ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କଲେ ଭାରତୀୟ ଜନତା ଦଳ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ଭାରତୀୟ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ର ରାଜ୍ୟର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହେବା ସହ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଜିଲ୍ଲାର ୮ଟି ବ୍ଲକରେ ଭାରତୀୟ ଜନତା ଦଳ ଏହି ପରି ପଦକ୍ଷେପ ଗ୍ରହଣ କରିଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କୁ ହଇରାଣ ହରକତ କରାଯାଉଛି। ଚାଳ ଛପର କଚ୍ଚା ଘରେ ରହୁଥିବା ଗରିବ ଖଟିଖିଆ ଦିନ ମଜୁରିଆ ମାନଙ୍କୁ ଉପେକ୍ଷା କରାଯାଇ କୋଠା ଘର ଥିବା ସ୍ବଚ୍ଛଳ ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ବାଲିକୁଦା ବ୍ଲକର ସିଙ୍ଗିରି ଗ୍ରାମର ଦିବ୍ୟାଙ୍ଗ ୪୫ବର୍ଷର ସୁରେନ୍ଦ୍ର ରାଉତ ଏବେସୁଦ୍ଧା ନଡାଛପର କଚ୍ଚା ଘରେ ନିଜ ପତ୍ନୀ ଓ ଦୁଇ କନ୍ୟା ସନ୍ତାନକୁ ଧରି ଭାଗ୍ୟକୁ ଆଦରି ପଡିଛନ୍ତି। ବାରମ୍ଵାର ବାଲିକୁଦା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ତଣ୍ଡିକୁଳ, କୃଷ୍ଣଦାସ ପୁର, ମରିଚିପୁର ପ୍ରଭୃତି ପଞ୍ଚାୟତରେ ଥିବା ଅନେକ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇ ଥିବା ଅଭିଯୋଗ ହୋଇଛି।