ମୋଦି ଗରିବୀ ହଟାଇବାକୁ ଚାହୁଁଥିବା ବେଳେ ମୋଦି ହଟାଇବା ପାଇଁ ଚାହୁଁଛନ୍ତି ନବୀନ : ଧର୍ମେନ୍ଦ୍ର ପ୍ରଧାନ
ପାରାଦୀପ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରୁ ଗରିବୀ, ଦୁର୍ନୀତି, ବୋରୋଜଗାର, ଅନ୍ଧାର ହଟାଇ ଦେଶକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ବେଳେ ନବୀନ ମୋଦି ହଟେଇବା ପାଇଁ ଚାହୁଁଛନ୍ତି । ଓଡିଶାରେ ଆୟୁଷ୍ମାନ ଯୋଜନା, ଶୌଚାଳୟ ବନାଇବାକୁ ମୋଦି ଚାହୁଁଥିବା ବେଳେ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନବୀନ ବାବୁ ଓଡିଶାରେ ଲାଗୁ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୧୯ ବର୍ଷର ପୁଅଟିଏ ପରିବାର ପ୍ରତିପୋଷଣର କ୍ଷମତା ରଖେ । ମାତ୍ର ୧୯ ବର୍ଷରେ ନବୀନ ବାବୁ ଓଡିଶାରେ ଋଣ ଭାର ବଢାଇ ଓଡିଶାକୁ କାଙ୍ଗାଳ କରିଦେଲେ । କଟକ ଜିଲ୍ଲାର ନିଆଳି, ଯାଜପୁରର ବିଞ୍ଝାରପୁର, ଅନୁଗୁଳର ପାଲଲହଡା ଏବଂ ଜଗତସିଂହପୁର ଜିଲ୍ଲାର ପାରାଦୀପ ଓ ତର୍ତୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ଆସିଲେ ଆଗାମୀ ୫ ବର୍ଷ ଭିତରେ ବିଶ୍ୱ ବଜାରର ସବୁଠୁ କେନ୍ଦ୍ରସ୍ଥଳ ପାରାଦୀପ ହେବ । ଏଠାରେ ଓଡିଆ ଯୁବକ କେବଳ କାମ କରିବ ନାହିଁ, ମାଲିକ ହୋଇ କାମ ମଧ୍ୟ ଦେବ । ପାରାଦୀପରେ ଏୟାରପାର୍ଟ ବନାଯାଉଥିବା ବେଳେ ବିଜେପି ସରକାର ହେଲେ ପାରାଦୀପକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ । ଏଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ପାରାଦୀପକୁ ଏକ ନୈସର୍ଗିକ ସହର ଭାବରେ ପରିଣତ କରାଯିବ । ଏତଦବ୍ୟତିତ ପାଲଲହଡାରେ ଶୀତଳ ଭଣ୍ଡାର ବନାଯିବ ଏବଂ ନିଆଳିକୁ ଏନଏସିରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡାଲି ଦୁର୍ନୀତିରେ ଥିବା ଲୋକଙ୍କୁ ଜେଲ ପଠାଯିବ ବୋଲି ସେ କହିଛନ୍ତି । ଗତ ନିର୍ବାଚନରେ ବିଜୁ ଜନତା ଦଳର ୨୦ ଜଣ ସାଂସଦ ଜିତିଥିଲେ ମଧ୍ୟ କେହି ନିଆଳିର ଦୁଃଖ ସମସ୍ୟା କଥା ଉଠାଇନଥିଲେ । ସଂସଦରେ ନିଆଳିର ଦୁଗ୍ଧ ଚାଷୀ ତଥା ଚାଷୀଙ୍କ ସମସ୍ୟା ଓ ଅନେକ ସ୍ଥାନୀୟ ସମସ୍ୟା କେହି ଗୃହରେ ଉଠାଇନଥିଲେ । ଏତଦବ୍ୟତିତ ନିଆଳିର ଏନଏସି ପାଇଁ କୌଣସି ନେତା ଧାରଣା ମଧ୍ୟ ଦେଇନଥିଲେ ବୋଲି ସେ କହିଛନ୍ତି । ବିଜେପି ସରକାର ହେଲେ ଓଡିଶାରେ ଚିଟଫଣ୍ଡକାରୀ ଓ ଖଣି ମାଫିଆଙ୍କୁ ତିନି ମାସରେ ଜେଲ୍ ପଠାଯିବ ଓ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମ୍ପତିକୁ ବାଜ୍ୟାପ୍ତ କରି ଉକ୍ତ ଅର୍ଥରେ ଧର୍ମଶାଳା, ସରକାରୀ ସ୍କୁଲ, ଡାକ୍ତରଖାନା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲାଯିବ ବୋଲି ମଧ୍ୟ ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ମୋଦି ନିଶା ଘାରିଛି । ପାଣି ପିଇ ପିଇ ଦିନରାତି ମୋଦିଙ୍କୁ ଗାଳି କରୁଛନ୍ତି । ନବୀନ ବାବୁ ଏବେ ମୋଦି ଓ ପରିବର୍ତନ ନାଁ ଶୁଣିଲେ ଭୟ କରୁଛନ୍ତି । ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ କଥା କହି ଅସ୍ଥିର ସରକାର ହେବ ବୋଲି ବୁଲିବୁଲି କହୁଛନ୍ତି । ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ମୟାବତୀ, ଚନ୍ଦ୍ରବାବୁ, ଲାଲୁ ପ୍ରସାଦ ଯାଦବ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପରି ଅସ୍ଥିର ସରକାର ଚାହୁଛନ୍ତି । ଅନ୍ୟପଟେ ଦିଲ୍ଲୀର ଚାବିକାଠି ମୋ ହାତରେ ରହିବ ବୋଲି କହୁଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଚାବିକାଠୀ ଖଣି ମାଫିଆ ପ୍ରଭାକରନକୁ ଦେଇଦେଲେ, ଚିଟପଣ୍ଡକାରୀଙ୍କୁ ନିଜ ଘରେ ରଖିଲେ । ଏବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇ ଦେଉଥିବା ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାରର ଚାବୀ ରଖିବା କଥା କହୁଛନ୍ତି କହି ସେ କଟାକ୍ଷ କରିଛନ୍ତି । ଗୋଟିଏ ପଟେ ୧୯ ବର୍ଷର ପ୍ରତାରଣା ଓ ଅନ୍ୟପଟେ ୫ ବର୍ଷର ସେବା । ୧୯ ବର୍ଷର ଲମ୍ବା ଶାସନରେ ଏ ଅଂଚଳର ସବୁ ଗାଁକୁ ପାଇପ ଯୋଗେ ଶୁଦ୍ଧ ପିଇବା ପାଣି ଯାଇନାହିଁ, ଜଳ ସେଚନର ବ୍ୟବସ୍ଥା ନାହିଁ, ସରକାରୀ ଦରମା ପ୍ରାପ୍ତ ଶିକ୍ଷକ ନାହାନ୍ତିି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରୋଜଗାର ନପାଇ ଯୁବକ ବାହାରକୁ କାମ କରିବାକୁ ଯାଉଛି, ବନ୍ଦର କଳାକାରଖାନା ଥିବା ପରେ ମଧ୍ୟ ଯୁବକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛି । ଏ ବ୍ୟବସ୍ଥା ନକରି ରାଜ୍ୟ ସରକାର ୧୯ ବର୍ଷର ଦମ୍ଭ ଦେଖାଉଛନ୍ତି ।
ସେହିପରି ୧୯ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ ଓଡିଶାର ଚାବି ଖଣିମାଫିଆ ଓ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦେଇଦେଲେ । ଓଡିଶାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେବା ପରେ ଏମାନେ କୁମ୍ଭୀର କାନ୍ଦଣା କାନ୍ଦିବାର ସୁଆଙ୍ଗ ରଚୁଛନ୍ତି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ରତ୍ନଭଣ୍ଡାର ଚାବି ହଜେଇ ଦେଉଥିବା ବେଳେ ଦିଲ୍ଲୀର ଚାବି କାଠି ରଖିବାକୁ ବାହାରିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି । ମୋଦି ଗରିବ ଘରୁ ଆସି ପ୍ରଧାନମନ୍ତ୍ରୀ ହୋଇଛନ୍ତିି । ମୁହଁରେ ସୁନା ଚାମଚ ନେଇ ଜନ୍ମ ନେଇଥିବା ନବୀନ ବାବୁଙ୍କୁ ଗରିବୀ କଣ ଜଣା ବୋଲି ପ୍ରଶ୍ନ କରିବା ସହ ୧୯ ବର୍ଷର ଅପାରଗ, ଦୁର୍ନୀତିଗ୍ରସ୍ତ, ଚିଟଫଣ୍ଡଖିଆ, ମହିଳା ବିରୋଧୀ ଓ ଚାଷୀ ବିରୋଧୀ, ରୋଜଗାର ଦେଉନଥବା ରାଜ୍ୟ ସରକାରକୁ ବଦଳାଇ ଓଡିଶାରେ ମୋଦିଙ୍କ ସରକାର ଆଣିବାକୁ ଆହ୍ୱାନ କରିଥିଲେ ।