ମା’ ମହୁରୀକାଳୁଆଙ୍କୁ ଆରାଧନା : ଯାତ୍ରା ସକାଶେ ଆଙ୍କୋରଡ଼ା ଉତ୍ସବମୁଖର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ମା’ ମହୁରୀ କାଳୁଆଙ୍କ ୪୦ ତମ ଯାତ୍ରା ମହୋତ୍ସବ ଅଷ୍ଟଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ରବିବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ରବିବାର ମା’ଙ୍କୁ ମହୁରୀକାଳୁଆ ପୀଠରୁ ସ୍ବାଗତ ସମ୍ବର୍ଦ୍ଧନା କରି ଅଣାଯିବା ପରେପରେ ଶାଲା ସଂସ୍ମାର କରାଯାଇଥିଲା । ପରେ ମା’ଙ୍କୁ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମର ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରାଯାଇଥିଲା । ଯାତ୍ରାତ୍ସୋବ ସକାଶେ ଗ୍ରାମକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ସନ୍ଧ୍ୟାରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ମା’ଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ବାଦ୍ୟ ବାଜଣା, ଘଣ୍ଟ, କାହାଳୀର ତାଳେ ତାଳେ ମା’ ମହୁରୀକାଳୁଆଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ତୃତୀୟ ଦିବସ ମଙ୍ଗଳବାର ଦିନ ଅଧିବାସ ଓ ୨୪ ପ୍ରହର ନାମଯଜ୍ଞ ଆରମ୍ଭ, ଷଷ୍ଠ ଦିବସ ଶୁକ୍ରବାର ଦଧିଭାଣ୍ଡ ଭଗ୍ନ, ନାମଯଜ୍ଞ ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ ସହ ପ୍ରସାଦ ସେବନ, ସପ୍ତମ ଦିବସ ଶନିବାର ଘୃତଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଅନ୍ତିମ ଦିବସ ରବିବାର ଦିନ ମହୁରୀକାଳୁଆ ମା’ଙ୍କୁ ମେଲାଣି ଦିଆଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଯାତ୍ରା ପରିଚାଳନା କମିଟି ସଭାପତି ନିଳମଣି ପଟ୍ଟନାୟକ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ସୁନିଲ ନାହାକ, ପ୍ୟାରୀ ମୋହନ ପାଢି, ସମ୍ପାଦକ କିରଣ ନାହାକ, ଯୁଧିଷ୍ଟିର ସ୍ୱାଇଁ, ଯୋଗିନ୍ଦ୍ର ଖାଡ଼ଙ୍ଗା, ସନାତନ ନାହାକ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ବିଜୟ ନାହାକ, ରାଜାରାମ ସ୍ୱାଇଁ, ସନ୍ତୋଷ ମହାରଣାଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କ ଘଟ ପରିକ୍ରମା ସମୟରେ ଉପସ୍ଥିତ ରହି ପ୍ରଭୂକୃପା ଲାଭ କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗ୍ରାମରେ ସ୍ଵଛତା ପ୍ରତି ସ୍ବତନ୍ତ୍ର ଗୁରୁତ୍ଵ ପ୍ରଦାନ କରାଯାଇଥିଲା ଏବଂ ଓ୍ବାଟୋକ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ