ଅଞ୍ଚଳବାସୀଙ୍କୁ ଘାରିଲା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଭୟ : ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସଜାଗ
ଆସିକା (ୱାଇଏନ୍ଏସ୍): ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ମୁକାବିଲା କରିବା ପାଇଁ ଆସିକା ଅଗ୍ନିଶମ ସେବାକେନ୍ଦ୍ରର କେନ୍ଦ୍ର ଅଧିକାରୀ ସନତ୍ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ ଏବଂ ଦ୍ୱାରିକାନାଥ ମେକାପ୍, ଗାଡିଚାଳକ ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ପ୍ରକାଶ କହଁର, ସୁଶାନ୍ତ ବେହେରା, ବାବୁଲା ଗୌଡ, ଏଡି ଅଭିଜିତ୍, ଶୁଭଜିତ୍ ସାହୁ, ବୁଟୁ ରାଉତ, ସୁବ୍ରତ କୁମାର ପ୍ରଧାନ, ଶଶାଙ୍କ ଶେଖର ସାହୁଙ୍କ ସମେତ ଫାୟାର୍ ଟିମ୍ ସଜାଗ ହୋଇ ରହିଥିବା ବେଳେ ଆସ୍କା ଲାଇଟ୍, ପାୱାର୍ ବୋଟ୍, ମେକାନିକାଲ୍ ସ (କାଠଚିରା ଯନ୍ତ୍ର), ରେସ୍କ୍ୟୁ ଗିୟର୍ସ ଭଳି ସମସ୍ତ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ଆଶଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାର କରିବାକୁ ବର୍ତ୍ତମାନ ଠାରୁ କେତେକ ଅସାଧୁ ବ୍ୟବସାୟୀ ସଜବାଜ ହେଉଥିବା ମଧ୍ୟ ଆଲୋଚିତ ହେଉଛି । ସମ୍ଭାବ୍ୟ ବାତ୍ୟା ସମୟରେ ପୁନରୁଦ୍ଧାର, ସ୍ଥାନାନ୍ତରଣ, ପାନୀୟ ଜଳ, ବିଦ୍ୟୁତ୍ର ସୁବନ୍ଦୋବସ୍ତ, ଥଇଥାନ ଆଦି କାର୍ଯ୍ୟକୁ ସୁପରିଚାଳନା କରିବା ଲାଗି ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଗଛପଡି ରାସ୍ତା ଅବରୋଧ ହେଲେ ତାହାକୁ ଶୀଘ୍ର ହଟାଇ ଯାତାୟତ ବ୍ୟବସ୍ଥା କରିବାକୁ ଆସିକା ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ସନତ୍ ପ୍ରଧାନଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ବିଗତ ବର୍ଷ ମାନଙ୍କରେ ଫାଇଲିନ୍, ହୁଡ୍ହୁଡ୍, ତିତିଲି, ଫନି, ଅମ୍ପନ, ୟସ୍, ଅସାନି, ମୋଚା ପରେ ଚଳିତ ମାସରେ ପୁଣି “ଅର୍ଣ୍ଣବ” ଏକ ବାତ୍ୟା ଆଶଙ୍କା କରୁଛି ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ଆସିକାବାସୀଙ୍କ ଚିନ୍ତା ବଢାଇ ଦେଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କିଭଳି ରହିବ ସେ ନେଇ କୌଣସି ସ୍ୱଷ୍ଟଚିତ୍ର ମିଳିପାରି ନଥିବା ଜଣାପଡିଛି। ୧୯୯୯ ମସିହାର ମହାବାତ୍ୟାକୁ ଆସିକାବାସୀ ଅଦ୍ୟାବଧି ଭୁଲି ପାରିନଥିବା ବେଳେ ଦୀର୍ଘ ୨୭ ବର୍ଷ ପରେ ପୁଣି ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଛନକା ପଶିଯାଇଛି । ଆସନ୍ନ ବାତ୍ୟାର ରୂପରେଖ କଣ ହେବ, କେଉଁଠି ସ୍ଥଳଭାଗ ଛୁଇଁବ, କେତେ ପ୍ରଭାବ ରହିବ ସେ ସଂକ୍ରାନ୍ତରେ ଛକବଜାର ସବୁଠି ଆଲୋଚନା ଜୋର୍ ଧରିଛି । ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ନେଇ ଲୋକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ଷା ଓ ପବନର ବେଗ ଯଦି ଆସନ୍ନ ବାତ୍ୟା ସମୟରେ ଅଧିକ ହୁଏ ତେବେ ଧାନଚାଷ ସମେତ ଅନ୍ୟାନ୍ୟ ପନିପରିବା ଚାଷ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ବହୁ ଚାଷୀ ଆଶଙ୍କା କରୁଥିବା ଲକ୍ଷ୍ୟ କରାଯାଇଛି ।


