ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗ ଓ ଶଲ୍ୟ ଚିକିତ୍ସାକେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ରୋଗୀ କଲ୍ୟାଣ ସମିତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଛତ୍ରପୁର ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନ୍ତଃବିଭାଗ ଓ ଶଲ୍ୟ ଚିକିତ୍ସା କେନ୍ଦ୍ର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ପୋଟଲାମପୁର ସରପଞ୍ଚ ସୁବାସିନୀ ବାରିକ, ସତ୍ୟନାରାୟଣ ନାହକ (ସୁକାନ୍ତ) ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ ,ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସି ପ୍ରଧାନ, ଛତ୍ରପୁର ବ୍ଲକ ବିଡିଓ ବିଶ୍ୱଜିତ୍ ରାୟପ୍ରମୁଖ ଯୋଗଦେଇ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପରେ ଡାକ୍ତରଖାନା ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଡାକ୍ତରଖାନାର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ବେଳେ ଉତ୍ତମ କାର୍ଯ୍ୟ ପାଇଁ ବଡଆର୍ଯ୍ୟପଲ୍ଲୀ ସ୍ୱାସ୍ଥ୍ୟକର୍ମୀ ତାରା ପଣ୍ଡା ପ୍ରଥମ ପୁରସ୍କାର, କରାତଳି ସ୍ୱାସ୍ଥ୍ୟକର୍ମୀ ସବିତା ବେହେରା ଦ୍ୱିତୀୟ ପୁରସ୍କାର ଏବଂ କଣମଣା ସ୍ୱାସ୍ଥ୍ୟକର୍ମୀ କାମିନୀ ବେହେରା ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କତୁରୁ ଗ୍ରାମର ଆଶାକର୍ମୀ ନବିନା ସେଠୀ ବିଶ୍ୱ ଜନସଂଖ୍ୟା ୨୧ ଦିନ କାର୍ଯ୍ୟକ୍ରମରେ ସର୍ବାଧିକ ଟ୍ୟୁବେକ୍ଟୋମି ଅପରେସନ୍ ପାଇଁ ପ୍ରଶଂସିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରଥମ ହୋଇଥିବାରୁ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରହୀ ଓ ତାଙ୍କ ଟିମକୁ ବିଧାୟକ ଶ୍ରୀବେହେରାଙ୍କ ସମେତ ସମସ୍ତ ଅତିଥୀ ମାନେ ପ୍ରଶଂସା କରିଥିଲେ । ବୈଠକରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିପିଏମ୍ ସିମାଞ୍ଚଳ ପ୍ରଧାନ ଗତ ବୈଠକର ବିବରଣୀ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ