ମିଶନ ଶକ୍ତି ଗୃହ: ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଂଜୁର
ଭୁବନେଶ୍ୱର, (ୱାଇଏନ୍ଏସ୍): ନିଆଳି ଗ୍ରାମପଂଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛି । ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି । ସାରା ରାଜ୍ୟର ଗ୍ରାମ ପଂଚାୟତଗୁଡ଼ିକରେ ମିଶନ ଶକ୍ତି ଗୃହଗୁଡ଼ିକ ଏବେ ପାଲଟିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଏସ୍ଏଚ୍ଜି ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଆଦିର କେନ୍ଦ୍ରସ୍ଥଳୀ । ଏସ୍ଏଚ୍ଜି ସଦସ୍ୟାମାନେ ଏବେ ଏହି ଗୃହକୁ ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କିତ ସଭାସମିତି ଓ ମାନସମନ୍ଥନ ପାଇଁ ଆସୁଛନ୍ତି । ତା’ସହିତ ଏହି ଭିତିଭୂମିକୁ ମଧ୍ୟ ସେମାନେ ଏକ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ସିଲେଇ ଆଦିରେ ଅଭିଜ୍ଞତା ଥିବା ଏସ୍ଏଚ୍ଜି ସଦସ୍ୟାମାନେ ଏହି ଗୃହଗୁଡ଼ିକୁ ମାସ୍କ ଉତ୍ପାଦନ କେନ୍ଦ୍ରଭାବେ ବ୍ୟବହାର କରିବା ସହ ମାସ୍କ ପ୍ରସ୍ତୁତି କରି ଲୋକମାନଙ୍କୁ ଯୋଗାଇ ଦେଇଥିଲେ । ସ୍ଥାନୀୟ ବ୍ୟବସାୟୀମାନେ ବିଭିନ୍ନ ଉତ୍ପାଦ ସଂପର୍କରେ ଏଠାକୁ ଆସି ପଚାରି ବୁଝିଥା’ନ୍ତି । ସେମାନଙ୍କ ଆବଶ୍ୟକତା ଅନୁସାରେ ଆମେ ନିର୍ଦ୍ଧିଷ୍ଟ ଏସ୍ଏଚ୍ଜି ଉତ୍ପାଦକ ଗୋଷ୍ଠୀ ସହ ଯୋଗାଯୋଗ କରି ବ୍ୟବସାୟ ସଂପର୍କିତ ଆବଶ୍ୟକତାକୁ ସହଜରେ ସଂପାଦିତ କରାଇ ଦେଇଥାଉ ।ଏବେ ଗ୍ରାମ ପଂଚାୟତଗୁଡ଼ିକରେ ଏହି ଗୃହଗୁଡ଼ିକ ପାଲଟିଛି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟ । ଏ କଥା କୁହନ୍ତି କଟକ ଜିଲ୍ଲା ନିଆଳି ଗ୍ରାମ ପଂଚାୟତର ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌଦାମିନୀ ମଲ୍ଲିକ । ଗୋଟିଏ ବର୍ଷତଳେ ନିର୍ମାଣ ହୋଇଥିବା ନିଆଳି ଗ୍ରାମପଂଚାୟତର ଏହି ଗୃହର ପରିଚାଳନା ଦାୟିତ୍ୱ ବିଶ୍ୱକଲ୍ୟାଣୀ ସ୍ୱୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି ।ରାଜ୍ୟ ସରକାର ରାଜ୍ୟର ସହରାଂଚଳର ପ୍ରତି ୱାର୍ଡରେ ଏବଂ ପ୍ରତି ଗ୍ରାମପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି । ଏସ୍ଏଚ୍ଜିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି । ବର୍ତମାନ ସୁଦ୍ଧା ସହରାଂଚଳ ଓ ଗ୍ରାମାଂଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଂଚାୟତ ଏବଂ ସହରାଂଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଂଚାୟତ/ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍ଏଚ୍ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଂଚଳର ସମସ୍ତ ଏସ୍ଏଚ୍ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ । ଏ ଯାବତ୍ ନିର୍ମାଣ ହୋଇସାରିଥିବା ପାଖାପାଖି ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍ଏଚ୍ଜିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଂଚଳର ମହିଳାମାନଙ୍କ ସାମାଜିକ ଓ ଆର୍ଥକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ।ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍?ର ଝରଣୀ ଗ୍ରାମ ପଂଚାୟତରେ ‘ଅଗ୍ରଗତି ଏସ୍ଏଚ୍ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍ଏଚ୍ଜି’କୁ ହସ୍ତାନ୍ତର କରାଯାଇଛି । ଏସ୍ଏଚ୍ଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍ଏଚ୍ଜି ଏବଂ ଗ୍ରାମ ପଂଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି । ଏତଦ୍ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍ଲାଇନ୍ ପଂଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । ପଂଚାୟତସ୍ତରରେ ଏସ୍ଏଚ୍ଜିମାନଙ୍କ ପାଇଁ ଏହି ଭଳି ଭିତିଭୂମି ନିର୍ମାଣ ଓଡ଼ିଶାରେ ଏସ୍ଏଚ୍ଜି ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିପାରିଛି ।ଯଥାର୍ଥରେ ଓମ୍ ମହାଲକ୍ଷ୍ମୀ ଏସ୍ଏଚ୍ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ‘ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖାହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ।


