ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ୫ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଡକାୟତ ଗ୍ୟାଙ୍ଗକୁ ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଧରାଇଦେଇଛି । ମୋବାଇଲ ଫୋନକୁ ଟ୍ରାକ କରି ପୁଲିସ ସେମାନଙ୍କ ନିକଟ ରେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଗହଣା ସହିତ ଗୋଟିଏ ମୋବାଇଲ ଫୋନକୁ ଟିକାବାଲି ପୁଲିସ ଜବତ କରିଛି। ଗିରଫ ଡକାୟତ ହେଲେ ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ ଓ ଦାରିଙ୍ଗିବାଡି ଅଞ୍ଚଳର କୃପାକର ମୁଖୀ ଓ ଟିକାବାଲି କଇଁଝର ଅଞ୍ଚଳର ସଞ୍ଜୟ କୁମାର ମଳିକ। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରିରେ ୭ରୁ ଅଧିକ ଡକାୟତ ପଶି ଖେଳନା ବନ୍ଧୁକ ଦେଖାଇ ଓ ମାଡ଼ ମାରି ବହୁ ସୁନା ଗହଣା, ମୋବାଇଲ, ଟାବଲେଟ ଲୁଟି ନେଇଥିଲେ । ଏନେଇ ୨୪ ଏପ୍ରିଲରେ ଟିକାବାଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୁଲିସ। ଏହାପରେ ଜଣ ଜଣ କରି ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଘୁ.ଉଦୟଗିରି ଏସଡ଼ିପିଓ ଡ଼ି.ଟି.ଆର.ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦୀର୍ଘ ୧୮ ଦିନ ଧରି ଏହି ଅଭିଯୁକ୍ତ ମାନଙ୍କୁ ଖୋଜି ଖୋଜି ଶେଷରେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ସହଯୋଗ ରେ ଏହି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଟିକାବାଲି ପୁଲିସ । ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି । ଖୁବ ଶିଘ୍ର ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହେବ ବୋଲି ଏସଡ଼ିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ