ମୁଲାୟମ-ଅଖିଳେଶଙ୍କ ଆୟବହିର୍ଭୂତ ସମ୍ପତ୍ତି ମାମଲା
ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ବିରୋଧରେ ଆଗତ ଆୟବର୍ହିଭୂତ ସମ୍ପତ୍ତିି ଠୁଳ ମାମଲାରେ ସିବିଆଇକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତାଙ୍କୁୂ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ଚାଲିଥିବା ତଦନ୍ତର ସ୍ଥିତି ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ବରିଷ୍ଠ ଓକିଲ ବିଶ୍ୱନାଥ ଚର୍ତୁବେଦୀ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ । ସେ ଏହି ଆବେଦନରେ ଦାବି କରିଥିଲେ ଯେ, ସିବିଆଇକୁ ମୁଲାୟମ ସିଂହ ଯାଦବ ଏବଂ ଅଖିଳେଶ ସିଂହ ଯାଦବଙ୍କ ସମ୍ପତ୍ତିର ତଦନ୍ତ ରିପୋର୍ଟ କୋର୍ଟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉ । ସେ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ଏହି ମାମଲାର ତଦନ୍ତ ଶେଷ ହୋଇଯାଇଛି ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଯାଦବ ପରିବାର ପାଖରେ ଆୟରୁ ଅଧିକ ସମ୍ପତ୍ତି ରହିଛି । ଏହି ମାମଲାରେ ୬ ବର୍ଷ ବିତିଯିବା ସତ୍ତେ୍ୱ ସିବିଆଇ ଜାଣିଶୁଣି ନିଜ ତଦନ୍ତ ରିପୋର୍ଟ କୌଣସି କୋର୍ଟରେ ଦାଖଲ କରିନାହିଁ ।


