ମିଥ୍ୟା ଅଭିଯୋଗ ବିରୁଦ୍ଧରେ ଏସିପଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରାମପୁର ଗ୍ରାମରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି । ଉକ୍ତ ଗ୍ରାମରେ ପ୍ରାୟ ୨୦ଘରରୁ ଅଧିକ ହରିଜନ ପରିବାର ବସବାସ କରୁଥିବାବେଳେ ଦୀର୍ଘଦୀନ ହେବ ସବୁଦିନିଆ ରାସ୍ତାଟିଏ ହୋଇପାରୁନାହିଁ । ଗ୍ରାମ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ବ୍ୟକ୍ତିଗତ ଜାଗା ପଡୁଥିବାରୁ ଏହା ସମସ୍ତଙ୍କୁ ସମସ୍ୟାରେ ପକାଉଛି । ତେଣୁ ଗାଁଲୋକେ ରାସ୍ତା ଖଣ୍ଡେ ପାଇଁ ବ୍ୟକ୍ତିଗତ ଜାଗା ଛାଡିବାକୁ ଏକ ଲିଖିତ ଅଧିବେଶନ ମାଧ୍ୟମରେ ସ୍ଥିର କରିଥିଲେ । ପରେ ରାସ୍ତାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାମର ସୁରେନ୍ଦ୍ର ଜେନା ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ନାମରେ ଭଣ୍ଡାରିପୋଖରୀ ଥାନାରେ ମିଥ୍ୟା ଅଭିଯୋଗ ମାନ କରୁଥିବା ଜଣାଯାଇଛି । ଯଦିଓ ସୁରେନ୍ଦ୍ରଙ୍କ ଭାଈ ନଟବର ଓ ପୁଅ ବିଜୟାନନ୍ଦ ରାସ୍ତା ନିର୍ମାଣ ପାଇଁ ଲିଖିତ ଅଧିବେଶନରେ ସ୍ୱୀକୃତି ଦେଇଥିଲେ । ସୁରେନ୍ଦ୍ର ଯୋଜନା ବଦ୍ଧ ଭାବେ ଥାନାରେ ଗ୍ରାମବାସୀମାନେ ତାଙ୍କୁ ଧମକଚମକ ମାନ ଦେଉଥିବା ଅଭିଯୋଗ କରୁଥିବାବେଳେ ରାସ୍ତାକାର୍ଯ୍ୟ ବନ୍ଦ ପାଇଁ ସିଭିଲ କୋର୍ଟରେ ମଧ୍ୟ ଆଶ୍ରୟ ନେଇଛନ୍ତି । ମିଥ୍ୟା ଅଭିଯୋଗକୁ ଭିତ୍ତିକରି ବାରମ୍ବାର ଥାନା ପକ୍ଷରୁ ଗ୍ରାମବାସୀଙ୍କୁ ଜେରା କରାଯାଉଛି । ପରିଶେଷରେ ଆଜି ମିଥ୍ୟା ଅଭିଯୋଗକୁ ନେଇ ଗ୍ରାମବାସୀ ଦିନବନ୍ଧୁ ଜେନା, ଆରତ କୁମାର ଜେନା, ବିଣ୍ଣୁ ଜେନା, ଇନ୍ଦ୍ରମଣୀ ମହାପାତ୍ର, କାହ୍ନୁ ଜେନା, କୈଳାସ ଜେନା, ଦିନବନ୍ଧୁ ମଲ୍ଲିକ ପ୍ରମୁଖ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।