ମୋହନା ଅଞ୍ଚଳରେ ଧୂମଧାମରେ ରଜ ପର୍ବ ପାଳନ : ବ୍ଳକ ଅଧ୍ୟକ୍ଷ ଖେଳିଲେ ରଜ
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି କୁଆଁରୀ ଝିଅ ମାନଙ୍କ ଗଣପର୍ବ ରଜ । ମୋହନା ବ୍ଲକର ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ । ନୂଆ ଲୁଗା ଓ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମେହେନ୍ଦି, ଅଳତା ଲଗାଇ ସଜବାଜ ହୋଇ ରଜ ପାନ ଖାଇ ଦୋଳି ଖେଳରେ ସାମିଲ ହୋଇଥିଲେ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ହରିଜନ ସାହିରେ ଭିନ୍ନ ଢଙ୍ଗରେ ସାହିବାସୀ ପାଳନ କରିଛନ୍ତି ରଜ । ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବ୍ଳକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ କୁଆଁରୀ ଝିଅମାନେ ସ୍ଵାଗତ କରି ଚନ୍ଦନ,ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ପୂଜା ଅର୍ଚ୍ଚନା କରିବା ପରେ ବ୍ଲକ୍ ଅଧ୍ୟକ୍ଷ ରିବନ୍ କାଟି ଦୋଳି ଖେଳିଥିଲେ । ମହିଳା ଓ କୁଆଁରୀ ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳିବା ସାଙ୍ଗକୁ ନାଚ ଗୀତରେ ଧୂମଧାମରେ ପାଳନ କରିଛନ୍ତି ରଜ ପର୍ବ। ସେହିପରି ମୋହନା, ଅଡବା,ଚନ୍ଦ୍ରଗିରି, ପାଣି ଗଣ୍ଡା, ବିରିକୋଟ ଆଦି ଅଞ୍ଚଳରେ ପାଳନ ହୋଇଛି ଗଣପର୍ବ ରଜ ।


