ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ରାଜ୍ୟର ଦ୍ୱିତୀୟ‘ସିଟିଟିସି’ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହ ଯୋଡ଼ି ସାମ୍ପ୍ରତିକ ଯୁବ ଓ ଛାତ୍ରଙ୍କ ଦକ୍ଷତା ବିକାଶ ପାଇଁ ବାଲେଶ୍ୱର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ପରିସରରେ ସେଣ୍ଟ୍ରାଲ ଟୁଲରୁମ ଏଣ୍ଡ ଟ୍ରୋନିଂ ସେଣ୍ଟର (ସିଟିଟିସି)ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଶିଳାନ୍ୟାସ ସ୍ଥାପନ କରିଥିଲେ । ଦୀର୍ଘଦିନର ଦାବି ପରେ ବାଲେଶ୍ୱରରେ ଏହି କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବେଶ ସ୍ୱାଗତ ଯୋଗ୍ୟ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଏହା ଦ୍ୱାରା ବୈଷୟିକ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସାଙ୍ଗକୁ ଏଠାରୁ ପ୍ରଶିକ୍ଷଣପ୍ରାପ୍ତ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କ୍ଷେତ୍ରରେ ନିଶ୍ଚିତ ସୁଯୋଗ ମିଳିବ ବୋଲି ସେ ମତ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଓଡ଼ଶାରେ ଦ୍ୱିତୀୟ ତଥା ସମ୍ପ୍ରସାରିତ ‘ସିଟିଟିସି’ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ମାତ୍ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ଏହାକୁ ସ୍ଥାପନ ନିମନ୍ତେ ପ୍ରସ୍ତାବ ରଖିଥିଲେ ବୋଲି ସଦର ବିଧାୟକ ଶ୍ରୀ ଦାସ କହିଥିଲେ ।ଏନେଇ ତୁରନ୍ତ ଜମି ଯୋଗାଇ ବାଲେଶ୍ୱର ଯୁବପିଢ଼ିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ସେ ମତ ଦେଇଥିଲେ । ଭୁବନେଶ୍ୱର ସିଟିଟିସିର ମହାପ୍ରବନ୍ଧକ ଏଲ ରାଜଶେଖରଏହି ଶିଳାନ୍ୟାସ ପର୍ବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ର ଯୁବପିଢ଼ିଙ୍କ ପାଇଁ କିପରି ସଫଳତାର ଦ୍ୱାର ଖୋଲିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥାପନ ହେବାକୁ ଯାଉଥିବା ଏହି କେନ୍ଦ୍ରରେ ଆତ୍ୟାଧୁନିକ ବୈଷୟିକ ଶିକ୍ଷାପ୍ରାପ୍ତ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ନିଯୁକ୍ତି ପାଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବରିଷ୍ଠ ପ୍ରବନ୍ଧକ ଡ. ଏସ କେ କର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହିତ ସିଟିଟିସି ସ୍ଥାପନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିଳାନ୍ୟାସ ପର୍ବ ଆୟୋଜିତ ହୋଇଥିଲା । ଆଇଟିଆଇର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚ।।ରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।