ମାସ ମାସ ଧରି ଆସୁନାହାନ୍ତି ଶିକ୍ଷକ, ଶିକ୍ଷାଦାନରେ ବାଧା

ହାଟଡିହି, (ବିକାଶ ବିଶ୍ୱାଳ):ଉପଯୁକ୍ତ ତଦାରଖ ଅଭାବରୁ ହାଟଡିହି ବ୍ଲକ ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ବିଭାଗରେ ତୃଣମୂଳ ସ୍ତରରେ ତଦାରଖ ପାଇଁ ସି.ଆର.ସି.ସି. ଠାରୁ ଆରମ୍ଭ କରି ଏ.ବି.ଇ.ଓ ଏବଂ ବି.ଇ.ଓ ପର୍ଯ୍ୟନ୍ତ ଅଧିକାରୀ ନିଯୁକ୍ତ ଥିବାବେଳେ ସ୍କୁଲ ପରିଦର୍ଶନ ହେଉନଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶିବନାରାୟଣପୁର ସ୍କୁଲରେ। ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ମୋଟ ୨୧୨ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮ ଜଣ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜଣେ ଶିକ୍ଷୟତ୍ରୀ ମାସ ମାସ ଧରି ସ୍କୁଲ ନ ଆସିବା ବେଳେ ଆଉ ଜଣେ ଶିକ୍ଷକଙ୍କ ବଦଳି ହୋଇଯିବା କାରଣରୁ ଶିକ୍ଷାଦାନରେ ଘୋର ବାଧା ଉପୁଜୁଛି। ଏଠାରେ ନିଯୁକ୍ତି ପାଇଥିବା ସୌମ୍ୟା ସୁଚ଼ରିତା ସ୍ୱାଇଁ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି। ଗତ ୧/୯/ ୨୦୨୩ରୁ ୩୧/୩/୨୦୨୪ ପର୍ଯ୍ୟନ୍ତ ପ୍ରସବ କାଳୀନ ଛୁଟି ନେଇଥିବା ବେଳେ ଏପ୍ରିଲ ୧ ତାରିଖରେ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ। ପୁନଶ୍ଚ ୭/୪/ ୨୦୨୪ରୁ ୩୦/୪ ୨୦୨୪ ପର୍ଯ୍ୟନ୍ତ ଛୁଟିରେ ରହିଲେ। ଜୁଲାଇରେ ମଧ୍ୟ ୭ଦିନ ଛୁଟିରେ ରହିଲେ। କିନ୍ତୁ ଅଗଷ୍ଟ ୧ ତାରିଖ ଠାରୁ କେଉଁଆଡ଼େ ଯାଇଛନ୍ତି ଯେ ଆଜି ପର୍ଯ୍ୟନ୍ତ ଆଉ ସ୍କୁଲ ଆସିନାହାନ୍ତି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟ ମାନେ ବାରମ୍ବାର ବ୍ଳକ ଶିକ୍ଷା ଅଧିକାରୀ ଓ ବ୍ଲକ ସହ ଶିକ୍ଷା ଅଧିକାରୀଙ୍କୁ ଜଣାଉଥିଲେ ବି କିଛି ସୁଫଳ ମିଳୁନାହିଁ। ଅଧିକାରୀ ମାନେ କାରଣ ଦର୍ଶାଅ ନୋଟିସ୍ ଜାରି କରିବୁ କରିବୁ କହି ସମୟ ଗଡାଉଥିବା ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଭାକର ଖଣ୍ଡା, ଉପ ସଭାନେତ୍ରୀ ପ୍ରମିଳା ଖଣ୍ଡା, ଯୁଦ୍ଧିଷ୍ଠିର ମିଶ୍ର, ଚିତ୍ତ ରଞ୍ଜନ ମିଶ୍ର, ରମାକାନ୍ତ ସାହୁ, ହରେକୃଷ୍ଣ ଜେନା, ଝୁନୁଲତା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟାଳୟର ଅନ୍ୟଜଣେ ବିଜ୍ଞାନ ଶିକ୍ଷକ ସହମତି ବଦଳି ହୋଇ ଭଦ୍ରକ ଜିଲ୍ଲାକୁ ପଳାଇବା ପରେ ତାଙ୍କ ବଦଳ ଶିକ୍ଷକ ଜଣକ ଆଜିପର୍ଯ୍ୟନ୍ତ ଯୋଗ ଦେଇନଥିବାରୁ ଶିକ୍ଷାଦାନରେ ଘୋର ବାଧା ଉପୁଜିଛି। ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ