗି ଆଜ୍ଞାମାଳ ପ୍ରଦାନ କରିବା ପରେ ସମସ୍ତେ ସିଂହଦ୍ବାର ସମ୍ମୁଖରେ ପାଟୁଆ ନୃତ୍ୟ ପରିବେଷଣ କରିଥାନ୍ତି। ପ୍ରଥମ ରୁ ଚାରିପାଳି ସମସ୍ତ ମଙ୍ଗଳବାର ଦିନ ପାଟୁଆ ନୃତ୍ୟ ପରିବେଷଣ ହୋଇ ଥାଏ। ଚୈତ୍ର ମାସ ପଞ୍ଚମ ଅବା ବୈଶାଖ ମାସ ପ୍ରଥମ ମଙ୍ଗଳବାର ଦିନ ପାଟୁଆ ମାନେ ମନ୍ଦିର ସମ୍ମୁଖରେ ନିର୍ମିତ ରଡ଼ ନିଆଁ ପୂର୍ଣ୍ଣ ଗର୍ତ୍ତ ମଧ୍ୟରେ ଖାଲି ପାଦରେ ମୁଣ୍ଡରେ ଘଟକଳସ ମୁଣ୍ଡାଇ ଚାଲିଥାନ୍ତି। ଏହାକୁ ହିଁ ଝାମୁ ଯାତ୍ରା କୁହା ଯାଇଥାଏ। ଅପର ପକ୍ଷରେ ମା ‘ଙ୍କ ଜୈନିକ ଖାମାରେଇ ସେବକଙ୍କ ଦ୍ଵାରା ତୃତୀୟ,ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ବିଳମ୍ବିତ ରାତିରେ କାଳୀକା ନୃତ୍ୟ ପରିବେଷଣ କରାଯାଇଥାଏ। ମା ‘ ମଙ୍ଗଳାଙ୍କ ଝାମୁଯାତ୍ରା ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାଳନ ନ ହୋଇ ଚୈତ୍ର ମାସ ପଞ୍ଚମ ଅବା ବୈଶାଖ ମାସ ପ୍ରଥମ ମଙ୍ଗଳବାର ଦିନ ପାଳନ ହେବା ସମ୍ପର୍କ ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। ଯଯାତି କେଶରୀ ଯେଉଁ ସମୟରେ ରାଜା ଥିଲେ ସେହି ସମୟର ଘଟଣା। ସେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ସୁବର୍ଣ୍ଣପୁର ଠାରେ ପାତାଳୀ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଟି ତଳୁ ଉଦ୍ଧାର କରିବା ପରେ ଶ୍ରୀ ଜିୟୁ ମାନଙ୍କର ନବ କଳେବରର ଆବଶ୍ୟକ ପଡ଼ିଥିଲା। ଶ୍ରୀ ଜିୟୁ ମାନଙ୍କ ନବକଳେବର ଉତ୍ସବ ପାଳନରେ ମା ‘ ମଙ୍ଗଳା ଙ୍କର ରହିଛି ସ୍ଵତନ୍ତ୍ର ଭୂମିକା। କେଉଁ ମହାଦାରୁରେ ଶ୍ରୀ ଜିୟୁ ମାନଙ୍କ ବିଗ୍ରହ ନିର୍ମାଣ ହେବ ତାହା ଦଇତାପତି ସେବକ ମାନଙ୍କୁ ମା’ ମଙ୍ଗଳା ସ୍ବପ୍ନ ରେ ବତାଇ ଦେଇ ଥାନ୍ତି। ଏଣୁ ନବକଳେବର ଉତ୍ସବ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥିଲେ। ସେହି ସମୟରେ ରାଜାଙ୍କୁ ଖବର ମିଳିଲା କି, ମା ମଙ୍ଗଳା ଦେଉଳିମଠ (ମା ‘ ମଙ୍ଗଳାଙ୍କ ପ୍ରଥମ ପୁଜା ପାଉଥିବା ସ୍ଥାନ)ରେ ନାହାଁନ୍ତି। କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । କଣ କରାଯିବ ? ମା ମଙ୍ଗଳା ଙ୍କ ବିନା ଶ୍ରୀ ଜିୟୁ ମାନଙ୍କ ନବକଳେବର ଉତ୍ସବ ପାଳନ ହେବ କିପରି ? କିଏ ବତାଇ ଦେବ ମହାଦାରୁ ମାନଙ୍କ ଠିକଣା। ଚିନ୍ତା ରେ ପଡ଼ିଲେ ରାଜା। ରାଜ ପରିଷଦ ବୈଠକ ଡକାଗଲା। ଏ ବିଷୟରେ ସବୁ ପ୍ରକାରର ଆଲୋଚନା ହେଲା। ନିଷ୍ପତ୍ତି ନିଆଯାଇଥିଲା ଯେ, ସେ ସମୟରେ ପୁରୀ ଶ୍ରୀ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ତାନ୍ତ୍ରିକ ହଟ ଦିକ୍ଷୀତ ଓ ବଟ ଦିକ୍ଷୀତ ଦୁଇ ଭାଇଙ୍କୁ ମା’ ମଙ୍ଗଳାଙ୍କ ସନ୍ଧାନ ର ଦାୟୀତ୍ବ ଦିଆଯିବ। ସେମାନେ ତୁରନ୍ତ କାକଟପୁର ଯାଇ ମା’ ମଙ୍ଗଳାଙ୍କୁ ଠାବ କରିବାକୁ ରାଜା ନିର୍ଦ୍ଦେଶ ଦେଇଥିଲେ। ଏହି ତାନ୍ତ୍ରିକ ଦୁଇ ଭାଇ ହଟ ଦିକ୍ଷୀତ ଓ ବଟ ଦିକ୍ଷୀତ କାକଟପୁର ଆସି ପ୍ରାଚୀ ନଦୀ କୂଳ (ବର୍ତ୍ତମାନର ଘଣ୍ଟ ତୋଳା ତୁଠ, ଯେଉଁ ସ୍ଥାନରୁ ଘଣ୍ଟପାଟୁଆ କାଳେସୀ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ପାଣି ତୋଳି ଘଟ କଳସ ପୂଜା କରିଥାନ୍ତି)ରେ ଚୈତ୍ର ମାସ ର ପ୍ରଥମ ମଙ୍ଗଳବାର ଦିନ ଯଜ୍ଞ ଆରମ୍ଭ କରିଥିଲେ। ଯଜ୍ଞ ଚାଲିଥାଏ, ଦୁଇ ଭାଇ ମା ‘ମଙ୍ଗଳା ଙ୍କୁ ସ୍ତୁତି କରି ଚାଲିଥାନ୍ତି। ଏହିପରି ୪ ମଙ୍ଗଳବାର ଗତ ହୋଇଗଲା କିନ୍ତୁ ମା ‘ ମଙ୍ଗଳାଙ୍କ ସମ୍ପର୍କ ରେ କିଛି ବି ଜଣା ପଡିଲାନି। ସେ ବନ୍ୟାରେ ପ୍ରାଚୀ ନଦୀର ପ୍ରଖର ସ୍ରୋତରେ କେଉଁଆଡେ ଭାସି ଯାଇଛନ୍ତି ନା ତାଙ୍କୁ କେହି ଚୋରାଇ ନେଇଛି କିଛି ନ ଜାଣି ପାରି ଚିନ୍ତିତ ହୋଇପଡ଼ିଲେ ଦୁଇ ତାନ୍ତ୍ରିକ ଭାଇ। ସେପଟେ ରାଜା ବାରମ୍ବାର ଆଦେଶ ଜାରି କରୁଥାନ୍ତି ତୁରନ୍ତ ମା ‘ ମଙ୍ଗଳାଙ୍କୁ ଠାବ କରିବାକୁ। ସାରା ଶ୍ରୀ କ୍ଷେତ୍ର ପୁରୀ ରେ ସେମାନଙ୍କର ଯେଉଁ ସୁନାମ ରହିଛି ତାହା ମାଟି ରେ ମିଶିଯିବ।ଏତେ ଜ୍ଞାନ, ପୁଜାପାଠ, ତନ୍ତ୍ର ସାଧନା କରି ମଧ୍ଯ ସେମାନେ ମା’ ମଙ୍ଗଳାଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି। ଏହି ଶୋଚନା କରି ଦୁଇ ତାନ୍ତ୍ରିକ ଭାଇ ଏକ ଚରମ ନିଷ୍ପତ୍ତି ନେଇଥିଲେ ।ସେମାନଙ୍କ ର ମାନ, ସମ୍ମାନ, ଇଜ୍ଜତ, ସୁନାମ ମାଟି ରେ ମିଶିବା ଆଗରୁ ଲୋକମାନେ ତାଙ୍କ ଉପରୁ ବିଶ୍ଵାସ ହରାଇବା ପୁର୍ବରୁ ସେମାନେ ଯଜ୍ଞ ର ଅଗ୍ନିକୁଣ୍ଡ ରେ ଆତ୍ମ ବିସର୍ଜନ ଦେବାକୁ ଉଭୟ ସ୍ଥିର କରି ପଞ୍ଚମ ମଙ୍ଗଳବାର ଦିନ ଆତ୍ମ ବିସର୍ଜନ କରିବାକୁ ଉଦ୍ୟତ ହୁଅନ୍ତେ ଦୈବୀବାଣୀ ହୋଇଥିଲା। ” ମୁଁ ଦେବୀ ସର୍ବ ମଙ୍ଗଳା କହୁଛି, ତୁମ ଦୁଇ ଭାଇ ଙ୍କ ଭକ୍ତି, ନିଷ୍ଠା ଓ ପୁଜାର୍ଚ୍ଚନା ରେ ମୁଁ ସନ୍ତୁଷ୍ଟ ହୋଇଛି। ଯଜ୍ଞକୁଣ୍ଡ ର କଳସ ରେ ଯେଉଁ ମନ୍ଦାର ଫୁଲମାଳ ଲାଗି ହୋଇଛି ସେହି ମାଳ ନେଇ ମତେ ସ୍ମରଣ କରି ପ୍ରାଚୀ ନଦୀ ଜଳ ରେ ଭସାଇଦିଅ । ମନ୍ଦାର ଫୁଲ ମାଳ ଟି ଭାସି ଯାଇ ଯେଉଁଠି ଭଉଁରୀ କାଟିବ ସେହିଠାରେ ବୁଡ଼ ପକାଇଲେ ମୋ ମୂର୍ତ୍ତି କୁ ପାଇବ। ତୁମେ ଦୁଇ ଭାଇ ଆଉ ତୁମ ଅନ୍ତେ ତୁମ ପର ପିଢ଼ି ମୋ ପୂଜାର୍ଚ୍ଚନା କରିବେ।” ତାନ୍ତ୍ରିକ ଦୁଇ ଭାଇ ହଟ ଆଉ ବଟ ଦୈବୀ ବାଣୀ ଅନୁସାରେ ମନ୍ଦାର ଫୁଲ ମାଳ ନେଇ ପ୍ରାଚୀ ନଦୀ ସ୍ରୋତ ରେ ଭସାଇଥିଲେ। ଫୁଲମାଳ ପ୍ରାଚୀ ନଦୀ ର ଯେଉଁଠି ଅଟକି ଥିଲା ସେଠାରେ ଦୁଇ ଭାଇ ବୁଡ଼ପକାଇ ମା ଙ୍କ କମନୀୟ ବିଶାଳ ମୂର୍ତ୍ତି ଙ୍କୁ ଉଦ୍ଧାର କରି ଥିଲେ। ଏହି ଖବର ପାଇ ରାଜା ତାନ୍ତ୍ରିକ ଦୁଇ ଭାଇ ଙ୍କ ଉପରେ ଖୁସି ହୋଇ ତାଙ୍କୁ ବହୁତ ପୁରସ୍କାର ପ୍ରଦାନ କରିବା ସହିତ ମା ଙ୍କ ପୂଜାର୍ଚ୍ଚନା ର ଦାୟୀତ୍ବ ନ୍ୟସ୍ତ କରିଥିଲେ। ମା ‘ମଙ୍ଗଳା ଙ୍କ ସେବା ପୂଜା ପାଇଁ ନିଶୁଳ୍କ ଜମି ବାଡ଼ି ଖଞ୍ଜା କରି ଦେଇଥିଲେ। ମହାପ୍ରଭୁ ଙ୍କ ନବକଳେବର ଉତ୍ସବ ଯଥାବିଧି ପାଳିତ ହୋଇଥିଲା। ତଦନୁସାରେ ସେହିଦିନ ଠାରୁ ଦିକ୍ଷୀତ ପୂଜକ ମାନେ ବଂଶାନୁକ୍ରମେ ମା’ ମଙ୍ଗଳା ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ପରେ ଭୋଦର ଗ୍ରାମ ର ରାୟ ଚୂଡାମଣି ଜମିଦାର ମା ଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏହି ସବୁ କାରଣରୁ ଚୈତ୍ର ମାସରେ ପ୍ରତି ମଙ୍ଗଳବାର ମା ଙ୍କ ମନ୍ଦିର ରେ ଚୈତ୍ର ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚୈତ୍ର ପଞ୍ଚମ ମଙ୍ଗଳବାର ଅବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳା ଙ୍କ ଆବିର୍ଭାବ ଦିବସ ଅବସର ରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି। ରାଜ୍ୟ ର ବିଭିନ୍ନ ଦେବୀ ପୀଠ ଠାରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ କେବଳ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଙ୍କ ମନ୍ଦିର ରେ ଦୋଳ ପୂର୍ଣ୍ଣିମା ପର ପଞ୍ଚମ ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁଯାତ୍ରା ପାଳିତ ହୋଇଆସୁଛି। ଏଣୁ ଚୈତ୍ର ମାସରେ ମା ମଙ୍ଗଳା ଙ୍କ ମନ୍ଦିର ରେ ଘଣ୍ଟପାଟୁଆ ଙ୍କ ନୃତ୍ୟ ପରିବେଷଣ , କାଳୀକା ନୃତ୍ୟ ଓ ଝାମୁ ଉତ୍ସବ ପାଳନ ଏକ ଅନନ୍ୟ ପରମ୍ପରା ଭାବେ ପାଳିତ ହୋଇଆସୁଛି କାହିଁ କେତେ ଯୁଗରୁ। ମା ମଙ୍ଗଳା ସମସ୍ତ ଙ୍କ ର ମଙ୍ଗଳ କରନ୍ତୁ। ଜୟ ମା ମଙ୍ଗଳା।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮