‘ମୁଢ଼ି’ ଉପରେ ଜିଏସଟି ଲାଗୁ ପ୍ରତିବାଦରେ ଲୋକ ମଞ୍ଚର ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ସାଧାରଣ ଓଡ଼ିଆ ଖାଦ୍ୟ ମୁଢ଼ି ଉପରେ କେନ୍ଦ୍ର ସରକାରଙ୍କ ୫ ପ୍ରତିଶତ ଏକକ ସେବ କର (ଜିଏସଟି) ଲାଗୁକୁ ବିରୋଧ କରିଛି ବାଲେଶ୍ୱର ଲୋକ ମଞ୍ଚ । ଏନେଇ ସଂଗଠନର କର୍ମକର୍ତ୍ତା ଓ ସଦସମାନେ ସୋମବାର ଅପରାହ୍ଣରେ ସମିଳିତ ହୋଇ ପ୍ରତୀକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ମଞ୍ଚର ଆବାହକ ବିକ୍ରମ ପଣ୍ଡା, ସଭାପତି ଅସିତ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ବାଲେଶ୍ୱର ବିକ୍ରୟ କର ତଥା ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ମୁଢ଼ି ଓ ଚୁଡ଼ା ଓଡ଼ିଶାବାସୀଙ୍କର ନିତି ଦିନିଆ ଖାଦ୍ୟ ହୋଇଥିବା ବେଳେ ଏହା ସହ ପ୍ରତ୍ୟେକ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତିକୁ ପ୍ରମାଣିତ କରିଛି ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ଅନ୍ୟପକ୍ଷରେ ପେଟ୍ରୋଲିୟମକୁ ଜିଏସଟି ଭୁକ୍ତ ନ କରିବା ଓ ହୀରା ଉପରେ ମାତ୍ର ୧.୫ପ୍ରତିଶତ ଜିଏସଟି ଲାଗୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କ୍ଷୋଭର ସହ କରିଛନ୍ତି । ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ବାଲେଶ୍ୱର ଲୋକଙ୍କ ମଞ୍ଚ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ସହ ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସତ୍ୟେନ୍ଦ୍ର ଦାସ, ସ୍ମାରକ ଦାସ, ସତ୍ୟପ୍ରକାଶ ପତି, ସୁଶାନ୍ତ ରଣା, ତୁଷାରକାନ୍ତି ତପସୀ, ନିଶିଥ ବାରିକ, ସମ୍ବିତ ବିଶ୍ୱାଳ, ହ୍ରିତୀକ ନାୟକ, ଆକବର ସାହା, ଅନୁପ ସ୍ୱାଇଁ, ନିଶିଥ ବାରିକଙ୍କ ସମେତ ସଂଗଠନର ବହୁ ସଦସ୍ୟ ଏହି ପ୍ରତୀକ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।