ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ କୋଲକତା ଘରୋଇ ହସ୍ପିଟାଲରେ ଦେହାନ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ(୫୯)ଙ୍କ କୋଲକତା ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ପୂର୍ବାହ୍ନ ୮.୩୦ଟା ପାଖାପାଖି ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ ଶିକ୍ଷୟତ୍ରୀ ମମତା ମହାନ୍ତ ଏବଂ ଶଳା ବରିଷ୍ଠ ବିଜେପି ନେତା ବିକାଶ ମହାନ୍ତ ଉପସ୍ଥିତ ଥିଲେ । ଦିର୍ଘ ଦିନ ହେଲା ମଧୁମେହ ଏବଂ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ।ସେ ଜଣେ ଦକ୍ଷ ସ୍ବାସ୍ଥ୍ୟ ପ୍ରଶାସକ ଥିଲେ । ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଦିର୍ଘ ୧୪ ବର୍ଷ ହେଲା କାର୍ଯ୍ୟରତ ଥିଲେ । ତାଙ୍କର ଦକ୍ଷତା ଯୋଗୁଁ ରାଇରଙ୍ଗପୁର ହସ୍ପିଟାଲର ନବ କଳେବର ହୋଇଛି । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲର ନବ ନିର୍ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଇରଙ୍ଗପୁର ହସ୍ପିଟାଲ ଦୁଇଦୁଇଥର କାୟାକଳ୍ପ ପୁରସ୍କାର ପାଇଁ ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ଦୁଇଦୁଇ ଥର ଦିତୀୟ ପୁରସ୍କାର ହାସଲ କରିଛି । ରାଇରଙ୍ଗପୁର ହସ୍ପିଟାଲର ଉନ୍ନତି ପାଇଁ ସେଦିନ ରାତି ଏକ କରି ଦେଇଥିଲେ ।ସେ ଜଣେ ଅମାୟିକ ପରୋପକାରୀ,,ଶାନ୍ତ ,ମେଳାପି, କର୍ମଠ ବ୍ୟକ୍ତି ଥିଲେ । ଡାକ୍ତରଖାନାରେ ଯେତ ଅଘଟଣ ଘଟିଲେ ମଧ୍ୟ ବିଚଳିତ ନ ହୋଇ ହସ ହସ ବଦନରେ ସମାଧାନ କରି ଦେଉଥିଲେ । କେନ୍ଦ୍ର ଓ ରାଜ୍ୟ ତରଫରୁ ଯେତେ ସ୍ବାସ୍ଥ୍ୟ ବିଭାଗ ଅଫିସର,ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ରାଇରଙ୍ଗପୁର ହସ୍ପିଟାଲ ପରିଦର୍ଶନ ଓ ସମୀକ୍ଷା ପାଇଁ ଆସନ୍ତି ସେମାନେ ରାଇରଙ୍ଗପୁର ହସ୍ପିଟାଲର ପରିଷ୍କାର,ପରିଛନ୍ନ,ବଗିଚା, ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ତ୍ୟାଗ, ଶୃଙ୍ଖଳା ଦେଖିବା ଅଭିଭୂତ ହୋଇ ଛତିଶ ସାରଙ୍କୁ ପ୍ରଶଂସାରେ ପୋତି ଦିଅନ୍ତି । ତାଙ୍କର ଏଭଳି ପବିତ୍ର ଦୀପାବଳି ଅବସରରେ ଦେହାନ୍ତଙ୍କୁ ରାଇରଙ୍ଗପୁରବାସୀ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି । ତାଙ୍କ ଦେହାନ୍ତରେ ସମଗ୍ର ବାମନଘାଟୀ ଓ ପଞ୍ଚପିଢ ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି ।କୋଲକତାରୁ ତାଙ୍କ ମର ଶରୀର ଆଜି ରାତିରେ ରାଇରଙ୍ଗପୁର ପହଞ୍ଚି ତାଙ୍କ ବାସ ଭବନରେ ରଖାଯିବ । ରବିବାର ଦିନ ରାଇରଙ୍ଗପୁର ହସ୍ପିଟାଲକୁ ଶେଷ ଦର୍ଶନ ପାଇଁ ନିଆଯିବ ।ପରେ ତାଙ୍କ ପୈତୃକ ଗ୍ରାମ ପଞ୍ଚପୀଢ ଉପଖଣ୍ଡ କୁଦରସାହି ଗ୍ରାମକୁ ନିଆଯାଇ ଶେଷକୃତ୍ୟ କରାଯିବ ।