ମିଲର ଆସୁନି ଚାଷୀ ହନ୍ତସନ୍ତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ନଅଗୋଟି ସମବାୟ ସମିତି ସହିତ ପାଞ୍ଚଗୋଟି ଏସଏଚଜି ମହିଳା ଗୋଷ୍ଠୀ ହାତକୁ ସରକାର ଧାନକିଣା ଦାୟିତ୍ୱ ଦେଇଛନ୍ତି । ମିଲରମାନେ କେଉଁଭଳି ଠିକ ସମୟରେ ମଣ୍ଡିରେ ପହଞ୍ଚି ଚାଷୀଙ୍କ ଧାନକୁ ମିଲକୁ ଆଣିବେ ସେନେଇ ମଧ୍ୟ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା ହୋଇଛି । ଏସବୁ ସତ୍ତ୍ୱେ ମିଲର ମାନଙ୍କ ମନମାନୀ ଯୋଗୁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୂଚନା ମୁତାବକ ଜଳମଣ୍ଡୁଆ ସେବା ସମବାୟ ସମିତିରେ ଚଳିତବର୍ଷ ପ୍ରାୟ ୮୦୦ଜଣ ଚାଷୀ ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ମଣ୍ଡି ଉଦଘାଟନ ସହିତ ପ୍ରଥମ ପର୍ଯ୍ୟାୟରେ ଯେଉଁ ମିଲକୁ ସମିତି ସହିତ ସଂଯୁକ୍ତ କରାଯାଇଥିଲା ସେ ଧାନ ଉଠେଇ ସାରିଲେଣି । ଏହାପରେ ଆହୁରି ଚାରିଗୋଟି ମିଲ ସମିତିରୁ ଧାନ ଆଣିବା ପାଇଁ ଚୁକ୍ତି କରିଥିଲେ ସୁଦ୍ଧା ଗୋଟିଏ ମିଲ ବନ୍ଦ ହୋଇଯାଇଥିବାବେଳେ ଅନ୍ୟ ତିନିଗୋଟି ମିଲ ଏଯାଏଁ ଚାଷୀଙ୍କ ଧାନ ନେବା ପାଇଁ ନାଁ ଧରୁ ନହାଁନ୍ତି । ଅଦ୍ୟାବଧି ୧୫ଦିନ ହେବ ଟୁକନ ପ୍ରାପ୍ତ ହୋଇଥିବା ଚାଷୀମାନେ ଧାନ ଦେବା ପାଇଁ କହୁଥିଲେ ସୁଦ୍ଧା ମିଲର ନଆସିବା କାରଣରୁ ସମିତି କତ୍ତୃପକ୍ଷ ନାଚାର ହୋଇଯାଇଛନ୍ତି । ଗୋଦମ ଗୃହରେ ୯୮୩.୩୯କୁଇଁଣ୍ଟାଲ ଧାନ ଗଚ୍ଛିତ ଥିବାବେଳେ ଅନେକ ଚାଷୀ ମଧ୍ୟ ଧାନ ଆଣି ବାହାରେ ଗଦା କରିଛନ୍ତି । ପ୍ରାୟ ୨୦/୨୫ରାଜସ୍ୱ ଗ୍ରାମର ଚାଷୀ ଧାନ ଦେବା ପାଇଁ ଅନାଇ ବସିଥିବାବେଳେ ସମିତି ସହିତ ସମ୍ବଲପୁର ଜିଲ୍ଲାର ଚୁକ୍ତି କରିଥିବା ତିନିଗୋଟି ମିଲର ଧରାଛୁଆଁ ଦେଉନାହାଁନ୍ତି । ଆଜି ଚାଷୀ ଶ୍ରୀଧର ପରିଡା, ପ୍ରମୋଦ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ମହାପାତ୍ର, ସୁଦର୍ଶନ ବେହେରା, ଅଭିମନ୍ୟୁ ରାଉତ ପ୍ରମୁଖ ସମିତିକୁ ଆସି ଧାନ ବିକ୍ରୟ କରିନପାରି ନିରାଶ ହୋଇଛନ୍ତି । ସମ୍ପାଦକ ଜୟନ୍ତ ଭୋଇ ଏସମ୍ପର୍କରେ ଜିଲ୍ଲାପାଳଙ୍କ ସମେତ ଯୋଗାଣ ଅଧିକାରୀ ଓ ସମବାୟ ସହ ଉପନିବନ୍ଧକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ସାରିଛନ୍ତି । ଚୁକ୍ତିବଦ୍ଧ ହୋଇଥିବା ମିଲରମାନେ ଯଦି ସମିତିରୁ ଧାନ ନନିଅନ୍ତି ତାହେଲେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ