ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ ନେଇ ୨ୟ ଦିନରେ ଜିଲ୍ଲାପାଳ କଲେ ସମୀକ୍ଷା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ହିଞ୍ଜିଳି ଗସ୍ତ କରି ରୋଡମ୍ୟାପ ପ୍ରସ୍ତୁତ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ । ଦ୍ବିତୀୟ ଦିବସରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗସ୍ତରେ ଆସି ଇନଡୋର ଷ୍ଟାଡିୟମ ରେ ନିର୍ମିତ ହେବାକୁ ଥିବା ଅସ୍ଥାୟୀ ହେଲିପ୍ୟାଡ ବୁଲି ଦେଖିଥିଲେ । ପରେ ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ଉପସ୍ଥିତ ରହି ରୋଡ଼ ମ୍ୟାପ ପ୍ରସ୍ତୁତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ପରଖିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ର ଉନ୍ମୋଚନ କରାଯିବା ସହ ରୂପାନ୍ତରିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିବେ, ଗଞ୍ଜାମ ଦର୍ଶନ ମୋ ବସ୍ ସେବା, ହିଞ୍ଜିଳିକାଟୁ ପୈାର ପରିଷଦ ପକ୍ଷରୁ ନିର୍ମିତ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମଳ ବିଶୋଧନ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ସହିତ ହିଞ୍ଜିଳିକାଟୁ ବ୍ଲକ୍ ଓ ପୈାରାଞ୍ଚଳର ପ୍ରାୟ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ କିପରି ସୁରୁଖୁରୁରେ ସମାପନ ହେବ, ଏଥିପାଇଁ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଜୋରସୋରରେ ପ୍ରସ୍ତୁତି ପର୍ବ ଜାରି ରଖିଥିବା ଦେଖିବାକୁ ମିଳିଛି । ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଶେରଗଡ଼ ବିଡ଼ିଓ ଶମ୍ଭୁନାଥ ନନ୍ଦି, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ପୈାର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ପୈାର କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।