ମେଗା ପାନୀୟ ଜଳ ପ୍ରକଳ୍ପ ବନ୍ଦ ପ୍ରସଙ୍ଗ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ତୁମ୍ବେଶ୍ୱର ଦେବୀନଦୀ ବନ୍ଧ ସୁରକ୍ଷା ପାଇଁ ନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପାଇଁ ପୁନର୍ବାର ବୁଧବାର ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଓ ନଦୀବନ୍ଧ ସୁରକ୍ଷା କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନା କରାଯାଇଥିଲା । ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡିଓ ଇଂ.ତପନ ତାଉତ, ଜଳସଂପଦ ବିଭାଗର ଏସଡିଓ ଇଂ.ଫକୀର ଚରଣ ସେଠ, ନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ଅଶୋକ ସ୍ୱାଇଁ,ଆର୍ତତ୍ରାଣ ଦାସ, ବିଚିତ୍ରାନନ୍ଦ ଲେଙ୍କା, ପ୍ରଫୁଲ ପରିଡା ଆଦି ଉପସ୍ଥିତ ଥିଲେ । ଆଲୋଚନା ଫଳ ସ୍ୱରୁପ ସଦସ୍ୟମାନଙ୍କ ପକ୍ଷରୁ ଦିଆଯାଇଥିବା ୩ ଦଫା ଦାବି ଗୁଡିକ ଅପ୍ରେଲ ୧୫ ତାରିଖ ମଧ୍ୟରେ କାର୍ଯ୍ୟ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ । ସେହିପରି ନିର୍ମାଣ କରିବାକୁ ଥିବା ବ୍ୟାରେଜ ଉପରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ପରେ ଯାହା ନିଷ୍ପତି ଗ୍ରହଣ କରାଯିବ । ଯଦି ଅପ୍ରେଲ ୧୫ ମଧ୍ୟରେ ଦାବି ମୁତାବକ କାର୍ଯ୍ୟ ନହୁଏ ତେବେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ସୁରକ୍ଷା କମିଟି ପକ୍ଷରୁ ଅଶୋକ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।