ରଥକୁ ବିଜେ ହେଲେ ସିଦ୍ଧ ଶ୍ରୀବଳଦେବଜୀଉ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ସିଦ୍ଧ ଶ୍ରୀବଳଦେବଜୀଉ, ସୁନା ଭଉଣୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥ ବ୍ରହ୍ମତାଳଧ୍ୱଜ ରଥକୁ ପହଣ୍ଡି ବିଜେ ହୋଇଛନ୍ତି । ଅପରାହ୍ଣରେ ବ୍ରହ୍ମତାଳଧ୍ୱଜ ରଥ ପଶ୍ଚିମ ମୁହାଁ ହୋଇଥିଲା । ସନ୍ଧ୍ୟାରେ ଶ୍ରୀଜୀୟୁମାନଙ୍କୁ ପହଣ୍ଡି ବିଜେ କରାଯାଇ ରଥରେ ବିଜେ କରାଯାଇଥିଲା । ଶନିବାର ମାଉସୀ ଗୁଣ୍ଡିଚାଙ୍କ ଘରେ ତିନି ଠାକୁରଙ୍କ ଦର୍ଶନର ଶେଷ ଦିବସ ଥିଲା । ସେଥିପାଇଁ ଶନିବାର ସକାଳୁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଏହି ଭିଡ଼ ବୃଦ୍ଧି ପାଇଥିଲା । ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ କରିଥିଲେ । ଘଣ୍ଟ ଘଣ୍ଟା, ହରିବୋଲ ହୁଳହୁଳି ଶବ୍ଦରେ ଗୁଣ୍ଡିଚା ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା । ଅନେକ ଭକ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଯାଉଥିବାର ଦୃଶ୍ୟ ବେଶ ଭାବଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । କାରଣ ଏଭଳି ଦୃଶ୍ୟକୁ ଭକ୍ତମାନେ ବିଗତ୨୦୨୦ ଓ ୨୦୨୧ ମସିହାରେ ଦେଖିବାରୁ ବଞ୍ଚିତ ହୋଇଥିଲେ । କରୋନା କଟକଣା ଭକ୍ତଙ୍କ ଆବେଗରେ ପାଚେରୀ ହୋଇ ଛିଡା ହୋଇଥିଲା । ଏଥିସହ ଭକ୍ତଙ୍କ ଆଗମନ ମଧ୍ୟ ହୋଇ ନ ଥିଲା । କିନ୍ତୁ ଚଳିତ ବର୍ଷ ସେଭଳି କଟକଣା ନ ଥିବାରୁ ଭକ୍ତ ଭଗବାନ ଏକକାର ହୋଇଯାଇଥିଲେ । ଭଗବାନ ଭକ୍ତଙ୍କୁ ଦର୍ଶନ ଦେବାକୁ ବ୍ୟାକୁଳ ହୋଇଥିବା ବେଳେ ଠାକୁରଙ୍କୁ ଦର୍ଶନ କରିବା ପଇଁ ଭକ୍ତଙ୍କ ଆଖିରୁ ନିଦ ହଜି ଯାଇଥିଲା । ଗୁଣ୍ଡିଚା ମନ୍ଦିର ପାଶ୍ୱର୍ରେ ପୋଲିସ ପକ୍ଷରୁ ଅସ୍ଥାୟୀ ଫାଣ୍ଡି କରାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀମାନେ ସେଠାରେ ବସି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସେହିପରି ଜିଲ୍ଲାପାଳ ଓ ଏସ୍ପି ନିଜ କାର୍ଯ୍ୟାଳୟରେ ବସି ସମସ୍ତ ତଥ୍ୟ ରଖୁଥିଲେ । କିପରି ଶାନ୍ତି ଶୃଙ୍ଖଳାର ସହ ପହଣ୍ଡି ବିଜେ ହେବ ସେ ନେଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଉଦ୍ୟମ କରିଥିଲେ । ଯାହା ଫଳରେ ବିନା ବାଧା ବିଘ୍ନରେ ଠାକୁରମାନେ ପହଣ୍ଡି ବିଜେ ହୋଇ ରଥାରୁଢ ହୋଇଥିଲେ । ସେହିପରି ଭକ୍ତଙ୍କ ପ୍ରବଳ ଗହଳିକୁ ଲକ୍ଷ କରି ରଥଦାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ ମଲିକ, ବରିଷ୍ଠ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି, ମହାକାଳପଡା ଥାନା ଅଧିକାରୀ ମନୋରଞ୍ଜନ ଚୈଧୁରୀ, ଏସଆଇ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଏସଆଇ ସୈାମ୍ୟରଞ୍ଜନ ଜାଲି ପ୍ରମୁଖ ସୁରକ୍ଷା ଦାୟୀତ୍ୱରେ ଥିଲେ ।