ମେଡିକାଲ କଲେଜ ଦାବିରେ ରାଜନୈତିକ ଦଳର ଗଣଧାରଣା

କେନ୍ଦ୍ରାପଡା,(ଚିତ୍ତରଂଜନ ଦଶ): ରାଜ୍ୟର ଆର୍ଥିକ ବିକାଶ ନିମନ୍ତେ କେନ୍ଦ୍ରାପଡାର ଉଭୟ ପାଶ୍ୱର୍ରେ ଗଢିଉଠିଥିବା ଯାଜପୁର, କେଉଁଝର ଓ ପାରାଦୀପ ଶିଳ୍ପାଚଂଳ ପାଇଁ ଏହି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫ନମ୍ବର(କ) ଜାତୀୟ ରାଜପଥ ଓ ରେଳପଥ ପାଇଁ କେନ୍ଦ୍ରାପଡା ଜିଲ୍ଲାବାସୀ ତାଙ୍କର ମୂଲ୍ୟବାନ ଭୂସମ୍ପତ୍ତି ସମେତ ପ୍ରତିଦିନ ଟ୍ରକଚକ ତଳେ ଜୀବନବଳୀ ଦେଉଥିବା ବେଳେ ପ୍ରତିଦାନରେ ପ୍ରତାରଣାର ଶୀକାର ହୋଇ ବିକାଶ କ୍ଷେତ୍ରରେ ରାଜ୍ୟର ୨୯ତମ ସ୍ଥାନରେ ପହଁଚିଛନ୍ତି । ପାରାଦୀପର ଶିଳ୍ପ କାରାଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ପାଇଁ ଜିଲ୍ଲାବାସୀ ହୃଦରୋଗ, ଚର୍ମରୋଗ ଓ ଯକ୍ଷ୍ମା ଆଦି ଦୁରାରୋଗ୍ୟର ଶୀକାର ହେଉଥିବା ବେଳେ ସେସବୁର ଚିକିତ୍ସା ପାଇଁ ସାଧାରଣ ସୁବିଧା ନଥିବାରୁ ଜିଲ୍ଲାବାସୀ ଚିକିତ୍ସା ନିମନ୍ତେ ବାହାରକୁ ଯାଇ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ଏପରି ପ୍ରତିକୂଳ ପରିସ୍ଥିତିରେ ଗତ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ବିକାଶର ଦାୟୀତ୍ୱ ନିଜେ ଦେଖିବେ ବୋଲି ଘୋଷଣା କରିବାରୁ ଜିଲ୍ଲାବାସୀଙ୍କର ଦୀର୍ଘଦିନର ଦାବି ମେଡିକାଲ କଲେଜର ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଥିଲା । ମାତ୍ର ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡା ପ୍ରତି ଅଣଦେଖା କରିବା କୈାଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ଏବଂ ଜିଲ୍ଲାବାସୀ ନିଜର ଏହି ହକ ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ଓ ଯେକୈାଣସି ସ୍ଥରକୁ ଯିବାକୁ ପଶ୍ଚାତପଦ ହେବେ ନାହିଁ ବୋଲି କେନ୍ଦ୍ରାପଡାରେ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା ଦାବିରେ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଗଣଧାରଣାରେ ଯୋଗଦେଇ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସି.ପି.ଆଇ. ନେତା ବାବାଜୀ ଧଳ, ସି.ପି.ଆଇ.(ଏମ)ନେତା ଉମେଶ ଚନ୍ଦ୍ର ସିଂ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଓ ଜନମଂଚ ନେତା ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ଦ୍ୱାରା ପରିଚାଳିତ ଉକ୍ତ ଗଣଧାରଣା କାର୍ଯ୍ୟକ୍ରମକୁ ଆବାହକ ମଣ୍ଡଳି ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ କୁମାର ଦାସ, ଗୟାଧର ଧଳ, ଆଦିକନ୍ଦ ରାଉଳ, ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ଗୈାରାଙ୍ଗ ବେହେରା ପ୍ରମୁଖ ସଂଚାଳନ କରିଥିଲେ । ଏହି ଗଣଧାରଣାରେ ଉପସ୍ଥିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶହ ଶହ ରାଜନୈତିକ କର୍ମୀ ଓ ସାମାଜିକ ସଂଗଠକମାନଙ୍କୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ସିପିଆଇଏମଏଲ ର ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେପି ନେତା ନାରଦ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ଓକିଲ ସଙ୍ଘ ସଭାପତି ସରୋଜରାଜ ସିଂ, ବିଏସପି ନେତା ରଞ୍ଜନ ମଲ୍ଲିକ, ନାରୀନେତ୍ରୀ ସୁବାସିନୀ ଭଦ୍ର, ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ସାମ୍ବାଦିକ ପରେଶ ଦାସଙ୍କ ସମେତ ଦିବାକର ଜେନା, ଦାମୋଦର ଧଳ, ଅକ୍ଷୟ ମଲ୍ଲିକ, ନୀରାକାର ଜେନା, ଗୁରୁ ଚରଣ ସାମଲ, ଦ୍ୱାରିକା ନାଥ ସେନାପତି, ଗୋଲଖ ଚନ୍ଦ୍ର ମହାଭୋଇ, ନିରାକାର ଜେନା, ସୋହାନା ବେଗମ, ଯସ୍ମ୍ମିନ ପରୱିନ, ବାବାଜୀ ପରିଡା, ଜଗତଜୀବନ ଦାଶ, ଡଃ. ବାସୁଦେବ ଦାସ, ରାଜ କୁମାର ବିଶ୍ୱାଳ, ଭାଗିରଥୀ ଜେନା, ଗୋପାଳକୃଷ୍ଣ ଜେନା, ବିଧୁଭୂଷଣ ମହାପାତ୍ର, ବୈଷ୍ଣବ ସ୍ୱାଇଁ, ଶୁଭାଂଶୁ କୁମାର ଦାସ, ବିଦ୍ୟୁତ କୁମାର ଖୁଂଟିଆ, ସତ୍ୟପ୍ରିୟ ସାମଲ, ମଙ୍ଗୁଳି ବେହେରା ପ୍ରମୁଖ ସମ୍ବୋଧିତ କରିଥିଲେ । ଦୋଳଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ