ମୈଦାନରେ ୨୨୯୩ ରାଜନୈତିକ ଦଳ
ଲୋକସଭା ନିର୍ବାଚନ-୨ଠ୧୯
ଫେବୃଆରୀରୁ ମାର୍ଚ୍ଚ ୯ ସୁଦ୍ଧା ୧୪୯ଦଳ ପଞ୍ଜିକୃତ
ଭୋଟର ତାଲିକାରୁ ୪କୋଟି ଦଳିତ, ୩ କୋଟି ମୁସଲିମ୍, ୨କୋଟି ମହିଳା ବାଦ୍
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୈଦାନକୁ ୨୨୯୩ଟି ରାଜନୈତିକ ଦଳ ଓହ୍ଲାଇବାକୁ ଯାଉଛନ୍ତି । ବିଶେଷକରି ଗତ ଫେବୃଆରୀରୁ ମାର୍ଚ୍ଚ ୯ ସୁଦ୍ଧା ୧୪୯ଟି ଦଳ ପଞ୍ଜିକୃତ ହୋଇଛନ୍ତି । ଏହି ୧୪୯ଟି ଦଳ ମଧ୍ୟ ବିହାରର ସୀତମ୍ରାହିରୁ ବହୁଜନ ଆଜାଦ୍ ପାର୍ଟି, ଉତ୍ତରପ୍ରଦେଶର କାନପୁରରୁ ସାମୁହିକ ଏକତା ପାର୍ଟି, ରାଜସ୍ଥାନର ଜୟପୁରରୁ ରାଷ୍ଟ୍ରୀୟ ସାଫ୍ନୀତି ପାର୍ଟି, ଦିଲ୍ଲୀରୁ ସବ୍ସେ ବଡି ପାର୍ଟି, ତେଲେଙ୍ଗାନାରୁ ଭରୋସା ପାର୍ଟି ଏବଂ ତାମିଲନାଡୁର କୋଏମ୍ବାଟୁରରୁ ନିଉ ଜେନେରେସନ୍ ପିପୁଲ୍ସ ପାର୍ଟି ଭଳି ଦଳ ସାମିଲ ଅଛନ୍ତି । ଏସମ୍ପର୍କରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି । ଏଥିରେ ୭ଜାତୀୟ ଦଳ ଓ ୫୯ ଆଞ୍ଚଳିକ ଦଳଙ୍କୁ ବାଦ୍ ଦେଲେ ବାକି ୨୨୨୭ଟି ଦଳଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରାଯାଇଛି । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ଦେଶରେ ମୋଟ୍ ୨୧୪୩ଟି ରାଜନୈତିକ ଦଳଙ୍କ ସ୍ଥିତି ସ୍ପଷ୍ଟ ରହିଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୫୮ଟି ଦଳ ୨ଠ୧୮ ନଭେମ୍ବର-ଡିସେମ୍ବର ଆଡକୁ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡ ବିଧାନସଭା ନିର୍ବାଚନ ସମୟରେ ପଞ୍ଜିକୃତ ହୋଇଥିଲେ । ତେବେ ୨୨୯୩ ଦଳଙ୍କ ମଧ୍ୟରୁ କେତେକଙ୍କୁ ଏବେ ପର୍ଯ୍ୟନ୍ତ ନିର୍ବାଚନୀ ସଂକେତ ମିଳିନଥିବାରୁ ସେମାନେ ୨ଠ୧୯ ଲୋକସଭା ନିର୍ବାଚନରେ ପୂର୍ଣ୍ଣାଙ୍ଗ ଭାବେ ସାମିଲ ହୋଇପାରିବେ ନାହିଁ । ସେମାନଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ହେଲେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ୮୪ଟି ମୁକ୍ତ ନିର୍ବାଚନ ସଂକେତ ମଧ୍ୟରୁ ଚୟନ କରିବାକୁ ହେବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଏତଦ୍ବ୍ୟତୀତ ନିର୍ବାଚନରେ ଖର୍ଚ୍ଚ ହେଉଥିବା ଅର୍ଥ ଉପରେ ତୀକ୍ଷ୍ମ ନଜର ରଖିବାକୁ ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ)କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସୁତରାଂ ରାଜନୈତିକ ଦଳଗୁଡିକଙ୍କ ଉପରେ ନିର୍ବାଚନୀ ଖର୍ଚ୍ଚ ପରିମାଣ ଜନିତ ଅଙ୍କୁଶ ଲାଗୁ କରାଯାଇଥିବା ବେଳେ କିଛି ଦଳ ପଞ୍ଜିକରଣ ଅପେକ୍ଷାରେ ରହିଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇନଥିବା ଅନୁମାନ କରାଯାଉଛି । ଏମାନେ ପଞ୍ଜିକୃତ ହେଲେ ରାଜନୈତିକ ଦଳଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସେହିପରି ୨ଠଠ୫ରୁ ୨ଠ୧୫ ମଧ୍ୟରେ କୌଣସି ନିର୍ବାଚନ ଲଢ଼ିନଥିବା ବହୁ ଆଞ୍ଚଳିକ ଦଳଙ୍କ ମାନ୍ୟତାକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ନିର୍ବାଚନ ଆଇନ୍ ଅନୁସାରେ ଗୋଟିଏ ରାଜନୈତିକ ଦଳ ସେତେବେଳେ ଏକ ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳ କିମ୍ବା ଜାତୀୟ ଦଳର ମାନ୍ୟତା ପାଇପାରିବ ଯେତେବେଳେ ନିର୍ବାଚନରେ ଏକ ନିର୍ଦ୍ଧାରିତ ଆସନ ସଂଖ୍ୟା କିମ୍ବା ଭୋଟ୍ ପାଇବାରେ ସମର୍ଥ ହୋଇପାରିବ । ତେବେ ଏସବୁ ମଧ୍ୟରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ଭୋଟର ତାଲିକାରେ ୪କୋଟି ଦଳିତ, ୩ କୋଟି ମୁସଲିମ୍ ଓ ୨କୋଟି ମହିଳା ବାଦ୍ ପଡିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ଦେଶରେ ସମ୍ପ୍ରତି ୧୧କୋଟି ମୁସଲିମ୍, ୨ଠକୋଟି ଦଳିତ ଓ ୨୧କୋଟି ମହିଳା ବସବାସ କରୁଛନ୍ତି ।


