ରାଜସ୍ୱ ବିଭାଗର ବିଭିନ୍ନ ପଦବୀ ପାଇଁ ଲିଖିତ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ରାଜସ୍ୱ ବିଭାଗର ବିଭିନ୍ନ ପଦ ପଦବୀ ପାଇଁ ଲିଖିତ ପରୀକ୍ଷା କୋଭିଡ୍ ନିୟମାବଳୀ ଅନୁଯାଇ ହୋଇଯାଇଛି । ସଦର ମହକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ମୋଟ ୨୨ଗୋଟି କେନ୍ଦ୍ରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ପରୀକ୍ଷାରେ ମୋଟ ୬୬୫୬ଜଣ ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିଥିଲେ । ସମସ୍ତଙ୍କୁ ପରୀକ୍ଷା ଦେବା ପାଇଁ ପ୍ରବେଶପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଲିଖିତ ପରୀକ୍ଷା ପାରଳାଖେମୁଣ୍ଡି ସହରରେ ବିଭିନ୍ନ କେନ୍ଦ୍ର ଯଥା, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସେଞ୍ଚୁରିୟନ ପବ୍ଲିକ ସ୍କୁଲ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟ ଆଦି ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଲିଖିତ ପରୀକ୍ଷା ଆଜି ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ଏହି ପରୀକ୍ଷାକୁ ପରିଚାଳନା କରିବାପାଇଁ ଅଧିକ୍ଷକ ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଉପଅଧିକ୍ଷକ ଭାବେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ନିଯୁକ୍ତ ହୋଇ ତଦାରଖ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ନଟବର ଗରଡା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବ୍ଲକ ଅଧିକାରୀ ମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକୁ ଯାଇ ନିରୀକ୍ଷଣ କରିଥିଲେ । ପରୀକ୍ଷା କେନ୍ଦ୍ର ତଥା ବିଦ୍ୟାଳୟ ମହାବିଦ୍ୟାଳୟ ଗୁଡିକର ସଂପୃକ୍ତ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ସୁପରିଟେଣ୍ଡଣ୍ଟ ଦାୟିତ୍ୱରେ ରହିଥିଲେ ।


