ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଜୟନ୍ତୀ ପାଳିତ
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ଆନୁକୂଲ୍ୟରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କ ୫୯ତମ ଜୟନ୍ତୀ ନଭସଂଚ୍ଚରୀ ସଂଯୋଗରେ ପାଳିତ ହୋଇଯାଇଛି । ପବିତ୍ର ଜନ୍ମାଷ୍ଟମୀର ଶୁଭସଂଧ୍ୟାରେ ସ୍ୱରାରବିନ୍ଦଙ୍କ ସ୍ମୃତିରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ପ୍ରବକ୍ତା ପ୍ରଦ୍ୟୁମ୍ନ ଶତପଥି । ଏହା ପରେ ପରେ ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥିଙ୍କ ସଭାପତିତ୍ୱରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୀଳଗିରି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁର୍ବତନ ସାଂସଦ ଡ଼ ପ୍ରଶନ୍ନ ପାଟ୍ଟଶାଣୀ, ସଂସ୍କୃତି ବିଶାରଦ ପଦ୍ମଶ୍ରୀ ଡ଼ ରଜତ କୁମାର କର, ବରିଷ୍ଠ ପ୍ରଶାସକ ଡ଼ ଅରବିନ୍ଦ ପାଢୀ, କବି ଏବଂ ପ୍ରଶାସକ ଶରତ ଦାଶ, ବରିଷ୍ଠ ବିଧାୟକ ତଥା ସମ୍ବାଦ ଗୃପ୍ ଅଧ୍ୟକ୍ଷ ଡ଼ ସୌମ୍ୟରଂଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ଡ଼ ସମ୍ବିତ ପାତ୍ର ପ୍ରଭୃତି ସ୍ୱରାରବିନ୍ଦଙ୍କ ଜୀବନୀ ଉପରେ ଆଲୋକ ପାତ କରି ତାଙ୍କ ସଂଗୀତ-ସମର୍ପଣ ଚେତନାକୁ ସ୍ମରଣ କରିଥିଲେ । ପରେ ପରେ କଣ୍ଠଶିଳ୍ପୀ ସଙ୍ଗୀତା ମୁଦୁଲି, ସୁଧାଂଶୁ ଶେଖର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଶ୍ରୀତା ଚୌଧୁରୀ ଅଭୁଲା ଅରବିନ୍ଦ ସଂଗୀତ ପରିବେଷଣ କରିଥିଲେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ପ୍ରବାସୀ ଓଡ଼ିଆ ମାନେ ସ୍ୱରାରବିନ୍ଦ ସଂଧ୍ୟାରେ ସଂଯୁକ୍ତ ହୋଇଥିଲେ । ବାହାରିନ୍ ଓଡ଼ିଆ ସମାଜ ପ୍ରତିଷ୍ଠାତା ଡ଼ ଅରୁଣ ପ୍ରହରାଜ, ଓରିଓଜ୍ ଓଡ଼ିଆ ସଭାପତି ଡ଼ ନଳିନୀ ପତି, ଇଂଲଣ୍ଡ ଓଡ଼ିଆ ସମାଜ ସାଧାରଣ ସମ୍ପାଦକ ଶିବ ରଂଜନ ବିଶ୍ୱାଳ, ସଭ୍ୟା ଜୟଶ୍ରୀ ନନ୍ଦ, ସୁସ୍ମିତା ରାଜହଂସ, ଆମେରିକାରୁ ଅକ୍ଷୟ ମହାନ୍ତି ଓ ନିଲ୍ ବିଶୋଇ, ନ୍ୟୁଜିଲାଣ୍ଡରୁ ପ୍ରେମ ନେପାକ, କାନାଡ଼ା ଓଡ଼ିଆ ଆସୋସିଏସନ୍ ପ୍ରେସିଡେଂଟ ଡ଼ ସୁନନ୍ଦା ମିଶ୍ର ପଣ୍ଡା ଓ ପଣ୍ଡିତ ହୃଷିକେଶ ରଥ ଆଦି ସ୍ୱରାରବିନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଡ଼ ମୃତ୍ୟୁଂଜୟ ରଥ ଓ ଲିଭିଙ୍ଗ୍ ବ୍ଳିସ୍ ପ୍ରତିଷ୍ଠାତା ଶ୍ରୀ ତରୁଣ ଅଗସ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ କଣ୍ଠଶିଳ୍ପୀ ମାନଙ୍କୁ ତବଲାରେ ଜଗବନ୍ଧୁ ମୁଦୁଲି, ସିନ୍ଥେସାଇଜରରେ ମଧୁସୁଦନ ରଥ, ଢୋଲକ ବାଦ୍ୟରେ ମଳୟ ଦାସ ଓ ଅକ୍ଟାପ୍ୟାଡ଼ରେ ଦେବଜ୍ୟୋତି ପାଢି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ଫାଉଣ୍ଡେସନ ମ୍ୟାନେଜିଂ ଟ୍ରଷ୍ଟି କୃପାସିନ୍ଧୁ ମୁଦୁଲି ।


