ଯକ୍ଷ୍ମା ଚିହ୍ନଟ କରିବ ସିବିନାଟ

ଦିନ ଥିଲା ଲୋକେ ଟିବି ବା ଯକ୍ଷ୍ମା ନାଁ ଶୁଣୁଥିଲେ ଭୟରେ ଶିହରି ଉଠୁଥିଲେ । ମାତ୍ର ଆଧୁନିକ ବିଜ୍ଞାନ ଦ୍ୱାରା ରୋଗର ଚିକିତ୍ସା ସମ୍ଭବ ହୋଇପାରୁଛି । ତେବେ ଏହି ରୋଗକୁ ସମୂଳେ ବିନାଶ କରିବାର ପ୍ରୟାସ ଜାରି ରହିଛି । ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର । ଅତ୍ୟାଧୁନିକ ପଦ୍ଧତିରେ ରୋଗ ଚିହ୍ନଟ କରିବା ସହ ଏହାକୁ ସମୂଳେ ନାଶ କରିବା ଲାଗି ନୂତନ ଭ୍ୟାକସିନ ପ୍ରସ୍ତୁତି ସରିଛି । ଆସନ୍ତା ସପ୍ତାହରେ ଭୁବନେଶ୍ୱର ଏମସରେ ପରୀକ୍ଷାମୂଳକ ଭାବେ ବ୍ୟବହାର ଆରମ୍ଭ ହେବ ।
ଟିବି ପ୍ରତିଷେଧକ ଉପରେ ଗବେଷଣା କରୁଥିବା ଆରଏମଆରସି ବୈଜ୍ଞାନିକ ଡ. ଦାଶରଥି ଦାଶ ଓ ଜ୍ୟୋତିର୍ମୟୀ ତୁରୁକ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ମାଇକ୍ରୋସ୍କୋକ ମାଧ୍ୟମରେ ଯକ୍ଷ୍ମା ରୋଗର ଯେଉଁ ପରୀକ୍ଷା କରାଯାଉଥିଲା ୧ ମିଲିଲିଟର କଫରେ ୧୦ହଜାର ମାଇକ୍ରୋ ବ୍ୟାକ୍ଟେରିଆ ଥିଲେ ତାହା ଜଣାପଡୁଥିଲା । ମାତ୍ର ଅତ୍ୟାଧୁନିକ କ୍ୟାଟ୍ରିଜ ବେସେଡ ନ୍ୟୁକ୍ଲିକ୍ ଏସିଡ ଆମ୍ପ୍ଲିଫିକେସନ ଟେଷ୍ଟ (ସିବିନାଟ ) ପ୍ରଣାଳୀ ପରୀକ୍ଷାରେ ୪୦ରୁ ୫୦ ମାଇକ୍ରୋବ୍ୟାକ୍ଟେରିଆ ଥିଲେ ମଧ୍ୟ ତାହା ଜଣାପଡିବ । ରୋଗୀର ଟିସୁ ଏବଂ ପୂଯରେ କମ ଜୀବାଣୁ ଥାଏ, ତେଣୁ ତାହା ମାଇକ୍ରୋସ୍କୋପ ପରୀକ୍ଷାରେ ଜଣାପଡେନାହିଁ । ମାତ୍ର ସିବିନାଟ ପରୀକ୍ଷାରେ ତୁରନ୍ତ ଜୀବାଣୁ ଚିହ୍ନଟ ହୋଇପାରିଥାଏ । ପରୀକ୍ଷାମୂଳକ ଭାବେ ଏହି ପ୍ରକ୍ରିୟା ସଫଳ ହେବା ପରେ ବର୍ତ୍ତମାନ ସିବିନାଟ ମାଧ୍ୟମରେ ପରୀକ୍ଷା କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ଏବେସୁଦ୍ଧା ୧୩୩୮ଟି ସିବିନାଟ ମେସିନ ଯୋଗାଇ ଦିଆଯାଇଛି । ଏହାଛଡା ରାଜ୍ୟର ସମସ୍ତ ଜିଲା ପରୀକ୍ଷାଗାରରେ ସିବିନାଟ ମାଧ୍ୟମରେ ହିଁ ପରୀକ୍ଷା କରାଯାଉଛି । ଫଳରେ ସାମାନ୍ୟ ଆକ୍ରାନ୍ତ ହୋଇଥିବା ରୋଗୀକୁ ମଧ୍ୟ ଏହାଦ୍ୱାରା ଚିହ୍ନଟ କରାଯାଇ ପାରୁଛି । ଅପରପକ୍ଷରେ ଦିନକୁ ଦିନ ଲୋକଙ୍କ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି । ଏହି କାରଣରୁ ଅନେକ କ୍ଷେତ୍ରରେ ଔଷଧ ମଧ୍ୟ ଠିକ ଭାବେ କାମ କରିବାରେ ବିଫଳ ହେଉଛି । ଏଥିପାଇଁ ସମଗ୍ର ଦେଶରେ ୟୁନିଭର୍ସାଲ ଡ୍ରଗ ସେନସିବିିଲିଟି ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ପରୀକ୍ଷା ସିବିନାଟ ମାଧ୍ୟମରେ ହିଁ କରାଯାଇଥାଏ । ଏହି ପରୀକ୍ଷାରୁ ଜଣକର ରୋଗ ପ୍ରତିଷେଧକ ଶକ୍ତି କେତେ ଅଛି ଜଣାପଡିଥାଏ । ଶିଶୁଙ୍କ କ୍ଷେତ୍ରରେ ଏହି ପରୀକ୍ଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।
ଅପରପକ୍ଷରେ ସ୍ପିଅର ମାଇକ୍ରୋସ୍କେପିକ ପରୀକ୍ଷା ମାଧ୍ୟମରେ ଅନେକ କ୍ଷେତ୍ରରେ ଯକ୍ଷ୍ମା ଭଳି ଜୀବାଣୁ ଦେଖିବାକୁ ମିଳିଥାଏ । ମାତ୍ର ପ୍ରକୃତରେ ଏହା ଯକ୍ଷ୍ମା ଜୀବାଣୁ ହୋଇ ନ ଥାଏ । ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସିବିନାଟ ପରୀକ୍ଷାର ଆବଶ୍ୟକତା ରହିଛି । ଏହାଛଡା ଜୀବାଣୁ ହୋଇ ନ ଥିଲେ ମଧ୍ୟ ଏହାର ଚିକିତ୍ସା ଦରକାର ପଡିଥାଏ । ଡ. ଦାଶ ଓ ଡ. ତୁରୁକ ଏଥିପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆରଏନଟିସିପି ଯୋଜନାରେ ନନ ଟ୍ୟୁବୋକୁଲାର ମାଇକ୍ରୋ ବ୍ୟାକଟେରିଆ ଟେଷ୍ଟିଂ ଆରମ୍ଭ ହୋଇଛି । ଓଡିଶାର ୧୦ଟି ଜିଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ସଂଗୃହୀତ ନମୂନାକୁ ନନ ଟ୍ୟୁବୋକୁଲାର ମାଇକ୍ରୋ ବ୍ୟାକ୍ଟେରିଆ ପ୍ରକ୍ରିୟାରେ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁସାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟାରେ ୧୪ଟି ନମୁନା ପରୀକ୍ଷା କରାଯାଇ ସାରିଛି । ସିବିନାଟ ପରୀକ୍ଷା ପାଇଁ ୩ଘଣ୍ଟା ସମୟ ଲାଗିଥାଏ । ଭୁବନେଶ୍ୱର କେନ୍ଦ୍ରରେ ଦୈନିକ ୧୨ରୁ ୧୪ଟି ପରୀକ୍ଷା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ