ମା ତାରାତାରିଣୀଦେବୀଙ୍କ ମନ୍ଦିରର ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ : ୧୮ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମେ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧର ଓନୂତନ ପ୍ରସାଦ ପ୍ରତିଷ୍ଠା ମହୋତ୍ସବ-୨୦୨୨ ଅନୁଷ୍ଠିତ ହେବ । ଏଥିଲାଗି ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ମାଁ ତାରା ତାରିଣୀ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଜନସାଧାରଣ ମାନେ କିପରି ସୁରକ୍ଷିତ ଭାବେ ମାଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ମନ୍ଦିର ପରିସରରେ ପାର୍କିଂ, ପାନୀୟ ଜଳ, ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଧାୟକ ମାନଙ୍କ ସହ ନବନିର୍ବାଚିତ ଜନପ୍ରତିନିଧୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଆ ମାନେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ କରାଯାଇଛି । ସେଥି ମଧ୍ୟରେ ଯଜ୍ଞ ମଣ୍ଡପ, ପ୍ରଶାସନିକ ଗୃହ, ମାର୍କେଟ କମ୍ପେ୍ଲକ୍ସ, ଭୋଗ ବଣ୍ଟନ ଗୃହ, ଦୀପ ଘର ଆଦି ନିର୍ମାଣ କରାଯାଇଛି । ଏହା ବ୍ୟତୀତ ମନ୍ଦିର ର ସୌନ୍ଧର୍ଯ୍ୟକରଣକୁ ବୃଦ୍ଧି କରିବା ପାଇଁ ବୃକ୍ଷରୋପଣ ଆଦି କରାଯାଇଛି । ୧୫ ତାରିଖରେ ମନ୍ଦିର ପରିସରରେ ଦୀକ୍ଷା ଗ୍ରହଣ, ଅକୁରାରୋପଣ କାର୍ଯ୍ୟକ୍ରମ ରହିଥିବା ବେଳେ ୧୬ ତାରିଖରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର,ସାଲା ସଂସ୍କାର ଓ ପୂଜା ହୋମ କାର୍ଯ୍ୟକ୍ରମ କରାଯୀବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ୧୭ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡିପାଠ, ମହାରୁଦ୍ରାଭିଷେ. ଧ୍ୱଜ, ତ୍ରିଶୂଳ, ପାଶ୍ୱର୍ ଦେବା ଦେବୀଙ୍କ ସପ୍ତାଧିବାସ, ଧାନ୍ୟାଧିଭାସ ଆଦି କାର୍ଯ୍ୟକ୍ରମ କରାଯିବାକୁ ଥିବା ବେଳେ ୧୮ ତାରିଖ ଦିନ ସୂର୍ଯ୍ୟପୂଜା ସହ ମଣ୍ଡଳ ଦେବତା ପୂଝା, ହୋମ, ଦଶ ମହାବିଦ୍ୟା, ଯଜ୍ଞ ଓ ପୁରଷ୍କରଣ, ତ୍ରିଶୂଳ, ଧ୍ୱଜ, ମହାଧୀଜଙ୍କ ପାଇଁ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା ୧୯ ତାରିଖ ଦିନ ସୂର୍ଯ୍ୟପୂଜା ସହ ଦେବତା ତଥା ଆୟୁଦ୍ଧ ଧ୍ୱଜମାନଙ୍କ ନ୍ୟାସ ଏବଂ ୨୦ ତାରିଖ ଦିନ ଧ୍ୱଜ, ତ୍ରିଶୂଳ, ପାଶ୍ୱର୍ଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ମହାଧୂଜଙ୍କ ଭ୍ରମଣ ଓ ସମର୍ପଣ, ଅଖଣ୍ଡ ନାମଯକ୍ଷ ଓ ଘୃତଯଜ୍ଞ ର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥୀବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ. ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଅତିରିକ୍ତ ଏସପି ପି.କେ. ଦଳାଇ, ଡିଏସପି ଅଜୟ କୁମାର ମିଶ୍ର, ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ମାନସ ରଂଜନ ସାହୁ , ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।