ରକ୍ତଚନ୍ଦନ କାଠ ଚୋରା ଚାଲାଣ , ୨ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ତାନରୁ ଚନ୍ଦନ ଓ ରକ୍ତଚନ୍ଦନ କାଠ ଚୋରା ଚାଲାଣ ବେଳେ ୨ଜଣ ଗିରଫ ହୋଇଥିବା ସୁଚନା ମିଲିଛି । ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ଗୁଣୁପୁର-ପାରଳାଖେମୁଣ୍ଡି-ପୁରୀ ପାସେଞ୍ଜର ଟ୍ରେନରେ ଜଣେ ଯୁବକ ଚୋରା ଚନ୍ଦନ କାଠନେଇ ଯାଉଥିବା ସମୟରେ ବନ ବିଭାଗ ଦ୍ୱାରା ଗିରଫ ହୋଇଥିବାର ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଏହି ଟ୍ରେନ୍ଟି ଗୁଣୁପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସିବା ସମୟରେ କେ.ସୀତାପୁର ଷ୍ଟେସନ ଠାରେ ଯୁବକ ଜଣକ ଚନ୍ଦନକାଠ ଧରି ଟ୍ରେନକୁ ଚଢିଥିଲେ । କୌଣସି ସୂତ୍ରରୁ ଖବରପାଇ ପାରଳାଖେମୁଣ୍ଡି ବନଖଣ୍ଡ ରେଞ୍ଜର ଅରୁଣ କୁମାର ଓ ଫରେଷ୍ଟର ଏସ୍.ଏସ୍.କଳିଙ୍ଗ ଏବଂ ତାଙ୍କର ଦଳୀୟ ଟିମ୍ ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ପହଞ୍ôଚ ଉକ୍ତ ଚୋରା ଚନ୍ଦନ କାଠ ଖଣ୍ଡଗୁଡିକୁ ଜବତ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଥିଲେ । ସେହି ଚନ୍ଦନ କାଠ ଗୁଡିକୁ ସୁଟ୍କେସ ଓ ବ୍ୟାଗ୍ ମାଧ୍ୟମରେ ଛୋଟ ଛୋଟ ଖଣ୍ଡକରି ଭର୍ତ୍ତୀକରି ନେଉଥିବା ସମୟରେ ବନବିଭାଗର ଟିମ୍ ଚଢାଉକରି ସେଗୁଡିକୁ ଜବତ କରିବାସହ ଯୁବକଙ୍କୁ ଗିରଫ କରିଥିଲେ । ଯୁବକ ଜଣକ ଆଝାରଉଦ୍ଦିନ ଖାନ୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁସୁମୀ ଗ୍ରାମର ବୋଲି ଜଣାପଡିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ସହ ଯୋଗାଯୋଗ କରାଯିବାରୁ ଏହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଜବତ ହୋଇଥିବା ଚନ୍ଦନ କାଠ ଗୁଡିକ ୮୨ କିଲୋ ଓଜନର ବୋଲି ବିଭାଗ ସୂତ୍ରରୁ ପ୍ରକାଶ । ସେହିପରି ଗଜପତି ଜିଲ୍ଲାର ତଳମୁଣ୍ଡା ଗ୍ରାମର ସୁରେଶ ଭୁୟାଁ ଗଣ୍ଡାହାତି ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ ୭୫କିଲୋ ରକ୍ତଚନ୍ଦନ ଧରି ଯାଉଥିବାବେଳେ ମହେନ୍ଦ୍ର ବନାଞ୍ଚଳ ତରଫରୁ ରକ୍ତ ଚନ୍ଦନକୁ ଜବତ କରି ସୁରେଶକୁ ଗିରଫ କରାଯାଇଥିଲା । ଏହି ଉଭୟ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।