ମେକ୍ସିକୋର ସୌଖୀନ ଜୀବ
ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଶାଳକାୟ ପୃଥିବୀରେ କେତେ ଯେ ପ୍ରାଣୀ ରହିଛନ୍ତି, ତାହାର କଳନା ନାହିଁ । ପ୍ରତ୍ୟେକ ପୁଣି ଭିନ୍ନ ଭିନ୍ନ । ସେହିଭଳି ଏକ ସୌଖୀନ ପ୍ରାଣୀ ରହିଛି ମେକ୍ସିକୋରେ । ଯାହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି “ଆକ୍ଜୋଲୋଟ୍ଲ’ । ମେକ୍ସିକୋରେ ସୃଷ୍ଟି ହେଉଥିବାରୁ ଏଗୁଡ଼ିକୁ “ମେକ୍ସିକାନ୍ ଆକ୍ଜୋଲୋଟ୍ଲ’ ବୋଲି କୁହାଯାଇଥାଏ । ଏହା ଏପରି ଏକ ପ୍ରାଣୀ ଯାହା ତା’ର ସମଗ୍ର ଜୀବନ ଗୋଟିଏ ଲାର୍ଭା ଭଳି ଅତିବାହିତ କରିଥାଏ । ମେକ୍ସିକୋର ଏକ ହ୍ରଦ ହେଉଛି ଜୋଚିମିଲ୍କୋ । ସେହି ହ୍ରଦରେ ଏହି ସୁନ୍ଦର ଜୀବଟିକୁ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ ଏକ ଜଳଚର ପ୍ରାଣୀ । ଏହାର ଅଙ୍ଗ ପ୍ରତ୍ୟଙ୍ଗ ଗଛ ଭଳି । ଗଛରୁ ଶାଖା ପ୍ରଶାଖା ବାହାରିବା ଭଳି ଏମାନଙ୍କ ଶରୀରରୁ ଶାଖା ପ୍ରଶାଖା ବାହାରିଥାଏ । ଖାସ୍ ଏଇଥି ପାଇଁ ଏହି ଜୀବଟକୁ ଦେଖିବାକୁ ଭିଡ଼ ଲାଗିଥାଏ । ସେତିକିନୁହେଁ, ଏହା ଦେଖିବାକୁ ମଧ୍ୟ ଭାରି ସୁନ୍ଦର । ସେଥିଲାଗି ଏହାକୁ ଘରେ ଆକ୍ୱାରିଅମ୍ରେ ରଖିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ଏଗୁଡ଼ିକ ବଜାରରେ ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ମିଳେ । ମେକ୍ସିକୋରେ ଏଥିରୁ ଏକ ରୋଷ୍ଟ ପ୍ରସ୍ତୁତ ହୁଏ ଯାହା ଭାରି ସୁଆଦ ।


