ମୁମ୍ବାଇରେ ଫସିଥିବା ଓଡ଼ିଆଙ୍କ ସାହାରା ପାଲଟିଛି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମୁମ୍ବାଇ ମହାନଗରୀର ବହୁ ଅଞ୍ଚଳରେ ଲକ୍ଡାଉନ୍ ସମୟରେ ଫସି ରହିଯାଇଥିବା ଓଡ଼ିଆମାନଙ୍କୁ ସହାୟତାର ହାତ ବଢ଼ାଇଛି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ । ତାଲାବନ୍ଦ ହେତୁ ଅସହାୟ ହୋଇ ପଡ଼ିଥିବା ପ୍ରବାସୀମାନଙ୍କୁ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ହେବ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଅଛି । ଶ୍ରମିକ ଶ୍ରେଣୀୟ ତଥା ଛୋଟମୋଟ କାମ କରୁଥିବା ଲୋକମାନେ ମୁମ୍ବାଇରେ ବିଭିନ୍ନ ବସ୍ତି ଅଞ୍ଚଳରେ ରହିଆସୁଛନ୍ତି । ଲକ୍ଡାଉନ୍ ଆରମ୍ଭରେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଏହି ଲୋକମାନେ ବହୁ ଅସହାୟ ହୋଇପଡ଼ିଥିଲେ । ସ୍ୱଳ୍ପ ରୋଜଗାର ସହ ପରିବାର ଧରି ରହୁଥିବା ଏହି ଲୋକମାନେ ଜୀବିକା ହରାଇଥିବା ବେଳେ ଖାଦ୍ୟ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ଏହି ଦୁର୍ଗତି ସମୟରେ ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ତରଫରୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଥିଲା । ସେମାନଙ୍କୁ ପ୍ରତ୍ୟହ ଖାଦ୍ୟ ପ୍ୟାକେଟ୍ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଉଅଛି । ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଓ ସଦସ୍ୟମାନେ ବିଭିନ୍ନ ଅଞ୍ଚଳରେ ଏହିସବୁ ସାମଗ୍ରୀ ପହଞ୍ଚାଉଛନ୍ତି । ସାଧାରଣ ସମ୍ପାଦିକା ଡ. ସୁକାନ୍ତି ମିଶ୍ରଙ୍କ ନେତୃତ୍ୱରେ ମହିଳା ସଦସ୍ୟମାନଙ୍କ ଦ୍ୱାରା ମାସ୍କ ତିଆରି କରାଯାଇ ଗରିବ ଲୋକମାନଙ୍କୁ ମାଗଣାରେ ପ୍ରଦାନ କରାଯାଉଛି । ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲିବା ପରେ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକମାନଙ୍କ ଫେରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ପର୍ଯ୍ୟାପ୍ତ ରେଳ ଗାଡ଼ି ଚାଲୁ ନଥିବାରୁ ଶ୍ରମିକମାନଙ୍କ ଅସୁବିଧାକୁ ଦେଖି ଅଧ୍ୟକ୍ଷ ଡ. ବିପିନ୍ ବିହାରୀ ମିଶ୍ର ଚିଠି ଲେଖି ଏ ସଂକ୍ରାନ୍ତରେ ସରକାର ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ମୁମ୍ବାଇରୁ ଅଧିକ ସଂଖ୍ୟାରେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଓଡ଼ିଶାକୁ ଚାଲିବା ଦ୍ୱାରା ବହୁ ପ୍ରବାସୀ ଘରକୁ ଫେରିବାରେ ସକ୍ଷମ ହେଉଛନ୍ତି । ଷ୍ଟେସନ୍କୁ ଆସି ପାରୁନଥିବା ଲୋକଙ୍କୁ ସୁବିଧାରେ ଷ୍ଟେସନ୍ରେ ପହଞ୍ଚାଇବା ସହିତ ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବା ନିମନ୍ତେ ସଦସ୍ୟମାନେ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି । ଏଭଳି ଏକ ଦୁର୍ଦ୍ଦିନରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।


