ରଥଯାତ୍ରାରେ ଆଜାଦୀ ଠେଙ୍ଗାବାହିନୀର ସେବାକାର୍ଯ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ୩୨ବର୍ଷ ଧରି ପୁରୀ ରଥାଯାତ୍ରାରେ ସେବାକାର୍ଯ୍ୟ କରିଆସୁଅଛି । ଏ ବର୍ଷ ଆଜାଦୀ ଠେଙ୍ଗାବାହିନୀର ପ୍ରତିଷ୍ଠାତା ଚିଫ୍ କମାଣ୍ଡର ୮୫ବର୍ଷ ବୟସ୍କ କୃଷକ ଲକ୍ଷ୍ମଣ ଦାଶଙ୍କ ତତ୍ତ୍ୱାବଧାନରେ ସାରାଓଡିଶାରୁ ୧୧୫୫ଜଣ ପୁଅଝିଅ ସ୍ୱେଚ୍ଛାସେବୀଙ୍କୁ ନେଇ ପୁରୀ ମାର୍କଣ୍ଡେଶ୍ୱର ବାଲିସ୍କୁଲରେ ସେବାଶିବିର କରାଯାଇଅଛି । ୧୯ତାରିଖ ସନ୍ଧ୍ୟାବେଳେ ସ୍ୱେଚ୍ଛାସେବୀମାନଙ୍କୁ ମନ୍ତ୍ରବାଣୀ ଦେଇଥିଲେ ବିଶିଷ୍ଟ ଶ୍ରମିକନେତା ଓ ଆଜାଦୀ ଠେଙ୍ଗାବାହିନୀର ମେଜର୍ ଜେନେରାଲ୍ ମାୟାଧର ନାୟକ । ଠେଙ୍ଗାବାହିନୀର ପୋଷାକ ପିନ୍ଧି ହାତରେ ଠେଙ୍ଗାଧରି ୨୦ତାରିଖ ରଥଯାତ୍ରାଦିନ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ନିରାପଦ ସମୁଦ୍ର ସ୍ନାନ, ସ୍ୱାସ୍ଥ୍ୟସେବା, ରକ୍ତଦାନ, ପାନୀୟଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବାକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କର ରହିବା, ବିଜୁଳି ବ୍ୟବସ୍ଥା ଏବଂ ଉଠା ପାଇଖାନା ଜିଲ୍ଲାପାଳ ଓ ଏସ୍.ପି.ଙ୍କ ତରଫରୁ କରାଯାଇଥିଲା । କୃଷକ ଶ୍ରୀ ଦାଶ ୧୮ତାରିଖ ସନ୍ଧ୍ୟାରେ ପହଞ୍ôଚ ଜୁଲାଇ ୨ ତାରିଖ ୧୫ଦିନ ପର୍ଯ୍ୟନ୍ତ ପୁରୀ ଶିବିରରେ ରହି ସେବାକାର୍ଯ୍ୟ ତଦାରଖ କରିବେ । ସବୁ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଛି । ୨୧ତାରିଖ ସକାଳ ୬ଟାରେ ସ୍ୱେଚ୍ଛାସେବୀମାନେ ସମୁଦ୍ରବେଳାଭୂମି ପାଖରେ ଉପସ୍ଥିତ ରହି ଶ୍ରୀ ନାୟକ ଓ ଶ୍ରୀ ଦାଶଙ୍କ ନେତୃତ୍ୱରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଚାଲୁରହିବ । ଆଜାଦୀ ଠେଙ୍ଗାବାହିନୀର ୩୨ବର୍ଷ ସେବାକାର୍ଯ୍ୟକୁ ପ୍ରଶାସନ, ନେତା, ପୁରୀବାସୀ, ଶ୍ରୀକ୍ଷେତ୍ରକୁ ଆସୁଥିବା ଦର୍ଶନାର୍ଥୀମାନେ ଉଚ୍ଚ ପ୍ରଶଂସା କରିଥିଲେ ।


