ଯୁବ ଦିବସର ତାତ୍ପର୍ଯ୍ୟ

ପ୍ରତିବର୍ଷ ଜାନୁୟାରୀ ୧୨ ତାରିଖକୁ ଯୁବ ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସଟି ବାସ୍ତବରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ । ସେ ୧୨ ଜାନୁୟାରୀ ୧୯୬୩ରେ ପଶ୍ଚିମବଂଗର ଶିମୁଳିଆ ନାମକ ଏକ ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଏବଂ ମାତାଙ୍କ ନାମ ଭୁବନେଶ୍ୱରୀ ଥିଲା । ଏମାନଙ୍କର ବୈବାହିକ ଜୀବନର ବହୁଦିନ ଯାଏଁ ସନ୍ତାନ ସନ୍ତତି ନହେବାରୁ, ସେମାନଙ୍କର ଆରାଧ୍ୟଦେବତା ବୀରେଶ୍ୱର ମହାଦେବଙ୍କ ଶରଣ ଗଲେ ଏବଂ ତାଙ୍କ କୃପାରୁ ବିବେକାନନ୍ଦଙ୍କୁ କୋଳରେ ପାଇଲେ । ସ୍ୱାମୀ ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଛାତ୍ରାବସ୍ଥାରେ ସେ ବି ମେଧାବୀ ଥିଲେ । ନିଜର ପିତା-ମାତା ତଥା ଗୁରୁଜନମାନଙ୍କ ପ୍ରତି ତାଙ୍କର ଅନାବିଳ ଭକ୍ତି ଓ ସମ୍ମାନ ଥିଲା । ସେମିତି କନିଷ୍ଠ ମାନଙ୍କ ପ୍ରତି ଥିଲା ଶ୍ରଦ୍ଧା ଓ ସ୍ନେହ ।
ଜନ୍ମବେଳେ ସେ ଅଭାବୀ ନଥିଲେ କାରଣ ତାଙ୍କ ପିତା କଲିକତା ଉଚ୍ଚନ୍ୟାୟାଳୟର ଥିଲେ ବରିଷ୍ଠ ଓକିଲ ଅଥଚ ପିତାଙ୍କର ଅକାଳ ବିୟୋଗ କାରଣରୁ ତାଙ୍କୁ ଦୟନୀୟ ଦାରିଦ୍ର‌୍ୟ ଦେଇ ଗତି କରିବାକୁ ହେଲା ।
ଏକଦା ଦକ୍ଷିଣେଶ୍ୱର କାଳୀମନ୍ଦିରରେ ରାମକୃଷ୍ଣ ଦେବଙ୍କ ସହିତ ତାଙ୍କର ଦେଖା ହେଲା । ସେଇ ପ୍ରଥମ ଦେଖାରୁ ଉଭୟଙ୍କ ମଧ୍ୟରେ ଆତ୍ମୀୟତା ବଢ଼ିଗଲା ଏବଂ ସମୟକ୍ରମେ ସେ ରାମକୃଷ୍ଣଙ୍କର ପାଲଟିଗଲେ ପଟ୍ଟଶିଷ୍ୟ ଏବଂ କାଳୀ ଭକ୍ତ । ପରିବର୍ତ୍ତନ ହୋଇଗଲା ଜୀବନର ଦିଗ । ସେ ପାଲଟି ଗଲେ ବ୍ରହ୍ମଚାରୀ । ଆଧ୍ୟାତ୍ମିକ ଦିଗରେ ନିୟୋଜିତ ହେଲା ତାଙ୍କର ଦେହ ଆଉମନ । ଏକଦା ନରେନ୍ଦ୍ର ନାଥ ଦତ୍ତ; ଶ୍ରଦ୍ଧାନାମ ‘ବେଲେ’ ଥିବା ଶିଶୁଟି ପାଲଟି ଗଲା ସ୍ୱାମୀ ବିବେକାନନ୍ଦ ।
ବିବେକାନନ୍ଦ କେବଳ ଜଣେ ସନ୍ନ୍ୟାସୀ ନଥିଲେ, ସେ ଥିଲେ ଜଣେ ପ୍ରଚଣ୍ଡ ଦେଶ ପ୍ରେମୀ ଯିଏକି ଭାରତୀୟ ମାନଙ୍କ ହୃଦୟରେ ଦେଶ ପ୍ରେମର ବହ୍ନି ପ୍ରଜ୍ୱଳନ ପାଇଁ ତାଙ୍କ କାର୍ଯ୍ୟ ଧାରା, ଭାଷଣ ଓ ଲେଖା ମାଧ୍ୟମରେ ଇନ୍ଧନ ଯୋଗାଉଥିଲେ । ତାଙ୍କ ବିଶ୍ୱପ୍ରେମ ପାଇଁ ସେ ଚିରବନ୍ଦନୀୟ । ତାଙ୍କ ଭାଷାରେ ସବୁଜାତି, ସବୁଧର୍ମ ଓ ବର୍ଣ୍ଣର ଲୋକମାନେ ଭାଇ ଭାଇ; ସମସ୍ତେ ଗୋଟିଏ ଜାତି: ମଣିଷ ଜାତି । ସବୁଦେଶର ହତାଶ ମଣିଷ ପାଇଁ ସେ ଶୁଣାଉଥିଲେ ଅମିତ ଆଶାରବାଣୀ । ସେ ତାଙ୍କ କଥା ବା ବଚନରେ ପ୍ରଗଳ୍‌ଭ ନଥିଲେ, କର୍ମବୀର ଥିଲେ ।
ଦୁର୍ଗତ ମାନବ ଦୁଃଖରେ ତାଙ୍କ ହୃଦୟ ଓ ଆତ୍ମା ବିଗଳିତ ହୋଇ ଉଠିଛି । ସେ ସେମାନଙ୍କ ପାଇଁ କାନ୍ଦି ଉଠିଛନ୍ତି । ଯାହାର ପରିମାପ ସମ୍ଭବ ନୁହେଁ । ଭୀମ ଭୋଇଙ୍କ ପରି ଏହି ଦୁର୍ଗତ ମଣିଷ ଓ ଦେଶପାଇଁ ସେ ଏକଦା କହି ଉଠିଛନ୍ତି: ଦେଶର କଲ୍ୟାଣ ଲାଗି ଯଦି ନରକର ୂଯାତ୍ରୀ ହେବାକୁ ପଡେ ତାହାହିଁ ମୋ ପକ୍ଷରେ ଶ୍ରେୟ ।
ତାଙ୍କର ଗୋଟିଏ କଥା ଉପରେ ସଦାବେଳେ ଗୁରୁତ୍ୱ ଥାଏ: ମଣିଷ ହୁଅ । ଗୋଟିଏ ମଣିଷ ଯଦି ତିଆରି ହୋଇପାରେ ସେଠି ଲକ୍ଷ ଭାଷଣର ଆବଶ୍ୟକତା ନାହିଁ । ଏଣୁ ମଣିଷର ଆବଶ୍ୟକତା ଅଛି । ଆଉ ସବୁ ଆପଣାଛାଏଁ ସମ୍ଭବ ହୋଇଯିବ ।
ମଣିଷ ହେବା ପାଇଁ ପ୍ରଚୁର ଜ୍ଞାନର ଅଧିକାରୀ ହେବାକୁ ପଡ଼ିବ । ସେଥିପାଇଁ ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରିଛନ୍ତି: ପଢ଼, ପ୍ରଚୁର ପଢ଼; ବେଦପଢ଼, ବେଦାନ୍ତ ପଢ଼. . . .ପଢ଼ ।
ଯୁବକମାନେ ଏ ଦେଶର ସଂରକ୍ଷକ, ନିର୍ମାତା ଏବଂ ଭାଗ୍ୟବିଧାତା । ତାଙ୍କ ଦ୍ୱାରା ସବୁ ସମ୍ଭବ । ସେଥିପାଇଁ ବୀର୍ଯ୍ୟବାନ, ସଂପୂର୍ଣ୍ଣ ଅକପଟ, ତେଜସ୍ୱୀ, ଏବଂ ବିଶ୍ୱାସୀ ଯୁବ ଗୋଷ୍ଠୀର ପ୍ରୟୋଜନ ଅଛି । ସତ କହିବାକୁ ଗଲେ ଶିଶୁ ମାନଙ୍କର ଦେଶ ସମ୍ଭାଳିବା ସମୟ ଆସିନଥାଏ । ଅନ୍ୟପକ୍ଷରେ ବୟସ୍କ ବା ବୃଦ୍ଧମାନେ ଏକ ନିଷ୍ପ୍ରଭ ଜ୍ୟୋତି ସଦୃଶ । କେବଳ ଯୁବଗୋଷ୍ଠୀ ହେଉଛନ୍ତି ଏକପାରିବା ଗୋଷ୍ଠୀ । ଯୌବନରେ ସେମାନଙ୍କର ସମସ୍ତ ଶକ୍ତି ସତେଜ ଥାଏ; ମନ ନମନୀୟ ଥାଏ । ଏହିମାନେ ଆନ୍ତରିକତା ସହ ଚେଷ୍ଟା କଲେ, ସମସ୍ତ ପୂର୍ବ ଗଠନ ଭାଂଗି, ମନକୁ ଯେମିତି ଖୁସି , ନୂତନ ଭାବକୁ ଗଢ଼ିତୋଳିବା ସହଜ ହୁଏ । କୌଣସି ଉଚ୍ଚଭାବ ଗ୍ରହଣ କରି ଜୀବନରେ ସ୍ଥାୟୀଭାବରେ ତାହାକୁ ଧରି ରଖିବାର ଏହାହିଁ ଉପଯୁକ୍ତ ସମୟ । ଯୁବକମାନଙ୍କ ଉପରେ ଗୁରୁତ୍ୱ ଦେଇ ଏକଦା ମାନ୍ଦ୍ରାଜରେ ଯୁବକମାନଙ୍କୁ କହିଥିଲେ: ମୁଁ ଚାହେଁ କେତେଜଣ ଯୁବକ । ବେଦ କହିଛି : ଆଶିଷ୍ଠ, ବଳିଷ୍ଠ ଦ୍ରଢ଼ିଷ୍ଠ ଏବଂ ମେଧାବୀ ଯୁବକ ଗଣ ଈଶ୍ୱରଙ୍କୁ ଲାଭକରିବେ । . . . .ଯେତେଦିନ ତୁମ୍ଭମାନଙ୍କ ଭିତରେ ନବୀନତା ଓ ସତେଜ ଭାବ ରହିଛି , କାର୍ଯ୍ୟରେ ଲାଗ, ଏହାହିଁ ସମୟ ।
ସେବା ମନୋବୃତ୍ତିରେ ଯୁବକମାନଙ୍କୁ ନିୟୋଜନ ଉଦ୍ଦେଶ୍ୟ ନେଇ ସେ ସେମାନଙ୍କୁ କୁହନ୍ତି: ତୁମ୍ଭମାନଙ୍କର ଜାତିର କଲ୍ୟାଣ ପାଇଁ ; ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ, ଆତ୍ମବଳି ହିଁ ଶ୍ରେଷ୍ଠ କର୍ମ । ଏକଥାକୁ ସ୍ମରଣ କରି କାମ କରିବା ଉଚିତ ।
ଦେଶ ପ୍ରେମର ବହ୍ନିରେ ଜୀବନକୁ ଉତ୍ସର୍ଗ କରିବା ନିମନ୍ତେ ଆହ୍ୱାନ ଦେଇ ସେ ଏକଦା କଲିକତାର ଯୁବକ ମାନଙ୍କୁ ଉଦ୍ ବୋଧନ ଦେଇଛନ୍ତି: ଉଠ, ଜାଗ, ଶୁଭ ମୂହୁର୍ତ୍ତ ସମାଗତ . . .ସାହସ ଅବଲମ୍ବନ କର, ଭୟକରନାହିଁ; ନିର୍ଭୀକ ହେବାକୁ ହେବ, ତେବେ ଯାଇ ଆମେ କାର୍ଯ୍ୟରେ ସଫଳତା ଲାଭ କରିବୁ ।. . .ଉଠ.ଜାଗ, କାରଣ ତୁମ୍ଭମାନଙ୍କ ମାତୃଭୂମି ଏହି ପରି ଆହ୍ୱାନ କରୁଛି । ଯୁବକମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସାଧିତ ହେବ ।. . . ହୃଦୟରେ ଉତ୍ସାଗ୍ନିଜାଳି ଜାଗ୍ରତ ହୁଅ ।
ବିବେକାନନ୍ଦ ହିଁ ଏ ବିଶ୍ୱର ଆଧ୍ୟାତ୍ମିକ ଗୁରୁ । ଯେଉଁ ପାଶ୍ଚାତ୍ୟ ଦେଶ ତଥା ବିଦେଶୀମାନେ ଭାରତୀୟ ସଂସ୍କୃତି, ଧର୍ମ ଓ ପରମ୍ପରାକୁ କୁସଂସ୍କାର ବୋଲି କହୁଥିଲେ ଏବଂ ଭାରତକୁ ହୀନ ଚକ୍ଷୁରେ ଦେଖୁଥିଲେ, ସେ ସେମାନଙ୍କର ଅନ୍ଧ ପୁଟୁଳି ଖୋଲି ଦେଲେ । ୧୮୯୩ ଖ୍ରୀଷ୍ଟାଦ୍ଦ ୧୧ ସେପ୍ଟେମ୍ବରରେ ଚିକାଗୋର କଲମ୍ବସହରର ଧର୍ମ ମହାସଭାରେ ସମଗ୍ର ବିଶ୍ୱର ସମସ୍ତ ଧର୍ମାବଲମ୍ବୀ ତଥା ବିଶ୍ୱ ଜନତାକୁ ଭାରତୀୟ ଧର୍ମ ଧାରା ଓ ଦର୍ଶନ ଉପରେ ଆଲୋକପାତ କରାଇ ହତଚକିତ କରିଦେଲେ । ସମଗ୍ର ବିଶ୍ୱର ଦୃଷ୍ଟିକୁ ନିବଦ୍ଧ କରାଇ ଦେଲେ ଭାରତ ଆଡ଼କୁ । ସେତେବେଳେ ସ୍ୱାମୀଜୀ ଥିଲେ ମାତ୍ର ୩୦ବର୍ଷର ଯୁବକ ।
ଧର୍ମ ବା କର୍ମ ବାର୍ଦ୍ଧକ୍ୟର ସ୍ଥାଣୁତ୍ୱର ଫଳ ନୁହେଁ । ଏହା ଯୌବନର ରସାଳଫଳ । ଯୌବନର ଅଧ୍ୟବସାୟ ହିଁ ଗଡ଼ ଜିତିବାର କାରଣ ସ୍ୱରୂପ । ଏକଦା ବଂଗଳାର ଯୁବକମାନଙ୍କୁ ତାଙ୍କ ଭାଷଣରେ କହିଥିଲେ: ମୋର ଦୃଢ ବିଶ୍ୱାସ ଯେ ଯୁବକମାନଙ୍କ ହୃଦୟରେ ଶକ୍ତି ପ୍ରକାଶ ପାଇବ ଯାହା ଭାରତକୁ ତାହାର ଉପଯୁକ୍ତ ଆଧ୍ୟାତ୍ମିକ ଅଧିକାରରେ ପୁନଃ ପ୍ରତିଷ୍ଠା କରିବ । . . .ଆଦୈା ଭୟ କରନାହିଁ । ଯେଉଁ ମୁହୁର୍ତ୍ତରେ ତୁମ ମଧ୍ୟରେ ଭୟ ସଂଚାର ହେବ, ସେହି ମୁହୂର୍ତ୍ତରେ ତୁମେ ଶକ୍ତିହୀନ । ଭୟ ହିଁ ଜଗତର ସମୁଦାୟ ଦୁଃଖର ମୂଳକାରଣ । ଭୟହିଁ ସବୁଠାରୁ ବଡ଼ କୁସଂସ୍କାର ।
ଦେଶ ନିର୍ମାଣ, ଧର୍ମ , ପରଂପରା ଓ ଐତିହ୍ୟର ସଂରକ୍ଷଣ ଓ ପରବର୍ତ୍ତୀ ବଂଶଧରମାନଙ୍କୁ ହସ୍ତାନ୍ତୀକରଣ ତଥା ନୂତନ ଯୁଗର ସ୍ରଷ୍ଟା ହିସାବରେ ଯୁବକମାନଙ୍କର ଭୂମିକା ହିଁ ସ୍ୱୀକାର୍ଯ୍ୟ । ଏଥିପାଇଁ ସ୍ୱାମୀଜୀ ସବୁରି ଉର୍ଦ୍ଧ୍ୱରେ ଯୁବ ଗୋଷ୍ଠୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ ।
ସ୍ୱାମୀଜୀ ୪ ଜୁଲାଇ ୧୯୦୨ ମସିହାରେ ମହାପ୍ରୟୀଣ ଲାଭକଲେ । ସେତେବେଳେ ତାଙ୍କୁ ଚାଳିଶବର୍ଷ ଛୁଇଁ ନଥିଲା । ଅର୍ଥାତ୍ ସେ ଯୁବକ ଥିଲେ । ଏତେ କମ୍ ବୟସରେ ଜୀବନ କ’ଣ ଜୀବନ? ତଥାପି ତାଙ୍କ କେଇବର୍ଷର ଝଲକ ତାଙ୍କୁ ଅମର କରି ରଖିଥିଲା ଯୁଗଯୁଗ ।
ଏହି ସବୁକାରଣରୁ ତାଙ୍କ ଜନ୍ମତିଥି ଜାନୁୟାରୀ ୧୨କୁ ଆମେପାଳନ କରୁଛୁ ଯୁବ ଦିବସ ହିସାବରେ, ତାଙ୍କ ସ୍ମୃତିରେ ଏବଂ ସ୍ମରଣରେ । ଅନ୍ୟପକ୍ଷରେ ଏ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରି ପ୍ରେରଣା ଯୋଗାଇବାରେ ନିହିତ ଅଛି ଏହାର ତାତ୍ପର୍ଯ୍ୟ ।

 

ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ