ମୁଲାୟମସିଂହ ଯାଦବଙ୍କ ୮୧ତମ ଜନ୍ମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମାଜବାଦୀ ଚିନ୍ତକ ଡଃ ରାମ ମନୋହର ଲୋହିଆଙ୍କ ପଟ୍ଟଶିଷ୍ୟ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଶ୍ରୀ ମୁଲାୟମସିଂହ ଯାଦବଙ୍କ ୮୧ତମ ଜନ୍ମଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ତରଫରୁ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ନେତାଜୀଙ୍କ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ନେତା ବିଜୟ ବେହେରା, ସଞ୍ଜୟ ନାୟକ, ଯୁବନେତା ସୁବ୍ରତ ଲେଙ୍କା, ନାରୀନେତ୍ରୀ ରୀତା ପଟ୍ଟନାୟକ, ଭାରତୀ ପଟ୍ଟନାୟକ ପ୍ରମୁଖ ମୁଲାୟମ ସିଂହଙ୍କ ଉପରେ ସବିଶେଷ ଆଲୋଚନା କରିଥିଲେ । ସଭାପତି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ମୁଲାୟମସିଂହଙ୍କ ବ୍ୟକ୍ତିତ୍ୱ ବର୍ତ୍ତମାନ ସମୟରେ ସମାଜବାଦ ପ୍ରାସଙ୍ଗିକତା ଉପରେ ଆଲୋଚନା କରି କହିଥିଲେ ଯେ, ଆଜି ଦେଶରେ ଯେତେବେଳେ ବେକାରୀ, କୃଷକମାନଙ୍କ ଆତ୍ମହତ୍ୟା ଓ ଦରଦାମ ବଢି ବଢି ଚାଲିଛି । ଦେଶର ଏକତା, ଅଖଣ୍ଡତା ଓ ସାମ୍ପ୍ରଦାୟିକ ସଦ୍ଭାବନା ସୁଦୂର ପରାହତ, ଭିଡ଼ହିିଂସା ଓ ଅସହିଷ୍ଣୁତା ଆମ ଗଣତନ୍ତ୍ରକୁ କବଳିତ କରିଛି ସେତିକିବେଳେ ନେତାଜୀ ଓ ସମାଜବାଦୀ ଆନ୍ଦୋଳନ ଶକ୍ତିଶାଳୀ କରି ଗଢି ତୋଳିବାକୁ ପଡ଼ିବ ବୋଲି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଶେଷରେ ଯୁବନେତା ରୀତେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।