ମୂଲ୍ୟବୋଧ ଉପରେ ଭାରତୀୟ ସଂସ୍କୃତି’ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାଭାରତରେ ପରୀକ୍ଷିତ ଚରିତ୍ରକୁ ନେଇ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ବ୍ରଜବନ୍ଧୁ ପଣ୍ଡାଙ୍କ ଲିଖିତ ପୁସ୍ତକ ‘ପାଣ୍ଡବ କୁଳଚନ୍ଦ୍ରମା’ ଓ ଓଡ଼ିଶାର କବିମାନଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଅମ୍ଲାନଦୀପ୍ତି’ର ଶୁଭ ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ପୁସ୍ତକକୁ ଲୋକାର୍ପଣ କରି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡଃ ହୃଷିକେଶ ମଲ୍ଲିକ କହିଲେ ଯେ, ଡଃ ବ୍ରଜବନ୍ଧୁ ପଣ୍ଡା ଶିକ୍ଷା ବିଭାଗରୁ ଅବସର ନେବା ପରେ, ଓଡ଼ିଶା ବାଣୀଭଣ୍ଡାରକୁ ଯେଉଁ ଅମୂଲ୍ୟ ସମ୍ପଦ ଦାନ କରିଛନ୍ତି, ସେ ପ୍ରଶଂସାର ପାତ୍ର । ଓଡ଼ିଆ ସାହିତ୍ୟକୁ ଖଣ୍ଡପଡ଼ାର ଦାନ ଅତୁଳନୀୟ । ସେଥିରେ ଡଃ ପଣ୍ଡାଙ୍କ ସୁନ୍ଦର ଛାନ୍ଦରେ ଲିଖିତ ‘ପାଣ୍ଡବ କୁଳଚନ୍ଦ୍ରମା’ ଏକ କାଳଜୟୀ ଗ୍ରନ୍ଥ । ମହାଭାରତର ମୂଲ୍ୟବୋଧ ଉପରେ ଭାରତୀୟ ସଂସ୍କୃତି ତିଷ୍ଠି ରହିଛି । ପୁସ୍ତକ ଉପରେ ନିଜସ୍ୱ ମତ ରଖି ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ କହିଲେ ଯେ, କବିସମ୍ରାଟଙ୍କ ସମୟରେ ଓଡ଼ିଶାର ଗଜପତି କିଏ ଥିଲେ, ଓଡ଼ିଆଜାତି ତାକୁ ମନେ ରଖିନାହିଁ । କିନ୍ତୁ ବୈଦେହିସ ବିଳାସ ପାଇଁ ଉପେନ୍ଦ୍ର ଭଞ୍ଜ ଚିରକାଳ ବଞ୍ôଚ ରହିବେ ।
ଅନ୍ୟତମ ଅତିଥି ଶ୍ରୀ ଜଗନ୍ନାଥ ଗବେଷକ ଡଃ ଅସୀତ ମହାନ୍ତି କହିଲେ ଯେ, ଡଃ ପଣ୍ଡା ଜଣେ ଆଦର୍ଶ ଶିକ୍ଷକ ଭାବେ ପ୍ରତିଷ୍ଠିତ । କିନ୍ତୁ ତାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବାରେ ମୁଁ ଅତ୍ୟନ୍ତ ଆନନ୍ଦିତ । ‘ପାଣ୍ଡବ କୁଳଚନ୍ଦ୍ରମା’, ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିଥିବା ପାଲାକାରମାନଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ମୋର ଦୃଢ ବିଶ୍ୱାସ । ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ରୀତି ଯୁଗୀୟ ଛାନ୍ଦକୁ ଯେତେବେଳେ ଓଡ଼ିଆ କବି, ଲେଖକମାନେ ଭୁଲି ଯାଉଛନ୍ତି, ସେତିକିବେଳେ ଡଃ ପଣ୍ଡାଙ୍କ ଛାନ୍ଦବଦ୍ଧ ଲେଖା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ଓଡ଼ିଶା ଅମ୍ଲା କବିପ୍ରତିଭାମାନଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଙ୍କର ‘ଅମ୍ଲାନଦୀପ୍ତି’ ପୁସ୍ତକ ଯୁବକମାନଙ୍କ ଦ୍ୱାରା ସୁଖପାଠ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଶେଷରେ ପ୍ରଫେସର ପଣ୍ଡା ମା’ ଶାରଳାଙ୍କ ଅପାର କୃପାରୁ ଏହା ସମ୍ଭବ ହୋଇଛି ବୋଲି ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ