ମୁମ୍ବାଇରେ କରୋନା ଆକ୍ରାନ୍ତରେ ହିଞ୍ଜିଳି ଯୁବକଙ୍କ ମୃତ୍ୟୁ

ହିଂଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୌଣସି ପ୍ରତିଷେଧକମୂଳକ ଔଷଧ ବାହାରି ପାରିନାହିଁ । ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ବାରମ୍ବାର ସାବୁନରେ ହାତକୁ ଧୋଇବା ଓ ମାସ୍କ ପନ୍ଧିବା ସହ ସରକାରଙ୍କ ନିର୍ଦ୍ଦେଶନାମାକୁ ମାନି ଚଳନ୍ତୁ । ଏହାକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ ୩ ତାରିଖ ଯାଏଁ ଲକଡ଼ାଉନ ଘୋଷଣା କରିଛନ୍ତି । ସୋମବାର ହିଂଜିଳିକାଟୁ ବ୍ଳକ ଅଂଚଳର ଏକ ଗ୍ରାମର ଜଣେ ପ୍ରାୟ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବେଳେ ପୁନର୍ବାର ମୁମ୍ବାଇରେ ୨୫ ବର୍ଷିୟ ଯୁବକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ମୃତ୍ୟୁବରଣ କରିଥିବା ଯୁବକ ଜଣକ ମୁମ୍ବାଇରେ ରହୁଥିବା ତାଙ୍କ ମାମୁଁଙ୍କ ଘରେ ରହି ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଜଣାପଡିଛି । ଦୀର୍ଘ ଦିନ ଧରି ରୋଗରେ ପଡ଼ିଥିବା ବେଳେ ଚିକିତ୍ସା ସତ୍ୱେ କୌଣସି ଉପଶମ ନମିଳିବାରୁ ତାଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଯୁବକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଅର ମୃତ୍ୟୁକୁ ପରିବାର ସଦସ୍ୟ ସହଜରେ ଗ୍ରହଣ କରି ପାରୁନାହାନ୍ତି । ମୁମ୍ବାଇ ସହରରେ ଗତ ଦୁଇ ଦିନ ମଧ୍ୟରେ ହିଂଜିଳିକାଟୁ ଅଂଚଳର ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଉକ୍ତ ଯୁବକଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ମାନେ ସଂପୃକ୍ତ ଯୁବକଙ୍କ ପରିବାରକୁ ବୁଧବାର ସକାଳେ ଖବର ଜଣାଇଥିଲେ । ଯୁବକଙ୍କ ମୃତ୍ୟ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ବମ୍ବେ, ସୁରଥ ସହ ପଡ଼ୋଶୀ ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପରିବାର ଆଶା ଅଶଙ୍କା ମଧ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ବମ୍ବେ, ସୁରଥ ସହ ପଡ଼ୋଶୀ ରାଜ୍ୟରେ କାର୍ଯ୍ୟ କରୁଥିବା ବହୁ ବ୍ୟକ୍ତି ଆସନ୍ତା ୩ ତାରିଖ ପରେ ରେଳ ଓ ଯାନବାହାନ ଚଳାଚଳ ନହେଲେ ପ୍ରଶାସନର ସହାୟତାରେ ସେମାନେ କିପରି ନିଜ ରାଜ୍ୟ ତଥା ବାସସ୍ଥାନକୁ ଫେରିବେ ସେନେଇ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ