କିଡ୍‌ନୀ ରୋଗରେ ଆକ୍ରାନ୍ତଙ୍କ ସାହାଯ୍ୟର ହାତ ବଢ଼ାଇଲା ଓଡ଼ିଶା ଗଣେଶ ପୂଜା ସମିତି +

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗୁରୁଗ୍ରାମସ୍ଥିତ ଦିଲ୍ଲୀ ଏନ୍‌.ସି.ଆରର ଏକ ସମାଜସେବୀ ସଂସ୍ଥା (ଓ.ଜି.ପି.ଏସ୍‌) ଯାହାକି ବିଗତ ୨୧ ବର୍ଷ ହେଲା ତାହାର ନିଷ୍ଠାପର ଓ ନିଃସ୍ୱାର୍ଥପର ସମାଜସେବା ଦ୍ୱାରା ସବୁବେଳେ ସବୁଠାରେ ସମସ୍ତଙ୍କ ଆଦରର ପ୍ରିୟ ପାତ୍ର ହୋଇପାରିଛି । ଆମେ ଏଠି ଏତିକି କହିବାକୁ ଯାଉଛୁ କି ଏହି ଓ.ଜି.ପି.ଏସ୍ ସଂସ୍ଥା, କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଦେବଦୂତ ସାଜିଥିବା ବେଳେ ଆଉ ଏକ ମହତ୍ କାର୍ଯ୍ୟ ପାଇଁ ଯାହାକି ଓ.ଜି.ପି.ଏସ୍ ର ସମସ୍ତ କର୍ମକର୍ତ୍ତାଙ୍କ ମନୋବଳ ଓ ଆତ୍ମସନ୍ତୋଷକୁ ଦ୍ୱିଗୁଣିତ କରିଛି । ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଅତନୁ ବେହୁରିଆ, ଯିଏ ଭାରତର ରାଜଧାନୀ ଦିଲ୍ଲୀଠାରେ ଏକ ଛୋଟ ହୋଟେଲ୍ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ଯିଏକି ନିଜେ ସ୍ୱୟଂ ସମାଜସେବୀ । ଗରିବ ଅସହାୟଙ୍କୁ ସାହାଯ୍ୟ ସହାନୁଭୂତି ବାଣ୍ଟୁଥିବା ମଣିଷଟି ଆଜି ନିଜେ ଅସହାୟ ପାଲଟି ଯାଇଛି । ଦଇବ ଦାଉ ସାଜିଲା ପରି ତାଙ୍କ ପରିବାରକୁ ମାଡ଼ି ଆସିଛି ଅନ୍ଧକାରର କଳା ବାଦଲ । ହଠାତ୍ ତାଙ୍କର ଶରୀର କୌଣସି କାରଣରୁ ଅତ୍ୟଧିକ ଖରାପ ହେବା ଦ୍ୱାରା ତାଙ୍କୁ ନାରାୟଣ ହସ୍ପିଟାଲ୍ (ଗୁରୁଗ୍ରାମ)ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ଦୁଇଟି କିଡ୍‌ନୀ ଖରାପ ହେବାରେ ଲାଗିଛି । ତାଙ୍କର ଚିକିତ୍ସା ନିମନ୍ତେ ବିପୁଳ ଅର୍ଥର ଆବଶ୍ୟକତା ଥିବା ଯୋଗୁଁ, ତାଙ୍କର ପରିବାର ଅର୍ଥ ଅଭାବରୁ ଭାଙ୍ଗି ପଡ଼ିଛନ୍ତି । ଏହି ଦୁଃଖଦ ଖବର ଓ.ଜି.ପି.ଏସ୍ ର ସଭାପତି ସତ୍ୟନାରାୟଣ ଜେନାଙ୍କ ପାଖରେ ପହଞ୍ଚିଲା ପରେ, ସେ ଘଟଣାଟିକୁ ଦାଇତ୍ୱର ସହ ତୁଲାଇବା ପାଇଁ ମନ ବଳାଇଥିଲେ ଓ ସଂସ୍ଥାର ସମସ୍ତ କାର୍ଯ୍ୟ କର୍ତ୍ତାଙ୍କ ମତ ପାଇଁ ପ୍ରସ୍ତାବ ରଖିଥିଲେ । ସେ ନିଜେ ଆଜି ନାରାୟଣ ହସ୍ପିଟାଲ୍ ଯାଇ ତାଙ୍କ ପରିବାରଙ୍କୁ ଭେଟି କିଛି ସାନ୍ତ୍ୱନାମୂଳକ କଥା ଓ କିଛି ଆର୍ଥିକ ସାହାଯ୍ୟ କରିଥିଲେ । ଭଗବାନଙ୍କ ନିକଟରେ ତାଙ୍କର ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ବରିଷ୍ଠ ସମାଜସେବୀ ସଞ୍ଜୟ ମିଶ୍ର, ଚେୟାରମ୍ୟାନ ଦେବେନ୍ଦ୍ର ସ୍ୱାଇଁ, ଆସିଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରୀ ପ୍ରଣବ ପତି, ବରିଷ୍ଠ କାର୍ଯ୍ୟକର୍ତ୍ତା ଅମରେଶ ନାୟକ, ମନୋରଞ୍ଜନ ରାୟ, ସର୍ବେଶ୍ୱର ଲେଙ୍କା, କ୍ୟାସିଅର ସତ୍ୟବାନ୍ ସାମଲ୍ ପ୍ରମୁଖ ସାହାଯ୍ୟର ହାତ ବଢାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ