ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ବିଧାୟକଙ୍କ ସହାୟତା
ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ପୋଲସରା ବିଧାୟକ ସାହାୟତାର ହାତ ବଢ଼ାଇ ଥିବା ଜଣା ପଡ଼ିଛି। ଘଟଣାରୁ ଜଣାପଡିଛିଯେ, ଖଣ୍ଡୁରୁ ଗ୍ରାମର ସୁଦର୍ଶନ ସାହୁ ଶ୍ରମିକ ଭାବେ କାମ କରିବାକୁ କେରଳ ଯାଇଥିଲେ। ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ସୁଦର୍ଶନ କେରଳରୁ ଟ୍ରେନରେ ଗ୍ରାମକୁ ଫେରି ଆସୁଥିଲେ। ଆନ୍ଧ୍ରର ବିଜୟାୱାଡ଼ ରେଲୱେ ଷ୍ଟେସନରେ ଅନ୍ୟ ଟ୍ରେନ ଧରିବାକୁ ସୁଦର୍ଶନ ଓହ୍ଲାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ବିଶେଷ ଖରାପ ହେବା ଯୋଗୁଁ ଫୋନରେ ସୁରାଟରେ କାମକରୁଥିବା ନିଜର ବଡ଼ ଓ ମଝିଆ ପୁଅ ସହ ସ୍ୱାସ୍ଥ୍ୟ ବିଷୟ ନେଇ କଥା ହେବାସହ ବିଜୟାୱାଡ଼ ରେଳ ଷ୍ଟେସନରେ ଥିବା ପ୍ରକାଶ କରିଥିଲେ। କିଛି ସମୟପରେ ସୁରାଟରୁ ଦୁଇ ପୁଅ ବାପା ପାଖକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସୁଦର୍ଶନ ଫୋନ ଉଠାଇନଥିଲେ। ଯାହା ଫଳରେ ଦୁଇ ପୁଅ ସୁରାଟରୁ ନିଜ ଗ୍ରାମରେ ରହୁଥିବା ସାନ ଭାଇ ପାଖକୁ ଫୋନ କରି ତୁରନ୍ତ ବିଜୟାୱାଡ଼ ରେଳ ଷ୍ଟେସନକୁ ଯାଇ ବାପାଙ୍କ ଖବର ନେବାକୁ କହିଥିଲେ। ମଙ୍ଗଳବାର ଦିନ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ସାନପୁଅ ବିଜୟାୱାଡ଼ା ଷ୍ଟେସନରେ ପହଞ୍ଚି ୬ ନମ୍ବର ପ୍ଲାଟଫାର୍ମରେ ବାପା ସୁଦର୍ଶନ ମରି ପଡିଥିବା ଦେଖି ବାପାଙ୍କ ମରଶରୀରକୁ ଗ୍ରାମକୁ ଆଣିବା ପରେ ଆଜି ସଂସ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଖଣ୍ଡୁରୁ ଗ୍ରାମରେ ପହଞ୍ଚି ଶୋକକୁଳ ପରିବାରକୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ୫୦୦୦ ଟଙ୍କା ପ୍ରଦାନ କରିଥିଲେ। ଏଥସହ ବିଧାୟକ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ।