ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ
ମାୟାଧର ନାୟକ
କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି । ସବୁଦେଶ କହୁଛନ୍ତି – ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ କ୍ଷୁଦାଦ୍ରୀକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁନାହାଁନ୍ତି । ମୃତ୍ୟୁଭୟରେକେବଳକିଛିକିଛି ପ୍ରତିଶୋଧକ ବ୍ୟବସ୍ଥା ନେଉଛେ, ଯାହାଫଳରେ ସବୁ ଦେଶର ରାଜକୋଷ ଖାଲି ହେବାରେ ଲାଗିଛି । ଅସମ୍ଭବ ଭାବେ ଅର୍ଥନୈତିକ ଦୁର୍ଗତି ଦେଖାଦେଇଛି । ସମଗ୍ର ବିଶ୍ୱ ବାସୀଙ୍କ ମନରେ ଛନକା ପଶିଗଲାଣି । କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧ ଚାଲିଥିବାବେଳେ ଏବେ ଚୀନ୍-ଭାରତ ମଧ୍ୟରେ ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ଭଳି ପରିସ୍ଥିତି ଆଡକୁ ଗତି କରୁଛି । ଏବେ ଭାରତ-ଚୀନ୍ ସୀମାରେ କଥା କଟାକଟି, ଝଗଡା ଭିତରେ ଆମର ୨୦ ଜଣ ସୈନ୍ୟ ମୃତ୍ୟୁବରଣ କଲେ । ଆମ ସରକାର ମାନେ ସହିଦ୍ ପରିବାରକୁ କେଇ ଲକ୍ଷଟଙ୍କା ଅନୁଦାନ ଯୋଗାଇଦେଇ ଯଦି ଭାବୁଥାନ୍ତି ଯେ ଏହା ଦ୍ୱାରା ଜନସାଧାରଣଙ୍କ ଆଗରେ ଦେଶପ୍ରେମର ନଜିର୍ ଛାଡିଗଲେ, ତା’ହେଲେ ଏହାତ ଅଲାଜୁକତାକୁ ଏକ ପ୍ରକାର ଅନ୍ଧ ଆଲିଙ୍ଗନ । ଯେଉଁଠି ଫିଲ୍ମଷ୍ଟାରଠୁ ଆରମ୍ଭ କରି କ୍ରିକେଟ୍ ଷ୍ଟାର ପର୍ଯ୍ୟନ୍ତ ଦିନକର ବିଜ୍ଞାପନୀ ପାଉଣା କୋଟି କୋଟିଟଙ୍କା, ସେଠି ସହିଦ୍ ସୈନିକ ପରିବାରକୁ ଏ କେଇଟି ଲକ୍ଷଟଙ୍କାର ଅନୁଦାନ କ’ଣ ଏ ଦେଶର କୌଣସି ନାଗରିକଙ୍କ ଶ୍ରବଣେନ୍ଦ୍ରୀୟ ପାଇଁ ଲଜ୍ଜାକର ନୁହେଁ – ଧିକ୍! ଏ ନିର୍ଲଜ ଘୋଷଣା – ଯେତେ ବେଳେ ଆମର ଲହୁ ଲୁହାଣ ସହିଦର ଶବ ହିମାଳୟର ବରଫ ଖଣ୍ଡଠାରୁ ବି ଆହୁରି ଶୀତଳ ହୋଇ ଆମକୁ ଉପହାସ କରୁଛି ।
କହିବାକୁ କୁଣ୍ଠାନାହିଁ ଯେ – ଆମର ବୀର ସେନାବାହିନୀ ଆଗରେ ବର୍ତମାନ ବିଶ୍ୱତ୍ରାସ ଉପୁଜାଇଥିବା ଆତଙ୍କବାଦ କିଛି ନୁହେଁ । କାରଣ ଗୋଟାଏ ଶୃଙ୍ଖଳିତ ପ୍ରଶିକ୍ଷିତ ସେନାବାହିନୀ ଗୋଟାଏ ମୁହୂର୍ତରେ ମଧ୍ୟ ଆତଙ୍କ ରାଜକୁ ଆଖିପିଛୁଳାକେ ମୂଳପୋଛ କରିଦେବାର ଶକ୍ତି ପ୍ରଦର୍ଶନ କରିପାରେ – ଯଦି ସେମାନଙ୍କୁ ରାଜନୈତିକ ଶାସନର ଛକାପଂଝା ଖେଳଭିତରେ ଆଦୌ କୌଣସି କୂଟଳ ନୀତି ଜନିତ ବିଳମ୍ବିତ ବିଘ୍ନ ସୃଷ୍ଟି ନହୁଏ । ଗଭୀର କ୍ଷୋଭର ବିଷୟ ଯେ – ବିନା ଯୁଦ୍ଧରେ ଆମର ସୈନ୍ୟମାନେ ଯଦି ସହିଦ୍ ହେବେ ଏବଂ ସେମାନଙ୍କ ପରିବାର ରାଜନେତା ଓ ଶାସକ ମାନଙ୍କର ତୁହାକୁ ତୁହା ଶୋକାପ୍ତ ଭାଷଣବାଜୀର ସ୍ୱର ଶୁଣୁଥିବେ – ତା’ ହେଲେ ବିଚାରିବାକୁ ହେବ ଯେ – ଏ ଦେଶ ଆଜି ସବୁଠୁ ଗୋଟା ଏବଡ ଐତିହାସିକ ବିଡମ୍ବନାକୁ ସାମ୍ନାକରିବାକୁ ଯାଉଛି । ବିନା ଯୁଦ୍ଧରେ ୨୦ରୁ ଉର୍ଦ୍ଧଭାରତୀୟ ବୀର ଜବାନ୍ ମର୍ମନ୍ତୁଦ ମୃତ୍ୟୁ ବରଣକଲେ । ସୁରକ୍ଷା ବଳୟ ବେଷ୍ଟିତ ଆମର ଶାସନର ସ୍ୱର ଆକସ୍ମିକ ବିପନ୍ନତାର ବ୍ୟୁହରେ ବଳିପଡିସାରିଥିବା ସହିଦ୍ ସୈନ୍ୟମାନଙ୍କ ପାଇଁ ପ୍ରଥମେ ଶୋକ ଓ ପରେ ପ୍ରତିଶୋଧର ଲହର ଉଠାଇଲାଭ କ’ଣ? ଏ ଦେଶର ଗୁଇନ୍ଦା ବିଭାଗର ନିରାପତା ଭୋଗୀ ନିଶ୍ଚଳ କର୍ତାମାନଙ୍କୁ କଇଫତ ତଲବ କରିବାର ବେଳ ଆଉ କେତେ ଡେରି? ଆମ ସୈନ୍ୟମାନଙ୍କ ଅକାରଣ ଜୀବନ ନାଶ ଅପେକ୍ଷା ଚଳନ୍ତି ରାଜନୀତିର ଯାହା ସବୁ ଖୁଚୁରା ଖେଳ ଚାଲିଛି, ତାହା କ’ଣ ଦେଶ ପାଇଁ ଏତେବଡ!
ଏ ମାଟି କୂଟିଳ କୁବେରମାନଙ୍କର ମୁନାଫାର ମଞ୍ଜିବୁଣିବା ପାଇଁ ଫୁଙ୍ଗୁଳା ଫସଲ କିଆରି ନୁହେଁ । ତାରବାଡ ଆରପଟେ ଯେତେବେଳେ ଶତ୍ରୁ ଶିବିରର ରାତ୍ରୀ ନିଷ୍ପ୍ରଦୀପ, ସେତେବେଳେ ଏ ଦେଶର ମାଟି ଓ ଘାଟିରେ ଶୋଇପଡିଥିବା! ଆଉକେତେ ରକ୍ତ ପାତ, କେତେ ଅମାନୁଷିକ ଆକ୍ରୋଶ, କେତେ ବର୍ବର ବଣ୍ୟତାର ବିଭିଷିକା ଆମ ଦିବା ନିଦ୍ରାର ଅନ୍ତଃ ଘଟାଇବାକୁ ଦରକାର? କେବଳ ଜବାନ୍ ଜାଗିଲେ ହେବନାହିଁ, ଜବାବ ଚାହୁଁଥିବା ଏ ଜାତିର ଶତ କୋଟି ସନ୍ତାନ ବି ଜାଗିଉଠିବା ଦରକାର । ସେମାନେ ପ୍ରଶ୍ନ ପଚାରନ୍ତୁ – ଅଦୃଶ୍ୟ ବନ୍ଧୁକଧାରୀର ଗୁଳିଗୁଡାକୁ । ପ୍ରଶ୍ନ ପଚାରନ୍ତୁ – ଆମକୁ ଆଲିଙ୍ଗନ ମୁଦ୍ରାରେ କଏଦ୍ କରିବାକୁ ଉହୁଂକି ଆସୁଥିବା ତୀକ୍ଷ୍ ନବାଘନଖ ଗୁଡାକୁ ଦେଶର ସୈନ୍ୟମାନଙ୍କ ପାଇଁ ଯେତେବେଳେ ରସଦ୍ ଆଉରେସନ୍ରେ ଗଫଲତିର ଗୁମର ଖବରକାଗଜର ଖୋଲାଫର୍ଦ୍ଦକୁ ଛିଟିକି ଆସେ – ଆମେ କପାଳରେ କର ତାଡୁ । ମାତ୍ର ନିଜ କ୍ଷୁବ୍ଧ ପ୍ରଶ୍ନ ଗୁଡାକୁ ଖୁରଧାରକରି ଏକ ନିର୍ଭୀକ ନାଗରିକ ଆନ୍ଦୋଳନ ଗଢିତୋଳିବାକୁ ବିଳମ୍ବିତ କରିରଖୁ । ନେତାମାନଙ୍କର ବେହିସାଦୀ ଖର୍ଚ୍ଚରେ ଅସ୍ତ ମୁଖୀହୁଏ ଏ ଦେଶର ଅର୍ଥନୀତି, ଅଥଚ ଭାରତୀୟ ନାଗରିକ ସମାଜର ପ୍ରଶ୍ନ ଏବେବି ଅଥର୍ବ – ଅଚଳ – ଅକର୍ମଣ୍ୟ ଅବସ୍ଥାରେ ଥାଇ ମହାଶାନ୍ତିର ଯଜେ୍ଞାତ୍ସବ ପାଇଁ ଧ୍ରୃତଦୀପ କ୍ରୟ କରିବାରେ ବଡ ଆଗ୍ରହୋଦ୍ଧୀପକ ଆଚରଣ ପ୍ରଦର୍ଶନ କରେ । ମଂଚରେ ମଂଚରେ ଆମ ପ୍ରବଂଚକ ନେତୃବର୍ଗ ଜନଦରବାରରେ ଜାତୀୟ ସଂଗୀତ ଗାନ ବେଳେ ଦଣ୍ଡାୟମାନ ମୁଦ୍ରାରେ ନିରବତା ଅବଲମ୍ବନ କରିଶେଷରେ ମାଇକ୍ମୁହାଁ ଅବସ୍ଥାରେ ଶୁଣାଇ ଚାଲନ୍ତି – ଓଁଶାନ୍ତି – ଶାନ୍ତି – ଶାନ୍ତି ।
ଏବେ କିନ୍ତୁ ଯାହା ଜଣାପଡୁଛି ଯୁଦ୍ଧ ହୁଏତ ହୋଇନପାରେ! ଯଦି ହୁଏ – କେଉଁ ଦେଶ କାହା ପକ୍ଷରେ ରହିବେ, ତାହା ଏବେଠୁ ଜଣାପଡିନି । ବିଭିନ୍ନ ଦେଶରେ ବିଶେଷକରି ଆମେରିକାରେ ଯେଉଁସବୁ ବିଷାକ୍ତ ମାରଣାସ୍ତ୍ର ଅଛି – ରାଜକୋଷ ଖାଲିକରି ଯୁଦ୍ଧୋନ୍ମାଦ ଦେଶମାନେ କ୍ରୟକରିବେ ଏବଂ ତାହା ଯଦି ବ୍ୟବହୃତ ହୁଏ, ତା’ହେଲେ ସମଗ୍ର ବିଶ୍ୱରେ ଅତିଭୟଙ୍କର ପରିସ୍ଥିତି ସୃଷ୍ଟିହେବ । ଦେଶ କ’ଣ ସ୍ୱାଧୀନତାର ୭୩ ବର୍ଷ ପରେ ବି ସେଇ ଗୋଲକ ଧନ୍ଦାରେ ଘୂରି ବୁଲୁଛି? ଠିକ୍ ଅଛି – ଯୁଦ୍ଧ ଲାଗିବ ତ ଲାଗୁ – ଭାରତର ଉତ୍ପିଡିତ କ୍ରନ୍ଦନ ଧ୍ୱନୀଭିତରେ ଶିଶୁସନ୍ତାନର ନିଦ ଭାଙ୍ଗିବତ ଭାଙ୍ଗୁ – ଡେଙ୍ଗାବାହିନୀ ମୁଣ୍ଡରେ ଠେଙ୍ଗାର ପ୍ରହାର ଜୋରଦାର ଭାବରେ ଲାଗିବତ ଲାଗୁ, କିନ୍ତୁ ଏପ୍ରକାର ବାହୁନାର ବାହାଦୁରି ଭିତରେ ଭୂଆଁ ନବୁଲୁ ଆମର ଭାରତବର୍ଷ । ସହିଦର ସଂଗ୍ରାମ ସଂସ୍କୃତି ଆମର ଲୁହଚାହେଁ – ନା – ଲହୁବଳା ଅଙ୍ଗିକାର ଚାହେଁ? ଏ ପ୍ରଶ୍ନ ଇତିହାସର ପ୍ରଶ୍ନ, ଆଜିର ଉପର ଠାଉରିଆ ମନ୍ତବ୍ୟ ଦାତାମାନଙ୍କୁ । ଆମର ବୀର ସେନା ଯେତେବେଳେ ତିନିବାହିନୀରେ ସାମିଲହୁଅନ୍ତି – ସେମାନେ ଦେଶପାଇଁ – ଜାତିପାଇଁ ପ୍ରାଣବିସର୍ଜନ କରିବାକୁ ଶପଥବଦ୍ଧ ସତ୍ୟପାଠରେ ବଂଚିବାବେଳୁ ହିଁ ଦସ୍ତଖତ ଲେଖିଦେଇଥାନ୍ତି । ମୃତ୍ୟୁର ଭୟ ସେମାନଙ୍କୁ କବଳିତ କରିପାରେନା କେବେ । ସେମାନେ ଲଢୁଆ – ସେମାନେ ଆଗୁଆ, ଅଥଚ ବିନା ଯୁଦ୍ଧରେ, ବିନାଗୁଳିରେ ଶତ୍ରୁ ପକ୍ଷର ଅଚାନକ ଚଢଉରେ କ’ଣ ଏପରି ଅଙ୍ଗିକାରବଦ୍ଧ ଜୀବନକୁ ଅଯଥାରେ ଅପଚୟକରି ଦେବାକୁ ସେମାନେ କେବେ ହେଲେ ରାଜିହେବେକି? ଆମର ମୋଟା ବେତନ ସହ ବିଭିନ୍ନ ଭତା ଓ ସୁବିଧା ସୁଯୋଗ ପାଇ ରାଜରାସ୍ତାରେ ଚାରି ଚକିଆର ଆରାମୀ ଆରୋହୀ ହୋଇ ଚାଲିଥିବା ଗୁଇନ୍ଦା ବିଭାଗର ବଡବଡ ଅଫିସର ମାନେ କ’ଣ ଏପ୍ରକାର ଦୁର୍ଘଟଣା ଘଟିବା ପୂର୍ବରୁ କୌଣସି ପ୍ରକାର ସୁରାକ୍ ବା ସୂଚନାର ଛୋଟ ଚିରୁକୁଟିଟିଏ ସୁଦ୍ଧା ପାଇ ପାରିଲେନି? ତା’ହେଲେ ସେମାନେ କରୁଛନ୍ତି କ’ଣ? ଗାଦି ଉପରେ ବସିଥିବା ଆମ ଦେଶି ନେତାମାନେ ଏତେ ଶୀଘ୍ର ଅଶ୍ରୁ ବିସର୍ଜନ କରି ନିଜ ନିଜକୁ କ’ଣ ଦରଦୀ ମରମୀ ଜନ ପ୍ରତିନିଧି ବିଜ୍ଞପ୍ତି ଦେଇ ସବୁ କର୍ତବ୍ୟ ଶେଷ ହୋଇଗଲା ବୋଲି ଭାବୁଛନ୍ତିକି? ଏ ଦେଶ ଗଣତନ୍ତ୍ର କ’ଣ ଶେଷକୁ ଗୁରୁଣ୍ଡି ଗୁରୁଣ୍ଡି ଏକ ସାମରିକ ଏକ ଛତ୍ରବାଦର ଏରୁଣ୍ଡି ବନ୍ଧ ଆଡକୁ ଆଗେଇ ଯିବ?
ମୋର ମନେହୁଏ, ଆମ ଶାସନର ଏ ତଥାକଥିତ ‘ମହାଶାନ୍ତି’ର ମନ୍ତ୍ରପାଠ ଅଦୂର ଭବିଷ୍ୟତ ପାଇଁକେବଳ ନିସ୍ତବ୍ଧତମ ଶ୍ମଶାନୀ ଶାସନର ହିଁ ଶୁଷ୍କ ଶାନ୍ତି ପାଠମାତ୍ର । କଳି ଯଦି କଂଟକିତ, ତା’ହେଲେ ବଗିଚାର ମାଳି ଆଉ ଜଗୁଆଳୀକୁ ତଲବ ନକଲେ ଆଜି ଏ ଦେଶର ଉତର ପିଢି ନିକଟରେ ଆମେ ନିଜର ଦାୟିତ୍ୱ ହୀନତାକୁ ହିଁ ନିନ୍ଦନୀୟ ନଜିର ଭାବରେ ଯେ ଛାଡିଯାଉଛୁ – ଏଥିରେ ଅଣେମାତ୍ର ସନ୍ଦେହ ନାହିଁ । କରୋନା ମହାମାରୀର ପ୍ରଳୟ କାଳ ବଳୟ ଆଉ ୪/୫ ବର୍ଷ ରହିବବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନ କହିଲେଣି । ଏବେ କରୋନା ଭୂତାଣୁ ନୂଆ ଓ ଭୟଙ୍କର ଭାବେ ଦେଖାଦେବ । ଏହି ସମୟରେ ଭାରତରେ ଯୁଦ୍ଧ ଆୱ ହାୱା ଦେଖାଦେଇଛି । ବର୍ତମାନ ସାରାଦେଶରେ ଚୀନ୍ ବିରୁଦ୍ଧରେ ରଣହୁଂକାର । ଯୁଦ୍ଧ! ଯୁଦ୍ଧ!! ଯୁଦ୍ଧ!!! ଚାରିଆଡେ ଯୁଦ୍ଧ । ସାରା ବିଶ୍ୱର ମାନବ ଜାତି ମହାମାରୀ କରୋନା ବିରୁଦ୍ଧରେ ଲଢୁଥିବାବେଳେ ଯୁଦ୍ଧର ଘନ ଘୋଟା ମଧ୍ୟ ବଢି ଚାଲିଛି । ଥମୁନି ଯୁଦ୍ଧୋ ନ୍ମାଦନା । ଜୀବନ ଉଛନ୍ନ ହୋଇପଡିଥିବା ବେଳେ ଜୀବିକା ପାଇଁ ଅହରହ ଯୁଦ୍ଧ ଚାଲିଛି । ସବୁ ଯୁଦ୍ଧ ଯଦି ଏକାକାର ହୋଇଯାଏ, ତା’ହେଲେ ମଣିଷ ବଂଚିବ ତ! ଯୁଦ୍ଧ ଅର୍ଥ ହିଁ ଏକ ପ୍ରକାର ଧ୍ୱଂସ । କିଏ ଜିତୁ ବା ହାରୁ – କ୍ଷୟ କ୍ଷତି ଉଭୟ ପଟର । ଯୁଦ୍ଧ ପରେ ଶାନ୍ତି କଥାଟାଏ ବେ ଅଭିଧାନରେ ଅଟକି ଯାଇଛି । ଆଗକୁ ଏସବୁ ଯୁଦ୍ଧର ପରିଣାପ କ’ଣ ହେବ – ଏବେଠୁ କହିବା ସମ୍ଭବପର ନୁହେଁ । ରାଜନୀତି, ଅର୍ଥନୀତି, କୂଟନୀତିରେ ଭାବ ପ୍ରବଣତା ଶୋଭା ପାଏନା । ସଠିକ୍ ଯୁକ୍ତି ଓ ପ୍ରମାଣରେ ଶତ୍ରୁକୁ ଆମେ ଆଣ୍ଠେଇ ଦେଇପାରିବା । ଏବେ ଯଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ । ବାସ୍ତବ ପରିସ୍ଥିତିକୁ ଆଖି ଆଗରେ ରଖି ଆମକୁ ଅତିସାବଧାନତାର ସହ କାର୍ଯ୍ୟ କରିବାକୁ ହେବ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩