ରନ୍ଧନ ଗ୍ୟାସ ପାଇପ ଲିକ୍ ରୁ ଅଗ୍ନିକାଣ୍ଡ ଗୋଟିଏ ପରିବାରର ତିନି ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ବି. ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରନ୍ଧନ ଗ୍ଯାସ ସିଲିଣ୍ଡର ସଂଯୋଗ ପାଇପ ରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ତିନି ଜଣ ଅର୍ଦ୍ଧଦଗ୍ଧ ହୋଇଛନ୍ତି।ସେମାନଙ୍କ ଅବସ୍ଥା ଗୁରୁତର ରହିଛି।ଗୁରୁତର ମାନେ ହେଲେ ଜି. ବୁଡୁ (୪୨), ତାଙ୍କ ସ୍ତ୍ରୀ ଜି. ବବି (୩୨) ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ କାହ୍ନା (୧୪)।ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବୁଡୁଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଥିବା ଜଣାପଡିଛି।ସୂଚନା ପ୍ରକାରେ ବୁଡୁଙ୍କ ରୋଷେଇ ଘରେ ଥିବା ଗ୍ଯାସ ସିଲିଣ୍ଡରର ପାଇପରୁ ଗ୍ୟାସ ଲିକ୍ ହେଉଥିଲା।ତାହା ଜାଣିନପାରି ବୁଡୁ ଲାଇଟର ଜଳାଇବା ମାତ୍ରେ ହଠାତ ଘରେ ନିଆଁ ବ୍ୟାପି ଯାଇଥିଲା।ବୁଡୁ ସେହି ନିଆଁରେ ପୋଡି ଯାଇଥିବା ବେଳେ ପାଖରେ ରୁଟି ବେଲୁଥିବା ତାଙ୍କ ସ୍ତ୍ରୀ ମଧ୍ୟ ପୋଡି ଯାଇ ଚିତ୍କାର କରିଥିଲେ।ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିବା ସମୟରେ ବୁଡୁଙ୍କ ପୁଅ କାହ୍ନା ମଧ୍ୟ ନିଆଁରେ ପୋଡ଼ି ଆହତ ହୋଇଥିଲେ।ନିଆଁରେ ପୋଡ଼ି ଗୁରୁତର ଆହତ ଥିବା ବୁଡୁଙ୍କ ପରିବାର ଗରିବ ଶ୍ରେଣୀର ଥିବାରୁ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବାକୁ ବି. ତୁରୁବୁଡ଼ିି ପଞ୍ଚାୟତ ସରପଞ୍ଚ ବି. ଲିଙ୍ଗରାଜ ଦୋରା ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ