ମୋଦି ବିଜେପିର ଶିଶୁପାଳ ୧ଠଠ ଭୁଲ୍କୁ ନେଇ ପୁସ୍ତକ ଉନ୍ମୋଚନ କଲା କଂଗ୍ରେସ
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧ଠଠଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ୧ଠଠ ପୃଷ୍ଠାର ଏକ ବହି କଂଗ୍ରେସ ଜାରି କରିଛି । ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ୍ ଖାଡ୍ଗେେଳ କେସି ଭେଣୁଗୋପାଳ ଏବଂ ଅଶୋକ ଚଭାନ୍ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହାପରେ ଉକ୍ତ ପୁସ୍ତକୁ ଉନ୍ମୋଚନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପିର ଶିଶୁପାଳ ବୋଲି କୁହାଯାଇଛି ।
ମୋଦିଙ୍କୁ ଶିଶୁପାଳ ଆଖ୍ୟା ଦେବାକୁ ଯାଇ ଏହି ବହିରେ ମହାଭାରତର ଏକ କାହାଣୀ ଉଲ୍ଲେଖ କରାଯାଇଛି । ମହାଭାରତରେ ଶିଶୁପାଳଙ୍କ ମା’ ତାଙ୍କ ଭଣଜା ଭଗବାନ କୃଷ୍ଣଙ୍କୁ ପୁଅର ୧ଠଠଟି ଭୁଲ୍ କ୍ଷମା କରିଦେବା ପାଇଁ କହିଥିଲେ । ହେଲେ ୧ଠ୧ଟି ଭୁଲ୍ କରିବା ପରେ କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରରେ ଶିଶୁପାଳକୁ ମାରି ଦେଇଥିଲେ । କଂଗ୍ରେସ ନେତା କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୧ଠଠରୁ ଅଧିକ ଭୁଲ୍ କରିସାରିଲେଣି । ସାଧାରଣ ଲୋକେ ମଧ୍ୟ ମୋଦି ସରକାରର ୧ଠଠଟି ଭୁଲ୍ କ୍ଷମା କରିସାରିଲେଣି । ରାଫେଲ୍ ଦୁର୍ନୀତି ମୋଦି ସରକାରର ସବୁଠାରୁ ବଡ଼ ଦୁର୍ନୀତି ବୋଲି କହିବା ସହିତ ଏହାକୁ ରିଲାଏନ୍ସ ଅଧ୍ୟକ୍ଷ ଅନିଲ୍ ଅମ୍ବାନୀଙ୍କ ବିଜୟ ବୋଲି ବହିରେ ଉଲ୍ଲେଖ କରାଯାଇଛି । ୩୬ଟି ରାଫେଲ୍ ଯୁଦ୍ଧ ବିମାନ ପାଇଁ ୫୮ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି କଂଗ୍ରେସ ସରକାର ବେଳେ ହୋଇଥିବା ଚୁକ୍ତିର ୩ରୁ ୪ ଗୁଣା ଅଧିକ ବୋଲି କଂଗ୍ରେସ ଦାବି କରିଛି । ସେହିପରି ରାତିଅଧିଆ ବିମୁଦ୍ରୀକରଣ କରି କଳାଧନ ଉଦ୍ଧାର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଦାବି କରୁଥିବା ବେଳେ ଏହା ଭାଷଣ ଛଡ଼ା କିଛି ନୁହେଁ ଏବଂ ଏଥିରେ ସାଧାରଣ ଲୋକଙ୍କୁ କୌଣସି ଲାଭ ମିଳିନଥିବା ବେଳେ ପୁଞ୍ଜିପତି ଓ ବ୍ୟବସାୟୀମାନେ ଫାଇଦା ପାଇଥିବା କଂଗ୍ରେସ କହିଛି । ୧ଠଠରୁ ଅଧିକ ଲୋକ ବ୍ୟାଙ୍କ ଆଗରେ ନୋଟ ବଦଳି କରିବାକୁ ଆସି ପ୍ରାଣ ହରାଇଥିବା କଂଗ୍ରେସ କହିଛି ।


