ମେ’ ୨୫ରୁ ସମସ୍ତ ମଣ୍ଡିରେ ରବି ଧାନ ସଂଗ୍ରହ
ନୂଆପଡ଼ା,(ଲିଲାମ୍ବର ନାଗ):ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଧାନ କ୍ରୟ କମିଟି (ରବି ଫସଲ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡୋଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।କମିଟିର ଅନୁମୋଦନ କ୍ରମେ ଚଳିତ ବର୍ଷ ଆସନ୍ତା ୨୦ ତାରିଖରେ ଖରିଆରଠାରେ ରବି ମଣ୍ଡିର ଉଦଘାଟନ କରାଯିବା ସହ ଆସନ୍ତା ୨୫ ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ଧାର୍ଯ୍ୟ କରାଯାଇଛି।ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ ୧୯,୩୪୭ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଏହା ଗତ ବର୍ଷ ତୁଳନାରେ ୬,୦୫୦ ଜଣ ଅଧିକ ଓ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବର୍ଷ ଜିଲ୍ଲାରେ ୪୬ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ କରାଯିବ। କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ନ କରିବାକୁ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ବୈଠକରେ ଜିଲ୍ଲାପାଳ ଧାନ କ୍ରୟ ସହ ଜଡିତ ସମସ୍ତ ବିଭାଗର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଜିଲ୍ଲା ଅଧିକାରୀମାନଙ୍କ ସହ ସମିକ୍ଷା କରିଥିଲେ। ଧାନ କ୍ରୟ କାର୍ଯ୍ୟକୁ ସୂଚାରୁରୂପେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଶେଷ କରି ଛତିଶଗଡ଼ ରାଜ୍ୟରୁ ବେଆଇନ ଭାବେ ଧାନ ପ୍ରବେଶ ରୋକିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଖରିଆର ରୋଡ଼ ଓ ସିନାପାଲି ସୀମାନ୍ତ ସହ ନୂତନ ଭାବେ ନୂଆପଡ଼ା ବ୍ଲକର ଖଳନା ଓ ନରା ଏବଂ ସିନାପାଲି ବ୍ଲକର କେନ୍ଦୁମୁଣ୍ଡା ଅନୁପ୍ରବେଶ ରାସ୍ତାକୁ ସିଲ୍ କରି ୨୪ ଘଣ୍ଟିଆ ପ୍ରହରୀ ମୁତୟନ ପାଇଁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ।ବୈଠକରେ ମିଲର ପ୍ରତିନିଧି ରାଜକୁମାର ଖେମଚା ଗତ ବର୍ଷର ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଶୀଘ୍ର ଉଠାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସମସ୍ତ ମିଲରେ ନୂତନ ଧାନ ଗଚ୍ଛିତ ପାଇଁ ଆବଶ୍ୟକ ସ୍ଥାନର ଅଭାବ ଥିବାରୁ ଜିଲ୍ଲା ବାହାର ମିଲରମାନଙ୍କ ଅଂଶଗ୍ରହଣ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର ୪୪୩୭.୦୦ ମେଟ୍ରିକ ଟନ ଧାର୍ଯ୍ୟ ପ୍ରଦାନ କରିଥିବା ସୂଚନା ମିଳିଛି। ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିବା ସହ ଧାନ ସଂଗ୍ରହ କାର୍ଯ୍ୟରେ ସମସ୍ତ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଉପ-ଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ଯୋଗାଣ ନିରୀକ୍ଷକ ଏବଂ ସହ-ଯୋଗାଣ ଅଧିକାରୀ ହୃଷିକେଶ ନାୟକ ଓ ପୂର୍ଣ୍ଣାଶା ଭୋଇ ଉପସ୍ଥିତ ଥିଲେ।


