ସ୍ମାର୍ଟଫୋନ୍ଠୁ ଦୂରେଇ ରହିବା ପାଇଁ ପଦକ୍ଷେପ ନେଉଛନ୍ତି ଇଣ୍ଡୋନେସିଆ ସରକାର
ସମ୍ପ୍ରତି ଯୁବପିଢ଼ିଙ୍କଠାରେ ଦେଖାଦେଇଛି ସ୍ମାର୍ଟଫୋନ୍ ମାନିଆ । ସବୁ ବର୍ଗଙ୍କ ପାଇଁ ଏହା ଅତ୍ୟାବଶ୍ୟକ ପାଲଟିଯାଇଛି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଧିକାଂଶ ସମୟ ସ୍ମାର୍ଟଫୋନ୍ରେ ବିତାଉଛନ୍ତି । ଏହା ଦ୍ୱାରା ପିଲାମାନଙ୍କ ପାଠପଢ଼ା ନଷ୍ଟ ହେଉଥିବାବେଳେ ଯୁବକ ଏବଂ ବୟସ୍କ ଲୋକମାନେ କାମରେ ଅବହେଳା ପ୍ରଦର୍ଶନ କରିଥାଆନ୍ତିି । ଏଥିରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ଏକ ପଦକ୍ଷେପ ନେଇଛନ୍ତି । ଯାହା ଦ୍ୱାରା ପିଲାମାନେ ଏଥିରେ ମନୋନିବେଶ କରିପାରିବେ । ଇଣ୍ଡୋନେସିଆ ସରକାର ଏକ ପାଇଲଟ୍ ଯୋଜନା ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ପିଲାମାନେ ଗଛ ଲଗାଇବା ସହ ଘରେ ଚଢ଼େଇ, କୁକୁଡ଼ା ଆଦି ପାଳନ କରିପାରିବେ । ଫଳରେ ପିଲାମାନେ ଏସବୁରେ ମନ ଲଗାଇ ସ୍ମାର୍ଟଫୋନ୍ଯୁ ଦୂରେଇ ରହିବେ ।
ଇଣ୍ଡୋନେସିଆର ବଣ୍ଡୁଙ୍ଗ୍ ପ୍ରଶାସନ କୁହନ୍ତି, ସହରରେ ୧୦ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ବିଦ୍ୟାଳୟରେ ୨୦୦୦ କୁକୁଡ଼ା ଛୁଆ, ୧୫୦୦ ଲଙ୍କା ଚାରା ବାଣ୍ଟିଛନ୍ତି । ମେୟର କୁହନ୍ତି, ଏଠାକାର ଲୋକେ ଇଣ୍ଟରନେଟ୍ ବ୍ୟବହାର କରିବାରେ ୮ ଘଣ୍ଟାରୁ ଅଧିକ ସମୟ ନଷ୍ଟ କରିଥାନ୍ତି । ସେହିପରି ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍ ଦୀର୍ଘ ସମୟ ଦେଖିଥାନ୍ତି । ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଏହା ପ୍ରଶାସନର ଏକ ପ୍ରୟାସ ମାତ୍ର । ଲକ୍ଷ୍ୟସ୍ଥଳରେ ମଧ୍ୟ ଆମେ ପହଞ୍ଚି ସାରିଛୁ । ପିଲାମାନଙ୍କୁ ଅନୁଶାସନ କରିବା ଅଭିଭାବକଙ୍କ ଦାୟିତ୍ୱ । ସ୍ମାର୍ଟଫୋନ୍ରେ ଖେଳି ବିପଦ ଆଣିବା ଅପେକ୍ଷା ଗଛଲତା, ଜୀବଜନ୍ତୁ ସହ ସମୟ ବିତାଇଲେ ଶହେ ଗୁଣ ଭଲ ବୋଲି କହିଛନ୍ତି । ଅନ୍ୟପକ୍ଷରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର କୁହନ୍ତି, ସେ କୁକୁଡ଼ା ଛୁଆଙ୍କ ଦେଖାଶୁଣା କରିବା ସହ ତାଙ୍କ ସହ ଖେଳି ସମୟ କାଟି ଦେଉଛନ୍ତି । ଆଉ ଫୋନ୍ ଦରକାର ପଡୁନି ।


