ରକ୍ତମୁଖା ଖଲ୍ଲିକୋଟ ଥାନା ମଦ ବିକ୍ରି କୁ ନେଇ ଗୋଷ୍ଠୀ ସଂଘର୍ଷ
ଖଲ୍ଲିକୋଟ,(ସିଲୁ ବିଶ୍ୱାଳ):ମଦ ବିକ୍ରି କୁ ନେଇ ତୁମୁଳକାଣ୍ଡ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ହଣାକାଟ ଘଟି ଉଭୟ ପକ୍ଷ ର ୯ ଜଣ ଆହତ ହୋଇଛନ୍ତି ।ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଯାଇଛି ।ସେମାନଙ୍କ ମଧ୍ୟରୁ ଦୁଇ ଜଣ ଜୀବନ ସହିତ ସଂଘର୍ଷ କରୁଥିବା ଜଣାପଡ଼ିଛି ।ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ।ମଦ ବିକ୍ରି କରିବାକୁ ନେଇ ପଥରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ।ତେବେ ଏହି ବିବାଦ ଗତକାଲି ରାତିରେ ଉଗ୍ର ରୂପ ଧାରଣ କରିଥିଲା ।ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି ଉଭୟେ ଉଭୟ ଙ୍କ ଉପରେ ଆକ୍ରମଣ କରିଥିଲେ ।ପଥରା ଛକ ଦୀର୍ଘ ସମୟ ଧରି ରଣକ୍ଷେତ୍ର ପାଲଟିଥିଲା ।ଖଣ୍ଡା ରେ ହାଣିବା ଦ୍ୱାରା ଗ୍ରାମର ପିଣ୍ଟୁ ଦାସ(୩୦)ନାମକ ଜଣେ ଯୁବକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହି ସଂଘର୍ଷ ରେ ଉଭୟ ପକ୍ଷ ର ୯ ଜଣ ଆହତ ହୋଇଥିଲେ ।ତୁରନ୍ତ ଆହତମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା ।ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।ଆହତ ମାନେ ହେଲେ ପ୍ରତାପ ପଲେଇ(୨୮),ତୋଫାନ ପଲେଇ(୨୨),ରଞ୍ଜନ ଭାଙ୍ଗ(୩୫),ଧ୍ରୁବ ଟହଲ(୩୨),ସୁମନ ସୁବୁଦ୍ଧି(୩୦),ଉଲ୍ଲାସ ପଲେଇ(୨୦),ସଞ୍ଜୟ ସୁବୁଦ୍ଧି(୩୮),ନାରାୟଣ ସୁବୁଦ୍ଧି(୪୧) ।ଏମାନଙ୍କ ମଧ୍ୟରୁ ଖଣ୍ଡା ଚୋଟ ରେ ରଞ୍ଜନ ଭାଙ୍ଗ ଙ୍କ ମୁଣ୍ଡ, ଧ୍ରୁବ ଟହଲ ଙ୍କ ବେକ ଓ ଆଖି, ପ୍ରତାପ ପଲେଇ ଙ୍କ ମୁଣ୍ଡ, ସଞ୍ଜୟ ସୁବୁଦ୍ଧିଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ସୁମନ ସୁବୁଦ୍ଧିଙ୍କ ଗୋଟିଏ ଆଙ୍ଗୁଠି କଟିଯାଇଥିବା ଡାକ୍ତର ରବିନାରାୟଣ ପାଢ଼ୀ କହିଛନ୍ତି ।ଗୋଷ୍ଠୀ ସଂଘର୍ଷ ପରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ଦାବିରେ ଗ୍ରାମର କିଛି ମହିଳା ଭେଜିପୁଟ ଫାଣ୍ଡି ସମ୍ମୁଖରେ ୧୬ ନମ୍ବର ଜାତୀୟ ରାଜପଥ କୁ ମଧ୍ୟ ରାତିରେ ଅବରୋଧ କରିଥିଲେ।ଖଲ୍ଲିକୋଟ ଆଇଆଇସି ସଦଲବଳେ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ମହିଳା ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ସଂଘର୍ଷ ପରେ ତୁରନ୍ତ ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଖଲ୍ଲିକୋଟ ଥାନାଏସ ଆଇ ସିଲୁ ଧଳ, ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା, ତହସିଲଦାର ଚକ୍ରଧର ପାଢ଼ୀ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ଗ୍ରାମରେ ପହଁଚି ତଦନ୍ତ ଚଳାଇଛନ୍ତି ।ପୋଲିସ ସାମାନ୍ୟ ଆହତ ହୋଇଥିବା ୩ ଜଣଙ୍କୁ ମେଡ଼ିକାଲ ରୁ ଧରିନେଇ ଥାନାରେ ଅଟକ ରଖିଥିବା ଅତିରିକ୍ତ ଏସ୍ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।ଆଜି ମଧ୍ୟାହ୍ନ ରେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ରାମର ଜଣେ ମଦ ବ୍ୟବସାୟୀ ଙ୍କ ଘରେ ପଶି ଗଚ୍ଛିତ ଥିବା ବିପୁଳ ପରିମାଣର ଦେଶୀ ମଦ ପ୍ୟାକେଟ ସହ ବିଭିନ୍ନ ମାରଣାସ୍ତ୍ର ସବୁ ବାହାର କୁ ଆଣି ଗ୍ରାମ ର ମୁଖ୍ୟ ରାସ୍ତାରେ ଜମା କରିଥିଲେ ।ମୃତ ପିଣ୍ଟୁ ଦାସଙ୍କ ଶବ ବ୍ୟବଚ୍ଛେଦ ହୋଇ ଅପରାହ୍ନ ୪ଟା ବେଳେ ଗ୍ରାମରେ ପହଞ୍ଚି ଥିଲା ।ମୃତ ଦେହକୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମଦ ବ୍ୟବସାୟୀ ଙ୍କ ଘର ଆଗରେ ଦାହ କରିବା ପାଇଁ ଗ୍ରାମବାସୀ ନେଉଥିବା ବେଳେ ପୋଲିସ ସେମାନଙ୍କୁ ଗାଁ ଭିତରକୁ ଛାଡିନଥିଲା ।ଗାଁ ମୁହଁ ରୁ ଶବ କୁ ଫେରାଇ ଆଣି ଭେଜିପୁଟ ଠାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ମୃତ ଦେହ ରଖି ଗ୍ରାମ ବାସୀ ରାସ୍ତା ଅବରୋଧ କରିଥିବା ଖବର ମିଳିଛି ।ଗ୍ରାମରେ ଉତ୍ତେଜନା ଲାଗି ରହିଛି ।


