ମିଶନାରୀ ସଂସ୍ଥାକୁ ଆର୍ଥିକ ସହାୟତା ସରକାରଙ୍କର ହିନ୍ଦୁ ବିିରୋଧୀ ଓ ସମ୍ବିଧାନ ବିରୋଧୀ ମାନସିକତା ଲୁଚି ରହିଛି : ଭିଏଚ୍‌ପି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗତ ଜାନୁଆରୀ ୪ ତାରିଖରେ ରାଜ୍ୟ ସରକାର ମିଶନାରୀ ଅଫ୍ ଚାରିଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଯାହା ହିନ୍ଦୁ ବିରୋଧୀ ବୋଲି ବିଶ୍ୱହିନ୍ଦୁ ପରିଷଦ ଦୃଢ ବିଶ୍ୱାସ କରୁଛି । ସରକାରଙ୍କର ଏପରି କାର୍ଯକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ ନିନ୍ଦା କରୁଛି । ବିଶ୍ୱିହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରି କହିଲେ ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ କରିଥିବାର ଅନେକ ସୂତ୍ର ଉପଲବ୍ଧ ଥିବା ସତ୍ୱେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଏହାର ଏକମାତ୍ର କାରଣ ଇସାଇ ମତାବଲମ୍ବିଙ୍କ ପ୍ରତି ଅନୁକମ୍ପା ଓ ତୁଷ୍ଟିକରଣ । ଓଡିଶାରେ ମିଶନାରୀମାନଙ୍କ ଦ୍ୱାରା ଧର୍ମାନ୍ତରୀକରଣ ପ୍ରକ୍ରିୟା ଅବାଧ ଭାବରେ ଚାଲୁଅଛି । ଓଡିଶା ବିଧାନ ସଭାରେ ପାରିତ ହୋଇଥିବା ଧର୍ମାନ୍ତରୀକରଣ ନିରୋଧ ଆଇନକୁ ସରକାର ପାଳନ କରିବାର ଆନ୍ତରିକତା ପ୍ରଦର୍ଶନ କରୁନାହାଁନ୍ତି । ଏମିତି ଅନେକ ଘଟଣା ଅଛି ଯାହା ପ୍ରମାଣିତ କରୁଛି ଯେ ରାଜ୍ୟ ସରକାର ପାଖାପାଖି ତିନି ପ୍ରତିଶତ ଇସାଇଙ୍କ ପାଇଁ ୯୪ ପ୍ରତିଶତ ହିନ୍ଦୁଙ୍କୁ ବାରମ୍ବାର ଆଘାତ ଦେଇ ଚାଲିଛନ୍ତି । ଯାହାର ସଦ୍ୟତମ ଉଦାହରଣ ହେଉଛି ଓଡିଶା ଭଳି ଏକ ଗରିବ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ଅର୍ଥକୁ ମିଶନାରୀମାନଙ୍କ ହାତକୁ ଟେକି ଦିଆଯାଇଛି । ମିଶନାରୀ ଅଫ୍ ଚାରିଟି ସଂସ୍ଥା ବିରୋଧରେ ଅନେକ ଅପରାଧିକ ମାମଲା ବିଷୟ ଜନମାନସରେ ଚର୍ଚ୍ଚା ହେଉଛି । ପିଲା ବିକ୍ରି ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ କରିବା ପର୍ଯ୍ୟନ୍ତ ଅନେକ ଅଭିଯୋଗ ଆସିଛି । ଏଭଳି ଏକ ସଂସ୍ଥାକୁ ଅର୍ଥ ପ୍ରଦାନ କରି ରାଜ୍ୟ ସରକାର ନିଜର ନୈତିକ ଅଧୋପତନର ପରିଚୟ ଦେଇଛନ୍ତି । ଅନ୍ୟ ପକ୍ଷରେ କୋଭିଡ ସମୟରେ ଦୟନୀୟ ଜୀବନ ବିତାଉଥିବା ମନ୍ଦିରର ପୂଜକମାନଙ୍କୁ ଓଡିଶା ସରକାର କୌଣସି ଅନୁଦାନ ପ୍ରଦାନ କରିନାହାଁନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମଠ ମନ୍ଦିର ପାଇଁ ସରକାରଙ୍କ ଚିନ୍ତା ନାହିଁ । ସମାଜରେ ବାଳାଶ୍ରମ, ଅନାଥାଶ୍ରମ, ଜରାନିବାସ ଆଦି ଅନେକ ସଂସ୍ଥା ଆର୍ôଥକ ଦୁର୍ଗତି ଦେଇ ଗତି କରୁଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠିରୁ ସେମାନଙ୍କୁ କେବେ ସହଯୋଗର ହାତ ବଢାଇଛନ୍ତି କି ? ଅଥଚ ମିଶନାରୀମାନଙ୍କୁ ସରକାର ନିଜ ଆଡୁ ଅଯାଚିତ ଭାବରେ ଏହି ଅର୍ଥ ପ୍ରଦାନ କରିବା ପକ୍ଷପାତିତାର ପରିଚୟ ଅଟେ । ଅନେକ ହିନ୍ଦୁ ସଂସ୍ଥାମାନଙ୍କ ସହ ଓଡିଶା ସରକାର ପକ୍ଷପାତିତା ବିଚାର କରି ସରକାରୀ ଅନୁଦାନ ବନ୍ଦ କରୁଥିବା ସମୟରେ ମିଶନାରୀ ସଂସ୍ଥାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମାଗିବା ପୂର୍ବରୁ ପ୍ରଦାନ କରିଥିଲେ, ଏହା ହିନ୍ଦୁମାନଙ୍କ ପ୍ରତି ଅପମାନ ନୁହେଁ କି ? ସରକାରଙ୍କର ଏପରି ହିନ୍ଦୁ ବିରୋଧୀ ସର୍ବୋପରି ଓଡିଶା ବିରୋଧୀ ମାନସିକତାକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ ବିରୋଧ କରୁଛି । ଓଡିଶାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ କରୁଛି ଯେ, ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ହେବାକୁ ଥିବା ବୈଚାରୀକ ଆନ୍ଦୋଳନରେ ସାମିଲ ହୋଇ ଓଡିଶାର ହିତସାଧନରେ ସହଯୋଗ କରନ୍ତୁ । ସରକାରଙ୍କୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରନ୍ତୁ ଓ ହିନ୍ଦୁ ବିରୋଧୀ,ଇସାଇମାନଙ୍କୁ ପ୍ରୋତ୍ସାହନ ଦେବାର କାର୍ଯ୍ୟକଳାପ ବିରୋଧରେ ବିଶ୍ୱହିନ୍ଦୁ ପରିଷଦ ସମାଜକୁ ଜାଗ୍ରତ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ସପନ ମୁଖାର୍ଜି, ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ କୁମାର ମିଶ୍ର, ଉପ-ସଭାପତି ପ୍ରଶାନ୍ତ ପଣ୍ଡା,ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ, ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ ଓ ରାଜ୍ୟ ସହସଂପାଦକ ଉମାଶଙ୍କର ଆଚାର୍ଯ୍ୟ ପ୍ରମୁଖ ବିଶ୍ୱହିନ୍ଦୁ ପରିଷଦର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ