ରଥ ଉତ୍ସବ ପ୍ରଥମ ଦିନରେ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାସଲୀଳା
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ପ୍ରତିବର୍ଷ ଭଳି ରଥ ଉତ୍ସବର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ରାସଲୀଳାରେ ଝୁମିଲେ ଶ୍ରଦ୍ଧାଳୁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଇମାମୀ ନଗରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ମହାପ୍ରଭୁଙ୍କର ସମସ୍ତ ପୂଜାର୍ଚ୍ଚନା ସମାପନ ସାଙ୍ଗକୁ ଅପରାହ୍ନ ୩ଟାରୁ ୫ଘଟିକା ପର୍ଯ୍ୟନ୍ତ ବାଲଗୋପାଳପୁରସ୍ଥିତ ମେରିଲାକ୍ ଆବାସିକ ସେବାସଦନର ଅନାଥ ଛାତ୍ରୀ, ମିତ୍ରପୁରସ୍ଥିତ ବାପୁଜୀ ଆବାସିକ ସେବାସଦନର ଛାତ୍ରଛାତ୍ରୀ ଓ ଇମାମୀ ଆନୁକୂଲ୍ୟରେ ସତ୍ୟସାଇ ସେବା ସଂଗଠନ ଦ୍ୱାରା ପରିଚାଳିତ ରେମୁଣା ଅଞ୍ଚଳର ୮ଗୋଟି ବାଳବିକାଶ କେନ୍ଦ୍ରର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଣାଯାଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସାଦସେବା ସମ୍ପନ୍ନ, ସେହିପରି ଅପରାହ୍ନ ୫ଘଟିକାରୁ ୬ଘଟିକା ପର୍ଯ୍ୟନ୍ତ ଇମାମୀ କଲୋନୀସ୍ଥ ଲେଡ଼ିଜ୍ କ୍ଲବ୍ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ଅପରାହ୍ନ ୬ ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ କନକଦୁର୍ଗା କୀର୍ତ୍ତନ ସଂଗଠନ, ହଳପାଟଣା ଓ ଜଗନ୍ନାଥ କୀର୍ତ୍ତନମଣ୍ଡଳୀ, ବାଲଗୋପାଳପୁର ମଧ୍ୟରେ ହରିନାମ ସଂକୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ସନ୍ଧ୍ୟା ୭ଘଟିକା ଠାରୁ ୮ ଘଟିକା ୩୦ମିନିଟ୍ ପର୍ଯ୍ୟନ୍ତ ବୃନ୍ଦାବନସ୍ଥିତ ବିଶିଷ୍ଟ ବିଶିଷ୍ଟ କଳାକାରଙ୍କ ଦ୍ୱାରା ଶ୍ରୀକୃଷ୍ଣ ଚରିତ୍ର ଆଧାରିତ ଚିତ୍ତାକର୍ଷକ ରାସଲୀଳା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଜଣାପଡ଼ିଛି । ପ୍ରତିବର୍ଷଭଳି ଚଳିତବର୍ଷ ପ୍ରଥମ ଦିନରେ ଗୁଣ୍ଡିଚା ମନ୍ଦିରରେ ଚିତ୍ତାକର୍ଷକ ସାଜସଜ୍ଜା ସାଙ୍ଗକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ ଓ ପ୍ରସାଦସେବନର ବ୍ୟବସ୍ଥା ଜାରି ରଖାଯାଇଥିବାବେଳେ ଅନାଥ ଶିଶୁମାନଙ୍କୁ ପ୍ରସାଦସେବନର ବ୍ୟବସ୍ଥା ସାଧାରଣରେ ଭୂୟସୀ ପ୍ରଶଂସିତ ହୋଇଥିବାର ଜଣାପଡ଼ିଛି ।