ମୁଖ୍ୟ କିରାଣୀଙ୍କ ବଦଳି ବାତିଲ ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ : ବିଇଓଙ୍କୁ ଦାବିପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀନିବାସ ପଟ୍ଟନାୟକଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଏହାକୁ ବାତିଲ କରିବା ନେଇ ମଙ୍ଗଳବାର ପୂର୍ବାହ୍ନରେ ଦୁଇ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ଉଭୟ ସଂଘ ପକ୍ଷରୁ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ମୁଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକ କୁକୁଡାଖଣ୍ଡି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଜଣେ ସିନିୟର ଆସିଷ୍ଟାଣ୍ଟ ଭାବେ ଦାୟିତ୍ଵ ପରେ ୧୫ ଜୁଲାଇ ୨୦୧୬ ରେ ପଦୋନ୍ନତି ପାଇ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଜଣେ ମୁଖ୍ୟ କିରାଣୀ ରୂପେ ଦାୟିତ୍ୱ ଗ୍ରହଣ କରି ଆସୁଛନ୍ତି । କିନ୍ତୁ ଗତ ଅଗଷ୍ଟ ୨୯ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତ୍ର ପୋଲସରା ଅଞ୍ଚଳକୁ ବଦଳି ହୋଇଥିବା ନେଇ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପଣ୍ଡାଙ୍କୁ ଏକ ଚିଠି ଆସିଥିଲା । ଏହି ଖବର ପ୍ରକାଶିତ ହେବାପରେ ଆଜି ଦିଗପହଣ୍ଡି ବ୍ଲକ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏହାକୁ ଦୃଢ଼ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଜଣେ ନିଷ୍ଠାପର , କାର୍ଯ୍ୟ ଦକ୍ଷତା , କର୍ତ୍ତବ୍ୟ ନିଷ୍ଠ , ମିଷ୍ଟଭାଷୀ , ସଚ୍ଚୋଟ ମୁଖ୍ୟ କିରାଣୀଙ୍କ ଏଭଳି ବଦଳିକୁ ସେମାନେ ଗ୍ରହଣ କରିପାରୁନଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କିରାଣୀଙ୍କୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବ୍ୟକ୍ତିଗତ ଆକ୍ରୋଶ ମନୋଭାବ ରଖି ମିଥ୍ୟା ଅଭିଯୋଗ ଓ କୁ – ଚକ୍ରାନ୍ତ ରଚି ଏଭଳି ବଦଳି କରାଇବା ପାଇଁ ଉଚ୍ଚ ପଦାଧିକାରୀଙ୍କୁ କହିଥିବା ଦାବିପତ୍ରରେ ଅଭାଯୋଗ କରିବା ସହ ଏହି ବାତିଲକୁ ବନ୍ଦ କରିବା ନିମନ୍ତେ ଦୃଢ ପ୍ରତିବାଦ କରିଥିଲେ । ସେହିପରି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରିୟ ଭାଜନ ହେବା ସଙ୍ଗେ ସମସ୍ତ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ସମ୍ବନ୍ଧୀୟ ଯାବତୀୟ କାର୍ଯ୍ୟ ସଠିକ ସମୟରେ ଏବଂ ସୁଚାରୁରୂପେ କରି ଆସୁଥିବା ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସେବା ପୁସ୍ତିକା , ଏମ୍ ଏପିସି , ଆରଏସିପି , ଇଙ୍କ୍ରିମେଣ୍ଟ , ପେନସନ ଓ ମାସିକ ଦରମା ସଠିକ ସମୟରେ ହୋଇପାରୁଥିବା ବେଳେ ବର୍ତ୍ତମାନ ଏହା କିପରି ହୋଇପାରିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କହିଛନ୍ତି । ଏହିପରି କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକଙ୍କ ସ୍ଥାନରେ ଅନ୍ୟ କେହି ଦାୟିତ୍ଵ ନ ନେବା ଯାଏଁ କିରାଣୀଙ୍କୁ ରିଲିଭ ନ କରିବା ପାଇଁ ଦାବି କରିଛନ୍ତି । ଯାହାକୁ ନେଇ ଉଭୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଏହାର ନକଲ କପି ମାନ୍ୟବର ଓଡ଼ିଶା ବିଧାନସଭା ବାଚସ୍ପତି , ଗଣଶିକ୍ଷା ମନ୍ତ୍ରୀ , ଜିଲ୍ଲାପାଳ , ଜିଲ୍ଲା ଶିକ୍ଷାଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣା କରାଯାଇଥିଲା । ତେବେ ମୁଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକଙ୍କ ବଦଳି ବାତିଲ ନ କରାଯାଏ କିମ୍ବା ଏହାର କୈାଣସି ସମାଧାନ ନ କରାଯାଏ ଆଗାମୀ ଦିନରେ ଶିକ୍ଷକ ସଂଘ ଡାକରାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଏନ୍ ପିଏସ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ଉପସଭାପତି ଜଗଦୀଶ ଦୋରା , ଉପେନ୍ଦ୍ର କୁମାର ପଣ୍ଡା , ସଂପାଦକ ପ୍ରଶାନ୍ତ କୁମାର ପାଣିଗ୍ରାହୀ , କୋଷାଧ୍ୟକ୍ଷ ଇ . ସିମାଦ୍ରୀ ପାତ୍ର ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକ , ଉପସଭାପତି ଦୁଷ୍ମନ୍ତ ପାତ୍ର , ମମତା ଦେବୀ , ସାବିତ୍ରୀ ମହାପାତ୍ର , ସଂପାଦକ ଗଣେଶ ଚନ୍ଦ୍ର ପାଢ଼ୀ , କୋଷାଧ୍ୟକ୍ଷ ଶିବଶଙ୍କର ମିଶ୍ର ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ