ମେକ୍-ଇନ୍-ଓଡ଼ିଶା ଏକ ବହୁଳ ମିଥ୍ୟା ପ୍ରଚାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଳ୍ପପତି ମାନଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଠ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ମେକ୍-ଇନ୍-ଓଡ଼ିଶା” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମେ ଭୁବନେଶ୍ବରରେ ୩୦ ନଭେମ୍ବରରୁ ୨ ଡିସେମ୍ବର, ୨୦୧୬ରେ ଆୟୋଜନ କରାଯାଇଥିଲା। ସେହିପରି ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ୧୧-୧୫ ନଭେମ୍ବର, ୨୦୧୮ରେ ଆୟୋଜନ କରାଯାଇଥିଲା। ପୁଣି ଏହି ମେକ୍-ଇନ୍- ଓଡିଶା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪, ୨୦୨୨ରେ ହୋଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଦେଶର ବଡ଼ ବଡ଼ ଶିଳ୍ପପତି ଓ ଅନ୍ୟ ଦେଶର ତଥା ବାହାର ଜାପନ, ଇଟାଲୀ, ଚୀନ୍, ଜର୍ମାନୀ, ସୁଉଦି ଆରବ୍, ସାଉଥ୍ କୋରିଆ ଇତ୍ୟାଦିର ବହୁ ରାଷ୍ଟ୍ରୀୟ କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବହୁଳ ପ୍ରଚାରିତ କରାଇ ଓଡ଼ିଶାରେ ୬, ୦୦, ୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଘୋଷଣା କରିଥିଲେ। ଏହି ପୁଞ୍ଜି ନିବେଶ ଦ୍ବାରା ଲକ୍ଷ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଥିଲେ। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୩ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୧୫୦ ଛୋଟ ବଡ଼ ସରକାରୀ ଓ ବେସରକାରୀ କମ୍ପାନୀ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ଶିଳ୍ପ ବସାଇବା ପାଇଁ ୧୮,୦୦୦ ଏକର ଜମି ରିହାତି ଦରରେ ଯୋଗାଇ ଦେଇଛନ୍ତି। ଏଥି ମଧ୍ୟରୁ କିଛି ବଡ଼ ବଡ଼ କମ୍ପାନୀକୁ ଶହ ଶହ ଏକର ଜମି ଦିଆଯାଇଛି। ବେଦାନ୍ତ କମ୍ପାନୀକୁ କଳାହାଣ୍ଡି ଜିଲ୍ଲାରେ ୧୦୮ ଏକର ଜମି, ଝାରସୁଗୁଡାରେ ୨୨୭ ଏକର ଜମି ଦିଆଯାଇଥିବା ବେଳେ ଓ. ପି.ଜି.ସି କୁ ଝାରସୁଗୁଡା ଓ ସୁନ୍ଦରଗଡ଼ରେ ୧,୫୪୪ ଏକର ଜମି ଦିଆଯାଇଛି। ODISHA COAL & POWER Ltd.କୁ ସୁନ୍ଦରଗଡ଼ରେ ୭୫୧ ଏକର ଜମି ଦିଆଯାଇଛି। ଏହି ସବୁ କମ୍ପାନୀମାନେ ଜମି ବାବଦରେ କେତେ ଅର୍ଥ ପୈଠ କରିଛନ୍ତି ଏହାର ତଥ୍ୟ ଦିଆଯାଇନାହିଁ। ୨୦୨୨ ମସିହାରେ ଆର୍ସେଲ ମିତ୍ତଲକୁ ଷ୍ଟିଲ୍ ପ୍ଲାଣ୍ଟ ବସାଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୨ ଏକର ଜମି ଦିଆଯାଇଛି। ଏ ବାବଦରେ ଉକ୍ତ କମ୍ପାନୀ ୧,୬୨,୬୦, ୫୫୫ ଟଙ୍କା ଦାଖଲ କରିଛି। ଅର୍ଥାତ ଏକର ପିଛା ୧,୪୪,୦୦୦ ଟଙ୍କାରେ ପ୍ରଦାନ କରାଯାଇଛି। ଜିନ୍ଦଲ କମ୍ପାନୀକୁ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜଗତସିଂହପୁର ଜିଲ୍ଲାରେ ୨୭୦ ଏକର ଜମି ଦିଆଯାଇଛି। ସେହି ପରି ମିତ୍ତଲକୁ କେନ୍ଦୁଝରରେ ୩୦୬ ଏକର ଜମି ଦିଆଯାଇଛି। ଏହି ୫ଟି କମ୍ପାନିକୁ ଛାଡ଼ି ଦେଲେ ଆଉ କୌଣସି ବଡ଼ ବଡ଼ କମ୍ପାନୀ ଆମ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆସିନାହାନ୍ତି। ବିଦେଶରୁ କୌଣସି ଗୋଟିଏ କମ୍ପାନୀ ଓଡିଶାରେ ପୁଞ୍ଜି ନିବେଶ କରିନାହାନ୍ତି। ଏହି ସବୁ କମ୍ପାନୀ ଓ ଅନୁଷ୍ଠାନମାନେ ରାଜ୍ୟରେ ୨ ଲକ୍ଷ ୭୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଏଥି ମଧ୍ୟରୁ ଜିନ୍ଦଲ କମ୍ପାନୀ ୧, ୦୦,୦୦୦ କୋଟି ଟଙ୍କା ଏବଂ ମିତ୍ତଲ କମ୍ପାନୀ ୧, ୦୨, ୨୭୫ କୋଟି ଟଙ୍କା ପୁଞ୍ଜି ଖଟେଇବେ ବୋଲି ତଥ୍ୟ ମିଳିଛି। ଏହି ସାତ ବର୍ଷ ମଧ୍ୟରେ କୌଣସି ଗୋଟିଏ ଶିଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ କି କୌଣସି କର୍ମନିଯୁକ୍ତି ସୃଷ୍ଟି ହୋଇନାହିଁ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଇଟାଲୀ ଓ ଜପାନ ଗସ୍ତ କରିଥିଲେ। ତାଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ସମେତ ଏକ ଅଫିସର ଦଳ ଆମେରିକା ଓ ଅନ୍ୟାନ୍ୟ ଦେଶ ଗସ୍ତ କରିଥିଲେ। ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସେମାନେ ବହୁ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ଏହି ବିଦେଶ ଗସ୍ତର ଉଦ୍ଦେଶ୍ୟ ଥିଲା। କିନ୍ତୁ ଦୁର୍ଭାଗ୍ୟ କୌଣସି ଗୋଟିଏ ବି ବିଦେଶୀ ଶିଳ୍ପପତି ରାଜ୍ୟକୁ ପୁଞ୍ଜି ନିବେଶର ପାଇଁ ଆସିଲେନି ବୋଲି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ “ମୋ ଦଳ”ର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ବିକାଶ ଓ ଓଡ଼ିଶା ଅଭିବୃଦ୍ଧି ପ୍ରଚାର କେତେ ମାରାତ୍ମକ ଓ ମିଛ ପ୍ରଚାର ତାହା ଓଡିଶାବାସୀ ହୃଦୟଙ୍ଗମ୍ କରନ୍ତୁ ଏବଂ ୨୦୨୪ରେ ଏକ ମିଥ୍ୟାବାଦୀ ଭ୍ରଷ୍ଟାଚାରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରୁ ହଟାନ୍ତୁ ବୋଲି ଶ୍ରୀ କୁମାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି।ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ମହାସଚିବ ଶ୍ରୀ ପ୍ରଦୀପ ପ୍ରଧାନ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଶେଷଦେବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


